ଭର୍ଜିନିଆ: ଲଟେରୀ ଜିତିବା ବାସ୍ତବିକ୍ ଖୁସିର କଥା। ଲୋକେ ଜିତିଲେ ବେଶ୍ ଆଡମ୍ବରରେ ଏହାକୁ ସ୍ୱାଗତ କରିଥାନ୍ତି। ହେଲେ ଆମେରିକା ଭର୍ଜିନିଆରେ ଏହାର ଓଲଟା କଥା ଦେଖାଯାଇଛି। ଜନୈକା ମହିଳା ଲଞ୍ଚ ବ୍ରେକ୍ କାଳରେ ୨୦ ଡଲାରର ପ୍ଲାଟିନମ ୭ ଏସ୍ ସ୍କ୍ରାଚ୍ ଅଫ ଟିକେଟ୍ କିଣିଲେ। ସେହି ଲଟେରୀ ଟିକେଟ ଦୋକାନରେ ସେ ଏହାକୁ ସ୍କ୍ରାଚ ବି କଲେ ଓ ଦେଖିଲେ ସେ ଲଟେରୀରେ ସବୁଠୁ ବଡ଼ ପୁରସ୍କାର ଜିତିଛନ୍ତି। ହେଲେ ଚୁପଚାପ କ୍ୟାଣ୍ଟିନକୁ ଫେରି ଲଞ୍ଚ ପରେ ତାଙ୍କ କାମକୁ ଲେଉଟି ଯାଇଥିଲେ। ଲଟେରୀ ଜିତିବା ଖୁସିରେ ସେ ଭାବବିହ୍ୱଳ ହୋଇ ନଥିଲେ।

ସେ କାମକୁ ଫେରି ସ୍ୱଭାବିକ ସିଫ୍ଟ ଜାରି ରଖିଥିଲେ ଓ କାମ ସମାପ୍ତ ହେବା ପରେ ସେ ତାଙ୍କ ଲଟେରୀ କ୍ଲେମ କରିବା ସହ୯ ଲକ୍ଷ ୫୨ ହଜାର ଡଲାର ପୁରସ୍କାର ଚୟନ କରିଛନ୍ତି। ତେବେ ତାଙ୍କ ଟିକେଟ୍ ସ୍କ୍ରାଚ କରିବା ପରେ ସେ ଲଟେରୀର ସବୁଠୁ ବଡ଼ ପ୍ରାଇଜ ୨ ମିଲିୟନ ଡଲାର ଜିତିଥିବାର ଜାଣିବାକୁ ପାଇଥିଲେ। ଲଟେରୀ ଟିକେଟ୍ ର ପୁରସ୍କାର ନେବାକୁ ଆଗକୁ ଆସିବାରେ ତାଙ୍କୁ ଦୁଇଟି ବିକଳ୍ପ ଦିଆଯାଇଥିଲା। ସେ ବିଜ୍ଞାପିତ ୨୦ ଲକ୍ଷ ଡଲାର ୩୦ ବର୍ଷରେ ବାର୍ଷିକ କିସ୍ତିରେ ପାଇ ପାରିଥାନ୍ତେ। ନଚେତ କର ପୂର୍ବର ୯ଲକ୍ଷ ୫୨ ହଜାର ଡଲାର ସେ ନଗଦ ନେଇ ପାରିବେ। ତେବେ ସେ ଦ୍ୱିତୀୟ ବିକଳ୍ପ ବାଛିଛନ୍ତି। ଲଟେରୀ ଜିତିବାରେ ତାଙ୍କର ଆଚରଣ ଏବେ ବିଦେଶୀ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଲଟେରୀ ଜିତିଲେ କେହି କାମକୁ ଫେରି ଯାଏନି। ସେ ଏତେ ବିହ୍ୱଳିତ ହୋଇ ପଡନ୍ତି ଯେ ସବୁ କଥାକୁ ପଛରେ ପକାଇ ଦିଅନ୍ତି। ହେଲେ ଭର୍ଜିନିୟ ମହିଳାଙ୍କ କ୍ଷେତ୍ରରେ ତାହା ହୋଇ ନାହିଁ। ସେ ଲଟେରୀ ସ୍କ୍ରାଚ କରି ତାଙ୍କ ନମ୍ବର ମିଳାଇଥିଲେ ଓ ପ୍ରଥମ ପୁରସ୍କାର ପାଇଥିବା ସ୍ପଷ୍ଟ ହୋଇଥିଲେ। ଏହା ପରେ ସେ ଲଞ୍ଚ ନେଇଥିଲେ ଓ ସ୍ୱଭାବିକ ଭାବେ କାମକୁ ଫେରି ଯାଇଥିଲେ। ନିଜର ସିଫ୍ଟ ଶେଷ କରିବା ପରେ ଘରକୁ ଯେପରି ସାଧାରଣ ଦିନରେ ଫେରନ୍ତି ସେପରି ଫେରିଥିଲେ ଓ ପରେ ତାଙ୍କ ପୁରସ୍କାର ରାଶି ଦାବି କରିବାକୁ ପହଞ୍ଚିଥିଲେ।

ମହିଳାଙ୍କ ପରିଚୟ ସାର୍ବଜନିକ କରାଯାଇନି। ଭର୍ଜିନିଆ ଲଟେରୀ ନିୟମ ଅନୁସାରେ ବିଜେତାଙ୍କ ପରିଚୟ ଗୋପନ ରଖି ମଧ୍ୟ ତାଙ୍କୁ ପୁରସ୍କୃତ କରାଯାଇ ପାରିବ। ମହିଳା ତାଙ୍କ ନାମ ଓ ପରିଚୟ ଗୋପନ ରଖିବା ସର୍ତ୍ତ ରଖିଥିଲେ। ଯେହେତୁ ମହିଳା ନିଜକୁ ଗୋପନ ରଖିଛନ୍ତି ଏଣୁ ତାଙ୍କ ଲଟେରୀ ପଇସା ଉପଯୋଗ ସମ୍ପର୍କରେ ସେପରି କୌଣସି ସୂଚନା ସାମ୍ନାକୁ ଆସୁ ନାହିଁ। ସେହିପରି ଆଉ ଗୋଟିଏ କଥା ହେଉଛି ୨ ମିଲିୟନ ଲଟେରୀଜିତିବା ପରେ ସେ ଚାକିରି ଛାଡି ଦେଇଛନ୍ତି କି? ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ।