ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କୁ ସମ୍ପତ୍ତି ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ। ସୋମବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ଏହି ନିର୍ଦ୍ଦେଶନାମା ଅନୁସାରେ, ସବୁ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ । ଏମିତିକି ଏହି ସମ୍ପତ୍ତି ତାଲିକା ପଦୋନ୍ନତି ପାଇଁ ଜରୁରୀ ବୋଲି କୁହାଯାଇଥିବା ବେଳେ, ଜାନୁଆରୀ ୩୧ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି।

ରିପୋର୍ଟ ଅନୁସାରେ, ଗ୍ରୁପ Aରୁ ଆରମ୍ଭ କରି D ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ସମସ୍ତ ବିଭାଗ ଏବଂ ଜିଲ୍ଲପାଳ ଏବଂ ଆରଡିସିମାନଙ୍କୁ ଚିଠି ଲେଖି ଅବଗତ କରାଇଛି।

ସୂଚନାଯୋଗ୍ୟ, ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ (ସଂଶୋଧନ) ନିୟମ ୨୦୨୧ ଅନୁସାରେ, ସରକାରୀ କର୍ମଚାରୀଙ୍କୁ ପ୍ରତି ବାର୍ଷ ସେମାନଙ୍କର ସମ୍ପତ୍ତି ତାଲିକା ପ୍ରଦାନ କରିବାକୁ ହୋଇଥାଏ। ଏଥିରେ ପ୍ରତିବର୍ଷ ଜାନୁଆରୀ ୧ ସୁଦ୍ଧା ହୋଇଥିବା ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ସୂଚନା HRMS ପୋର୍ଟାଲ ମାଧ୍ୟମରେ ଭରିବାକୁ ପଡ଼ିଥାଏ। ଏମିତିରେ ଏଥର ମଧ୍ୟ ଏହି ତଥ୍ୟ ଦେବାକୁ ୨୦୨୬ ଜାନୁଆରୀ ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି।