କଟକ: ମା' ଶାରଳା ମନ୍ଦିରର ୬ ଜଣ ଦୋକାନୀ ନିଲାମ ବାବଦକୁ ୧ କୋଟିରୁ ଅଧିକ ଟଙ୍କାର ବକେୟା ପୈଠ କରିନଥିବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାର ଏବଂ ଦେବୋତ୍ତର କମିଶନରଙ୍କଠାରୁ ଜବାବ ମାଗିଛନ୍ତି । ତିର୍ତ୍ତୋଲ ବ୍ଲକର କନକପୁରସ୍ଥିତ ମା' ଶାରଳା ମନ୍ଦିର ଷୋଡ଼ଶ ଶତାବ୍ଦୀର ଓଡ଼ିଶାର ଅନ୍ୟତମ ପ୍ରମୁଖ ଶକ୍ତିପୀଠ ଅଟେ ।

ଅମ୍ବିକା ମହାନ୍ତି ଏବଂ ଅନ୍ୟ ଦୁଇଜଣଙ୍କ ଦ୍ୱାରା ଆବେଦନ ଦାଖଲ କରାଯାଇଥିଲା । ଆବେଦନର ଶୁଣାଣି କରି ଜଷ୍ଟିସ୍ ଏସ୍.କେ.ପାଣିଗ୍ରାହୀ ଏବଂ ଜଷ୍ଟିସ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ, ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାର ଓ ଦେବୋତ୍ତର କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କଟକର ଦେବୋତ୍ତର କମିଶନର ଏବଂ ସହକାରୀ ଦେବୋତ୍ତର କମିଶନରଙ୍କ ଦ୍ୱାରା ଏହି ବକେୟା ଅର୍ଥ ନଦେବା ଘଟଣାର ମିଳିତ ତଦନ୍ତ ପାଇଁ ଆବେଦନକାରୀମାନେ ଅନୁରୋଧ କରିଛନ୍ତି ।

ଏହା ସହିତ ୬ ଜଣ ନିଲାମଧାରୀଙ୍କଠାରୁ ବକେୟା ଅର୍ଥ ଆଦାୟ କରିବା ପାଇଁ ଉଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଦାବି କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶୁଭ୍ରାଂଶୁ ଭୂଷଣ ମହାନ୍ତି ମାମଲା ପରିଚାଳନା କରୁଥିଲେ ।

ଅଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୭ ତାରିଖକୁ ଧାର୍ଯ୍ୟ କରିଛନ୍ତି । ୨୦୧୯-୨୦, ୨୦୨୩-୨୪ ଏବଂ ୨୦୨୪-୨୫ ବର୍ଷ ପାଇଁ ନିଲାମ ହୋଇଥିବା ଭୋଗ ଓ ଦୀପ ଦୋକାନ ସମ୍ପର୍କିତ ବକେୟା ପୈଠ ନହେବା ନେଇ ଦେବୋତ୍ତର କମିଶନର ଏବଂ କଟକର ସହକାରୀ ଦେବୋତ୍ତର କମିଶନରଙ୍କ ଦ୍ୱାରା ମିଳିତ ତଦନ୍ତ ପାଇଁ ନିବେଦନ କରାଯାଇଛି । ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି, "ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ କରିବା ନିର୍ଦ୍ଦେଶ ସହ ରାଜ୍ୟ ସରକାର ଏବଂ ଦେବୋତ୍ତର କମିଶନରଙ୍କୁ ନୋଟିସ୍ ଜାରି କରାଯାଉ ।"

ଆବେଦନ ଅନୁଯାୟୀ, ମା' ଶାରଳା ମନ୍ଦିରର ନିର୍ବାହୀ ଅଧିକାରୀ ଭୋଗ ଏବଂ ଦୀପ ବିକ୍ରି ପାଇଁ ମନ୍ଦିର ପରିସର ମଧ୍ୟରେ ତିନି ବର୍ଷ ପାଇଁ ଦୋକାନଗୁଡ଼ିକର ନିଲାମ କରିଥିଲେ । ପରବର୍ତ୍ତୀ ସମୟରେ ୬ ଜଣ ସର୍ବାଧିକ ନିଲାମ ଡାକିଥିବା ଲୋକଙ୍କୁ ଦୋକାନ ହସ୍ତାନ୍ତର କରାଯାଇଥିଲା, କିନ୍ତୁ ସେମାନେ ନିଲାମ ଅର୍ଥ ପ୍ରଦାନ କରିବାରେ ଖିଲାପ କରିଥିଲେ ।

ଆବେଦନକାରୀମାନେ ଦାବି କରିଛନ୍ତି ଯେ ନିଲାମଧାରୀଙ୍କ ନିକଟରେ ମୋଟ ୧ କୋଟିରୁ ଅଧିକ ଟଙ୍କା ବକେୟା ରହିଛି ଏବଂ ତାହା ଏପର୍ଯ୍ୟନ୍ତ ଆଦାୟ କରାଯାଇନାହିଁ । ଏହି ଆବେଦନରେ ବକେୟାର ବିବରଣୀ ଦିଆଯାଇ ଦର୍ଶାଯାଇଛି ଯେ ଜଣେ ନିଲାମଧାରୀଙ୍କ ନିକଟରେ ୩୫ ଲକ୍ଷ ଟଙ୍କା ବକେୟା ଥିବା ବେଳେ ଅନ୍ୟ ଜଣଙ୍କ ନିକଟରେ ୨୩.୬୦ ଲକ୍ଷ ଟଙ୍କା ବକେୟା ରହିଛି । ସେହିପରି ଅନ୍ୟ ଦୁଇଜଣ ଯଥାକ୍ରମେ ୨୦.୯୯ ଲକ୍ଷ ଟଙ୍କା ଏବଂ ୧୯.୪୨ ଲକ୍ଷ ଟଙ୍କା ପୈଠ କରିନାହାନ୍ତି ।