ଭୁବନେଶ୍ୱର: ନୂଆଦିଲ୍ଲୀ ଗସ୍ତ ଅବସରରେ ଶୁକ୍ରବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି। ରାଜ୍ୟପାଳଙ୍କ ଗସ୍ତର ଦ୍ୱିତୀୟ ଦିବସରେ ରାଷ୍ଟ୍ରପତି ଭବନରେ ଉଭୟଙ୍କ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ସାକ୍ଷାତକାର ସମୟରେ ଉଭୟଙ୍କ ମଧ୍ୟରେ ଓଡ଼ିଶାର ବିକାଶ, ପ୍ରଗତି ଏବଂ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଛି। ରାଜ୍ୟର ଜନସାଧାରଣଙ୍କ ହିତ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ସାମ୍ପ୍ରତିକ ସ୍ଥିତି ଉପରେ ରାଜ୍ୟପାଳ ଓ ରାଷ୍ଟ୍ରପତି ନିଜ ନିଜ ମଧ୍ୟରେ ମତ ବିନିମୟ କରିଥିଲେ।

ସୂଚନାଯୋଗ୍ୟ ଯେ, ଡ. କମ୍ଭମପାଟି ଏବେ ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦିଲ୍ଲୀ ଗସ୍ତରେ ଅଛନ୍ତି ଏବଂ ଏହି ଅବସରରେ ସେ ବହୁ ବରିଷ୍ଠ ନେତୃବୃନ୍ଦ ଓ ପଦାଧିକାରୀଙ୍କୁ ଭେଟୁଛନ୍ତି। ଏହା ପୂର୍ବରୁ ଗୁରୁବାର ଦିନ ସେ ମାନ୍ୟବର ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନଙ୍କୁ ସାକ୍ଷାତ କରି ଓଡ଼ିଶାର ସୁଶାସନ ଓ ବିକାଶମୂଳକ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ।