ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ମଧ୍ୟରେ ନଦୀ ଜଳସ୍ତର ବୃଦ୍ଧି ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) । ଅକ୍ଟୋବର ୨୮ରୁ ୨୯ ତାରିଖ ମଧ୍ୟରେ ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ଇନ୍ଦ୍ରାବତୀ, ବଂଶଧାରା, ନାଗାବଳୀ, ସାବେରୀ, ଋଷିକୁଲ୍ୟା, ଦୟା ଓ ଭାର୍ଗବୀ ନଦୀର ତଳମୁଣ୍ଡ ଅଞ୍ଚଳରେ ଜଳସ୍ତର ବୃଦ୍ଧି ସହ ସ୍ୱାଭାବିକଠାରୁ ଅଧିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆୟୋଗ ଆକଳନ କରିଛି ।

ଏହି ସତର୍କତା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ସମେତ ଅନେକ ଜିଲ୍ଲା ପାଇଁ ଜାରି କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ନୂଆପଡ଼ା, ବଲାଙ୍ଗୀର ଓ ଝାରସୁଗୁଡ଼ା ସମେତ ୧୭ଟି ଜିଲ୍ଲା ପାଇଁ ଆକସ୍ମିକ ବନ୍ୟା ସମ୍ପର୍କିତ ସତର୍କତା ଜାରି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଜଳ ନିଷ୍କାସନ ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇପାରେ । ଏଥିପାଇଁ ସ୍ଥାନୀୟ ପ୍ରଶାସନକୁ ସ୍ଥିତି ଉପରେ ନିୟମିତ ନଜର ରଖିବାକୁ କୁହାଯାଇଛି ।

ଆୟୋଗର ତଥ୍ୟ ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ସୋରଡ଼ା ଓ ପୁରୁଷୋତ୍ତମପୁରଠାରେ ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଛି । ସେହିପରି ଗଜପତି ଜିଲ୍ଲାର ମହେନ୍ଦ୍ରଗଡ଼ଠାରେ ବଡ଼ଝୋର ଓ ମୋହନାଠାରେ ହରଭଙ୍ଗୀ ନଦୀର ଜଳସ୍ତର ବଢ଼ୁଥିବାବେଳେ କୋରାପୁଟ ଜିଲ୍ଲାର ସିରିମୋଡ଼ାଠାରେ କଳାବ ନଦୀର ଜଳସ୍ତର ମଧ୍ୟ ଊର୍ଦ୍ଧ୍ୱମୁଖୀ ରହିଛି ।

ଏହାସହ ବାଲିମେଳା, ଜଳାପୁଟ, ଅପର ଇନ୍ଦ୍ରାବତୀ, କୋଲାବ ଓ ରେଙ୍ଗାଳି ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଜଳ ପରିଚାଳନା କରିବାକୁ ଆୟୋଗ ପରାମର୍ଶ ଦେଇଛି, ଯାହାଦ୍ୱାରା ତଳମୁଣ୍ଡରେ ବନ୍ୟା ଓ ଉପରମୁଣ୍ଡରେ ଜଳବନ୍ଦୀ ସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ ।