ଭୁବନେଶ୍ୱର: ଓଡ଼ିଶାକୁ ସମ୍ପୂର୍ଣ୍ଣ ‘ନିଶାମୁକ୍ତ’ କରିବା ପାଇଁ ରାଜ୍ୟ ପୋଲିସ ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି । ଏଥର କେବଳ ଛୋଟ ନିଶା ବେପାରୀ ନୁହେଁ, ବରଂ ନିଶା ସିଣ୍ଡିକେଟ୍‌ର ଟପ୍ ଲେବଲ୍ ଅର୍ଗାନାଇଜର ଏବଂ ଅର୍ଥଦାତାମାନଙ୍କୁ ସିଧାସଳଖ ଟାର୍ଗେଟ୍ କରାଯିବ । ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ସମ୍ପର୍କରେ ସୂଚନା ଦେଇ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଏହି କଡ଼ା ଚେତାବନୀ ଦେଇଛନ୍ତି ।

ଅପରାଧୀଙ୍କୁ ଜବତ କରିବା ପାଇଁ ପୋଲିସର 'ମାଷ୍ଟରପ୍ଲାନ୍'

ଡିଜିପି ସୂଚନା ଦେଇଛନ୍ତି ଯେ, ନିଶା କାରବାର ସମ୍ପର୍କିତ ମାମଲାର ତ୍ୱରିତ ବିଚାର ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୁଳ ଓ ସମ୍ବଲପୁରରେ ୪ଟି ସ୍ୱତନ୍ତ୍ର NDPS କୋର୍ଟ ସ୍ଥାପନ କରିବାକୁ ରାଜ୍ୟ ସରକାର  ଅନୁମୋଦନ କରିଛନ୍ତି ।

ସେହିପରି, ଜଣେ ଏଡିଜିପି ପାହ୍ୟାର ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର Anti Narcotics Task Force (ANTF) ଗଠନ କରାଯିବ । ଏହା ଅଧୀନରେ ରାଜ୍ୟର ବିଭିନ୍ନ ସ୍ଥାନରେ  ୧୦ଟି ୟୁନିଟ୍ ଏବଂ ୧୯ଟି ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୟୁନିଟ୍ କାର୍ଯ୍ୟ କରିବ । ପ୍ରତିବର୍ଷ ଅତିକମରେ ୧୦୦ ଜଣ ପ୍ରମୁଖ ଡ୍ରଗ୍ ମାଫିଆଙ୍କ ବିରୋଧରେ NDPS ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରିଯିବା ବୋଲି ଡିଜିପି ସୂଚନା ଦେଇଥିଲେ । ଏହାବ୍ୟତୀତ  ସମସ୍ତ ଡ୍ରଗ୍ ହଟସ୍ପଟ୍‌ ଗୁଡ଼ିକୁ ଚିହ୍ନଟ କରାଯାଇ ନିଷ୍କ୍ରିୟ କରିବାକୁ ଲକ୍ଷ୍ୟ ରକ୍ଷା ଯାଇଛି ।

ନିଶା କାରବାର ରୋକିବାରେ ଉଲ୍ଲେଖନୀୟ ସଫଳତା

ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୨୦୨୪ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ରାଜ୍ୟବ୍ୟାପୀ ଅଭିଯାନରେ ୬୩,୭୨୦ ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷ, ଯାହାର ଆନୁମାନିକ ମୂଲ୍ୟ ୧,୯୧୧ କୋଟି ଟଙ୍କା, ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି । ସେହି ସମୟ ମଧ୍ୟରେ ୨,୪୪୫ଟି NDPS ମାମଲା ରୁଜୁ କରାଯାଇ ୪୨୧ ଟନ୍ ଗଞ୍ଜେଇ (ଆନୁମାନିକ ମୂଲ୍ୟ ୨,୧୦୬ କୋଟି ଟଙ୍କା) ଜବତ କରାଯାଇଥିବା ବେଳେ ୩,୫୦୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଡିଜିପି ୱାଇବି ଖୁରାନିଆ ଚେତାଇ ଦେଇଛନ୍ତି, "ନିଶା କାରବାର, ଚୋରାଚାଲାଣ ଓ ମାଦକ ମାଫିଆଙ୍କ ବିରୋଧରେ ଏହି ଲଢ଼େଇ ଆଗାମୀ ଦିନରେ ଆହୁରି ତୀବ୍ର ହେବ । ଆଇନ ଉଲ୍ଲଂଘନକାରୀଙ୍କ ପ୍ରତି କୌଣସି ପ୍ରକାର କୋହଳ ମନୋଭାବ ପ୍ରଦର୍ଶନ କରାଯିବ ନାହିଁ ।“