ଭୁବନେଶ୍ୱର: ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ନୂଆ ଯୋଜନା କରିବାକୁ ବଜେଟରେ ୮୦ କୋଟି ଦିଆଗଲା । ବିଶ୍ୱ ଦକ୍ଷତା କେନ୍ଦ୍ର ପାଇଁ ୪୨ କୋଟି ଟଙ୍କା । ଉତ୍କର୍ଷ ଆଇଟିଆଇ ପାଇଁ ୨୦୦ କୋଟି । ଏହିପରି ମୋଟ ୧୨୨୦ କୋଟି ଟଙ୍କା ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷ ବଜେଟରେ ବ୍ୟବସ୍ଥା କଲେ ।

ଅପ୍ରେଲ ମାସରୁ ଆସି ସେପ୍ଟେମ୍ବର ଅଧା ହେଲାଣି । ଗତ ସାଢ଼େ ୫ ମାସରେ ଏହି ୧୨୨୦ କୋଟିରୁ ମାତ୍ର ୩୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହା କି ମୋଟ ବ୍ୟୟବରାଦର ୨.୫ ପ୍ରତିଶତ । ସେହିପରି କେନ୍ଦ୍ରୀୟ ଅନୁଦାନ ବାବଦରେ ଆସିଥିବା ୨୮ କୋଟି ଟଙ୍କାରେ ହାତ ମାରିନାହାନ୍ତି ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଓ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ପରିଷଦ ।

ରାଜ୍ୟ ସରକାର ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଇ ହାତ ଖୋଲା ବଜେଟ୍ ପାଣ୍ଠି ଯୋଗାଇ ଦେଇଛନ୍ତି । ବଜେଟ୍ ପାଣ୍ଠି ବିନିଯୋଗରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) ଏବଂ ଦକ୍ଷତା ବିକାଶ ଓ ନିୟୋଜନ (ଡିଏସଡିଇ)ର ଏପରି ନୈରାଶଜନକ ପ୍ରଦର୍ଶନ ଚିନ୍ତା ବଢ଼ାଇଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ।

ଚଳିତବର୍ଷ ଆର୍ଥିକ ବର୍ଷ (୨୦୨୬-୨୭)ରେ ରାଜ୍ୟ କ୍ଷେତ୍ର ଯୋଜନାରେ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ଅଧୀନସ୍ଥ ଡିଟିଇଟି ଓ ଡିଏସଡିଇକୁ ୧୨୨୦ କୋଟି ଟଙ୍କାର ବଜେଟ୍ ବରାଦ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରୁ ୨୫୫ କୋଟି ୬୫ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି । ସେହିପରି କେନ୍ଦ୍ରୀୟ ଅନୁଦାନ ୨୮ କୋଟି ଟଙ୍କା ମିଳିଛି । ପ୍ରଥମ ତ୍ରୈମାସିକ ଯାହା ଜୁନ୍ ମାସ ସୁଦ୍ଧା ମୋଟ ବଜେଟର ୧୫% ଅର୍ଥ ଖର୍ଚ୍ଚ କରିବେ । ସେହିପରି ଦ୍ୱିତୀୟ ତ୍ରୈମାସିକ ତଥା ସେପ୍ଟେମ୍ବର ସୁଦ୍ଧା ଆଉ ୧୫% ଅର୍ଥ ଖର୍ଚ୍ଚ କରିବେ । ଅର୍ଥାତ୍ ସେପ୍ଟେମ୍ବର ମାସ ସୁଦ୍ଧା ମୋଟ ୩୦% ଅର୍ଥ ଖର୍ଚ୍ଚ କରିବାକୁ ହେବ । ହେଲେ ବଜେଟ୍ ଅର୍ଥର ୩୧.୦୭ କୋଟି ଅର୍ଥାତ୍ ମାତ୍ର ୨.୫୫% ଅର୍ଥ ଖର୍ଚ୍ଚ ହୋଇଛି । ସେହିପରି କେନ୍ଦ୍ର ଯୋଜନାରେ ମିଳିଥିବା ଅର୍ଥରେ ହାତ ବି ବାଜିନି ।

ସବୁଠୁ ଆଶ୍ଚର୍ଯ୍ୟ କଥା, ଡିଟିଇଟିକୁ ସୁଦକ୍ଷା ଯୋଜନା (ଆଇଟିଆଇ) ପାଇଁ ହୋଇଥିବା ୧୩ କୋଟି ୮୦ ଲକ୍ଷ ଟଙ୍କାରୁ ଟଙ୍କା ଟିଏ ଖର୍ଚ୍ଚ ହୋଇନି । ଏତିକି ନୁହେଁ, ସୁଦକ୍ଷା ଯୋଜନା (ପଲିଟେକନିକ) ପାଇଁ ହୋଇଥିବା ୧୪ କୋଟି, ପିପିପି ବେସଡ୍ ଆଇଟିଆଇ ପାଇଁ ଥିବା ୫ କୋଟି, ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ପାଇଁ ଥିବା ୨୩୪ କୋଟି ୬୪ ଲକ୍ଷ ଟଙ୍କା ବଜେଟ୍ରେ ହାତ ମାରିନାହିଁ ଡିଟିଇଟି । ସେହିପରି ଜୋନାଲ/ ଉତ୍କର୍ଷ ଆଇଟିଆଇ ପାଇଁ ହୋଇଥିବା ୧୦୦ କୋଟି, ୨୫ଟି ଆଇଟିଆଇରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ୧୦୦ କୋଟି, ଟାଟା ଟେକ୍ନୋଲୋଜି- ଉତ୍କର୍ଷ କେନ୍ଦ୍ର ପାଇଁ ୨୦ କୋଟି, ସିପିସି ପ୍ରତିଷ୍ଠା ପାଇଁ ୫ କୋଟି, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ରୂପାନ୍ତରଣ ଏବଂ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର) ପାଇଁ ୫୦ କୋଟି ଲେଖାଁଏ ବଜେଟ୍ ହୋଇଛି । ହେଲେ ଏଥିରୁ ୧ ପଇସା ବି ଖର୍ଚ୍ଚ କରାଯାଇନାହିଁ ।

କେବଳ ପଲିଟେକନିକର ଉନ୍ନତିକରଣ ପାଇଁ ୧୬ କୋଟି ୫୦ ଲକ୍ଷ ଟଙ୍କାରୁ ୨ କୋଟି ୯୭ ଲକ୍ଷ ଟଙ୍କା, ଆଇଟିଆଇ ଉନ୍ନତିକରଣ ପାଇଁ ୨୭ କୋଟି ୫୫ ଲକ୍ଷ ଟଙ୍କାରୁ ୪ କୋଟି ୨୩ ଲକ୍ଷ ଟଙ୍କା, ଆକାଡେମିକ୍ ଭିତ୍ତିଭୂମି ବିକାଶ ପାଇଁ ୧୫ କୋଟି ୮୯ ଲକ୍ଷ, ପଲିଟେକନିକର ଭିତ୍ତିଭୂମି ବିକାଶ ପାଇଁ ୧୩୪ କୋଟି ଟଙ୍କାରୁ ୫ କୋଟି ୩୪ ଲକ୍ଷ ଟଙ୍କା ଏବଂ ଡିଟିଇଟିରେ ପିଏମୟୁ ପାଇଁ ବଜେଟ୍ ହୋଇଥିବା ଦେଢ଼ କୋଟି ଟଙ୍କାରୁ ମାତ୍ର ୩୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

କେବଳ ଏତିକି ନୁହେଁ, ଡିଏସଡିଇକୁ ମିଳିଥିବା ବଜେଟରୁ କେବଳ ସିଏମ୍-ଆସପାୟାର ପାଇଁ ହୋଇଥିବା ୪୦ କୋଟି ଟଙ୍କା ବଜେଟରୁ ମାତ୍ର ୨ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇ ଖୁସି ହୋଇପଡ଼ିଛି । କିନ୍ତୁ ଦକ୍ଷତା ବିକାଶ ଯୋଜନା (ନୂଆ ସ୍କିମ) ପାଇଁ ହୋଇଥିବା ୮୦ କୋଟି ଟଙ୍କା, ଉଦ୍ୟମୀ ଯୋଜନା (ନୂଆ ସ୍କିମ) ପାଇଁ ୧୦ କୋଟି, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ)- ପିଏଲଟିପି, ବିଶ୍ୱ ଦକ୍ଷତା କେନ୍ଦ୍ର ପାଇଁ ୪୨ କୋଟି, ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ (ଓଏସଡିପି)-୨ ପାଇଁ ୧୦ କୋଟି ଓ କୋଠା ନିର୍ମାଣ ପାଇଁ ହୋଇଥିବା ୩ କୋଟି ୩୦ ଲକ୍ଷ ଟଙ୍କାର ବଜେଟରୁ ଗୋଟିଏ ବି ଟଙ୍କା ଖର୍ଚ୍ଚ କରାଯାଇନାହିଁ । ବିଭାଗ ପକ୍ଷରୁ ଉଭୟ ଡିଟିଇଟି ଏବଂ ଡିଏସଡିଇକୁ ବୈଷୟିକ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି, ସମସ୍ତ ଯୋଜନାର ଖର୍ଚ୍ଚ ସ୍ଥିତି ସମୀକ୍ଷା କର । ଧାର୍ଯ୍ୟ ତ୍ରୈମାସିକ ଲକ୍ଷ୍ୟ ଅନୁଯାୟୀ ପାଣ୍ଠିର ବିନିଯୋଗ ଠିକ୍ ସମୟରେ କର ।