ଭୁବନେଶ୍ୱର: ଚାଷୀଙ୍କ ପାଇଁ ବଡ଼ ପାଣିପାଗ ଖବର। ଆସନ୍ତା ଜୁଲାଇ ୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରଦିନ ଅର୍ଥାତ୍ ଜୁଲାଇ ୩ ତାରିଖରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର (CEC) ପକ୍ଷରୁ ଶନିବାର ଏହି ପୂର୍ବାନୁମାନ କରାଯାଇଛି।

ସିଇସିର ବୁଲେଟିନ୍ ଅନୁସାରେ, ଜୁଲାଇ ୪ ତାରିଖ ବେଳକୁ ଏହି ଅବପାତଟି ଆହୁରି ଶକ୍ତିଶାଳୀ ହୋଇ ଗଭୀର ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଜୁଲାଇ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ଯାହାଫଳରେ ଓଡ଼ିଶା ସମ୍ପୂର୍ଣ୍ଣ ଭିଜିବ।

Also Read: ମିଶନ ଶକ୍ତି ବନାମ ସୁଭଦ୍ରା ଶକ୍ତି, ରାଜ୍ୟରେ କାହାର ହେବେ ମହିଳା ଭୋଟର ?

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା ପାଇଁ ଆଲର୍ଟ

ଲଘୁଚାପ ପ୍ରଭାବରେ ଜୁଲାଇ ୨ ଏବଂ ୩ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ଜୁଲାଇ ୩ରୁ ୫ ତାରିଖ ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ବା ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ବହୁତ ଜୋରରେ ବର୍ଷା ହେବାର ସଙ୍କେତ ମିଳିଛି।

ପାଣିପାଗ କେନ୍ଦ୍ର ସୂଚନା ଦେଇଛି ଯେ, ଏହି ପ୍ରବଳ ବର୍ଷା ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍ ଜୁନ୍ ୨୭ ଠାରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ଚାଷ କାମ ପାଇଁ ଏହି ବର୍ଷା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି। ଏହା ରାଜ୍ୟର ଚାଷୀକୂଳଙ୍କ ପାଇଁ ବଡ଼ ଆଶ୍ଵସ୍ତିକର ଖବର। କାରଣ ଚଳିତ ମାସରେ ବର୍ଷା ପ୍ରାୟ ୫୦ ପ୍ରତିଶତ କମ ରହିଛି। ବର୍ଷା ଅଭାବ କାରଣରୁ ଚାଷୀ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।