ନୂଆଦିଲ୍ଲୀ: ଓଡ଼ିଶା ପୋଲିସ ତାର ପରବର୍ତ୍ତୀ ମୁଖିଆ କେବେ ପାଇବ ତାହା ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ହିଁ ଜଣାପଡ଼ିବ । କିନ୍ତୁ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏପରି କିଛି ଘଟିଥିଲା, ଯେଉଁଥି ପାଇଁ ଦେଶର ସଲିସିଟର ଜେନେରାଲଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିଛି । ସୁପ୍ରିମକୋର୍ଟରେ ଓଡ଼ିଶା ପୋଲିସ୍ ଡିଜି ନିଯୁକ୍ତି ମାମଲାରେ କ୍ରମାଗତ ତିନି ଦିନ ଶୁଣାଣି ହେବା ପରେ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୯କୁ ଧାର୍ଯ୍ୟ ହୋଇଛି । ଶୁଣାଣି ବେଳେ ଆବେଦନକାରୀ ଏବଂ ସରକାରୀ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ବି ଦେଖିବାକୁ ମିଳିଥିଲା । କିନ୍ତୁ ବୁଧବାର ଶୁଣାଣି ବେଳେ ଆମିକସକ୍ୟୁରୀ ରାଜୁ ରାମଚନ୍ଦ୍ରନଙ୍କ ସଂପର୍କରେ ଅଭିଯୋଗମୂଳକ ମନ୍ତବ୍ୟ ଦେଇଥିଲେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ । ଓଡ଼ିଶା ଏଜିଙ୍କ ମନ୍ତବ୍ୟ ପାଇଁ ଗୁରୁବାର ସୁପ୍ରିମକୋର୍ଟରେ ଭାରତର ସଲିସିଟର ଜେନେରାଲ ତଥା ଓଡ଼ିଶା ସରକାରଙ୍କ ପାଇଁ ମାମଲା ଲଢ଼ୁଥିବା ତୁଷାର ମେହେଟ୍ଟା କୋର୍ଟ ମିତ୍ର ରାଜୁ ଶ୍ରୀରାମଚନ୍ଦ୍ରନଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି । ଆମିକସକ୍ୟୁରୀ ଜଣେ ଉତ୍ତମ ତଥା ସମ୍ମାନସ୍ପଦ ବ୍ୟକ୍ତିତ୍ୱ ବୋଲି ସଲିସିଟର ଜେନେରାଲ୍ ମେହେଟ୍ଟା କହିବା ସହ ଓଡ଼ିଶା ଏଜି ଦେଇଥିବା ମନ୍ତବ୍ୟ ପାଇଁ କ୍ଷମାପ୍ରାର୍ଥନା କରିଥିଲେ ।

ଓଡ଼ିଶା ପୋଲିସ୍ ଡିଜି ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ ଏଜି ପୀତାମ୍ୱର ଆଚାର୍ଯ୍ୟ ଆମିକସକ୍ୟୁରୀ ରାଜୁ ରାମଚନ୍ଦ୍ରନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଆମିକସକ୍ୟୁରୀ ମାମଲାରେ ପକ୍ଷପାତିତା କରୁଛନ୍ତି । ଆମିକସକ୍ୟୁରୀ ସତେ ଯେମିତି ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି ବୋଲି ଏଜି ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଆମିକସକ୍ୟୁରୀ ରାଜୁ ରାମଚନ୍ଦ୍ରନ୍ ତୀବ୍ର ପ୍ରତିବାଦ କରିଥିଲେ । ଏଜିଙ୍କ ଏଭଳି ମନ୍ତବ୍ୟକୁ ସୁପ୍ରିମକୋର୍ଟ ମଧ୍ୟ ବିରୋଧ କରିଥିଲେ । ମାମଲାର ପୁନର୍ବାର ଶୁଣାଣିବେଳେ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏଜିଙ୍କ ମନ୍ତବ୍ୟ ପାଇଁ କ୍ଷମାପ୍ରାର୍ଥନା କରିଥିଲେ ।

Also Read: ଡିଜିପି ନିଯୁକ୍ତି ମାମଲା: ୧ ଘଣ୍ଟା ୪୦ ମିନିଟ୍ ଧରି SCରେ ଚାଲିଲା ଜୋରଦାର ବିତର୍କ, ମଙ୍ଗଳବାର ପରବର୍ତ୍ତୀ ଶୁଣାଣି

ସେପଟେ ଓଡିଶା ଡିଜିପି ଚୟନ ପ୍ରକ୍ରିୟା ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଅଡ଼ୁଆ ପରିସ୍ଥିତିରେ ପଡିଛନ୍ତି । ସୁପ୍ରିମକୋର୍ଟ ସ୍ପଷ୍ଟ କହିଛନ୍ତି ଯେ, ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ କାହିଁକି ପ୍ରତ୍ୟାହାର କରାଗଲା ଏବଂ ଡିଜିପି ପଦ ଲାଗି ୨ ଏକ୍ସ-କ୍ୟାଡର ପଦବି ସୃଷ୍ଟି ପଛରେ କ'ଣ କାରଣ ରହିଛି ତାହାକୁ ତନଖାଯିବ । ଓଡିଶା ସରକାର ଏକ୍ସ-କ୍ୟାଡର ପଦବି ସୃଷ୍ଟି ନେଇ ଜବାବ ଦେବା ଲାଗି ଆଉ କିଛି ଅଧିକ ସମୟ କୋର୍ଟକୁ ମାଗିଥିଲେ । ଫଳରେ ଶୁଣାଣି ଆସନ୍ତା ମଙ୍ଗଳବାର ସେପ୍ଟେମ୍ବର ୨୯କୁ ଧାର୍ଯ୍ୟ ହୋଇଛି ।