ଭୁବନେଶ୍ୱର ୨୮।୦୪ :  ୯୦ ବର୍ଷରେ ପାଦ ଥାପିଛି ଓଡ଼ିଆ ସିନେମା । ୧୯୩୬ ଏପ୍ରିଲ୍ ୨୮ରେ ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର ମୁକ୍ତିଲାଭ କରିଥିଲେ । ଏହି ଦିନ ହିସାବରେ ଆଜି ଓଡ଼ିଆ ଚଳଚ୍ଚିତ୍ର ଦିବସ ପାଳୁଛି। କିନ୍ତୁ ଦୁଃଖ ୯୦ ବର୍ଷରେ ଆମ ପାଖରେ ୯୦ଟି ସିନେମା ହଲ୍ ନାହିଁ । ପୂର୍ବରୁ କୁଆଡ଼େ ୩୦୦ ହଲ୍ ଥିଲା, ୧୯୯୯ ମହାବାତ୍ୟା ପରେ ଏହି ସଂଖ୍ୟା କମିଗଲା। ପୁଣି ୨୦୧୯ରେ ଆସିଲା କରୋନା । ହଲରେ ତାଲା ପକାଇ ବିବାହ ମଣ୍ଡପ ଆଉ ସପିଂ ମଲ୍ ଗଢ଼ା ଦେଲା। ଏସବୁ ଏବେ ଇତିହାସ ।

ଜଣେ ବିତରକଙ୍କ ମତରେ, ରାଜ୍ୟରେ ମୋଟ୍ ୫୪ଟି ହଲ୍ ରହିଛି। ସେହି ଅଭାବ ପାଇଁ ଆଜି ଗୋଟିଏ ଅନ୍ୟ ଭାଷାଭାଷୀ ସିନେମା ଆସିଲେ ଓଡ଼ିଆ ସିନେମା ହଲ୍‌ରୁ ଉଠିଯାଉଛି, ନଚେତ୍ ମୁକ୍ତିଲାଭ ପାଇଁ ତାରିଖ ଖୋଜୁଛି। ଏସବୁ ଭିତରେ ସବୁଠୁ ବଡ଼ ବିଡ଼ମ୍ବନା, ଯେଉଁଠି ଓଡ଼ିଆ ସିନେମାର ଅନ୍ତୁଡ଼ି ଜଳିଥିଲା, ଅର୍ଥାତ୍ ପୁରୀ ସହର ସେଠି ସିନେମା ହଲ୍‌ଟିଏ ନାହିଁ । ପୁରୀ ସହର ଛାଡ଼ନ୍ତୁ ସମଗ୍ର ଜିଲ୍ଲାରେ ବି ହଲ୍‌ଟିଏ ନାହିଁ । ବାକି ରାଜ୍ୟରେ ଯେତେ ସିଙ୍ଗଲ୍ ସ୍କ୍ରିନ୍ ଅଛି ଅଧାରୁ ଅଧିକ ଭାଙ୍ଗିରୁଜି ଗଲାଣି। ଅନେକ ସ୍ଥାନରେ ବିଭିନ୍ନ ଦୋକାନ, ବଜାର, ମଣ୍ଡପ, ମଲ୍ ଓ ଆପାର୍ଟମେଣ୍ଟ ଛିଡ଼ା ହେଲାଣି। ଆଉ କିଛି ସ୍ଥାନରେ ବଡ଼ ବଡ଼ କମ୍ପାନି ଆସି ଲିଜ୍ ସୂତ୍ରରେ ହଲ୍ ଖୋଲୁଛନ୍ତି। ଏଇ ଯେମିତି ଜଟଣୀ, ନୟାଗଡ଼, ସାଲେପୁର। ଯାହା ଆବଶ୍ୟକ ତୁଳନାରେ ଯଥେଷ୍ଟ ନୁହେଁ । ଏବେ କମ୍ପାନି ପରିଚାଳନା ଯୋଗୁ ଟିକଟ୍ ଦର ବି ଉଚ୍ଚା। ସାଧାରଣ ପରିବାରଟିଏ ଯଦି ମାସରେ ୨-୪ ଓଡ଼ିଆ ଓ ଅନ୍ୟ ଭାଷାଭାଷୀ ସିନେମା ଦେଖେ ତେବେ ମାସଟିଯାକ ଚଳିବା କଷ୍ଟକର । ସେଭିତରେ ଦର୍ଶକଙ୍କ ଅଭିଯୋଗ ଭଲ ଓଡ଼ିଆ ସିନେମା ନାହିଁ । ପ୍ରଯୋଜକଙ୍କ ଦାବି, ଆଉ ଖରାପ ସିନେମା ନାହିଁ ହେଲେ ହଲ୍ ମିଳୁନି । ଏମିତି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାର ନିରବ । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ସଂସ୍ଥା ଅଛି, ହେଲେ କେହି ଜାଣନ୍ତି ନାହିଁ । ବାକି କଳାକାର, ସଂଘ, ପ୍ରଯୋଜକ ସମସ୍ତେ ଚୁପ୍ । ବେଶି ଆଲୋଚନା ହେଲେ ଓଡ଼ିଆ ସିନେମାର ଏକମାତ୍ର ସମ୍ପତ୍ତି କଳିଙ୍ଗ ଷ୍ଟୁଡିଓର ନବୀକରଣ କାର୍ଯ୍ୟର ସମୀକ୍ଷା ଯାହା ୨୦୨୧ରୁ ଭେଣ୍ଟିଲେଟରରେ ଅଛି ।

ଆଗାମୀ ୧୦ ବର୍ଷ ପରେ ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ୧୦୦ ବର୍ଷ ପୂରିବ। ସେଥିପାଇଁ ଓଡ଼ିଶା ସରକାର ସମୃଦ୍ଧ ଓଡ଼ିଶାର ପରିକଳ୍ପନା କରି ଯୋଜନା ମୁତାବକ କାମ କରୁଛନ୍ତି। ସେହିକ୍ରମରେ ଓଡ଼ିଆ ସିନେମାକୁ ବି ୧୦୦ ବର୍ଷ ପୂରିବ, ହେଲେ ସମୃଦ୍ଧ ଓଡ଼ିଆ ସିନେମା ପାଇଁ କାହାରି ଚିନ୍ତା ନାହିଁ । ରାଜ୍ୟରେ ପ୍ରତିଟି କାର୍ଯ୍ୟ ପାଇଁ ନୀତି ନିୟମ ଅଛି। ମାତ୍ର ଏତେ ବର୍ଷର ଓଡ଼ିଆ ସିନେମା ପାଇଁ ସ୍ୱତନ୍ତ୍ର ନୀତିଟିଏ ନାହିଁ । ସରକାର ୨୦୧୯ ମାର୍ଚ୍ଚ ୨ରେ ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯’ ଆଣିଥିଲେ । ନୀତିଟି କାର୍ଯ୍ୟକାରୀ ହେବା ଆଗରୁ ୨୦୨୨ ମାର୍ଚ୍ଚ ୩୧ରେ ତା’ର ଅବଧି ସରିଗଲା । ସେ ବିଷୟରେ ବି କାହାରି ଚିନ୍ତା ନାହିଁ । ଏସବୁ ବୁଝିବାକୁ ସରକାର ଓଏଫ୍‌ଡିସି ପ୍ରତିଷ୍ଠା କରିଥିଲେ । ଏବେ ଅନୁଷ୍ଠାନଟି ସମ୍ପୂର୍ଣ୍ଣ ଅଚଳ । ଯୋଜନା କଲେ ବି କାର୍ଯ୍ୟକାରୀ କରିବାକୁ ଲୋକ ନାହାନ୍ତି । ଦୀର୍ଘଦିନ ହେଲା ମୁରବି ବିହୀନ ହୋଇପଡ଼ିଛି । ତେଣୁ ନୀତି ନାହିଁ କି ନେତା ନାହାନ୍ତି ଯିଏ ଓଡ଼ିଆ ସିନେମା ପାଇଁ ଲଢ଼ିବେ ।

Also Read:-ଛୁଉଁନି ଦାନାପାଣି, ଲାଗିଛି ସାଲାଇନ୍: କଳଙ୍କ ମୁଣ୍ଡାଇ କଙ୍କାଳ ସାଜିଛି, ଅନୁତାପରେ ଗୁମୁରି କାନ୍ଦୁଛି

ଓଡ଼ିଶା ରାଜନୀତିରେ ଅନେକ କଳାକାର ଥିଲେ, ଏବେ ବି ଅଛନ୍ତି । ହେଲେ ଓଡ଼ିଆ ସିନେମା ପାଇଁ କାହାର ଅନ୍ତର କାନ୍ଦେନି । କଥା ପଡ଼ିଲେ ଭାଷଣ... ମାଇକ୍ ଛାଡ଼ିବେନି । ଆଖି ତରାଟିଲା ଭଳି ଯୋଜନା, ଅସରନ୍ତି ପ୍ରତିଶ୍ରୁତି କିନ୍ତୁ କାମ ଶୂନ, ସଂଳାପ ପ୍ରବଳ । କହିବାକୁ ଗଲେ, ଓଡ଼ିଆ ସିନେମା ପାଇଁ ଆନ୍ତରିକତା ହିଁ ନାହିଁ । କାରଣ ଏଠି ଓଡ଼ିଆ ସିନେମା ଶିଳ୍ପ ବିଭାଗ ଅଧୀନରେ । ପୁରସ୍କାର ଆୟୋଜନ କରେ ସଂସ୍କୃତି ବିଭାଗ । ଏବେ ୨-୩ ବର୍ଷ ହେଲା ଓଏଫ୍ଡିସି ବୁଝୁଛି । ଆଶ୍ଚର୍ଯ୍ୟ, ସିନେମାକୁ ସଂସ୍କୃତି ବିଭାଗକୁ ଫେରାଇ ଆଣିବାକୁ ସଂସ୍କୃତି ଭବନରେ ଆଲୋଚନା ହେଉଛି ଅଥଚ ରାଜ୍ୟ ଚଳଚ୍ଚିତ୍ର ଅଭିଲେଖାଗାର ପାଇଁ ଚୁକ୍ତିନାମା କରୁଛି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ।

ବରିଷ୍ଠ ସିନେ ନିର୍ମାତା ପ୍ରଣବ ଦାସ କହିଛନ୍ତି, ନା ପୂର୍ବରୁ କିଛି ହେଉଥିଲା, ନା ଏବେ । ୯୦ ବର୍ଷରେ ୯୦ଟି ହଲ୍ ନାହିଁ କିନ୍ତୁ ରାଜ୍ୟରେ ୯୦ ଆସୋସିଏସନ୍ ଗଢ଼ା ହେଲାଣି । ଏଠି ସିନେମା ଅପେକ୍ଷା ନିଜେ ବଞ୍ଚିବା ଜରୁରି ହୋଇପଡ଼ିଛି । ଅନ୍ୟତମ ନିର୍ମାତା ସ୍ଥିତ ପଟ୍ଟନାୟକ କହିଛନ୍ତି, ଶହେ ଆସୋସିଏସନ୍ ଥିଲେ କ’ଣ ହେବ । ସରକାର କହୁଛନ୍ତି ଜଣେ ମୁରବି ସାଜି ଆସନ୍ତୁ । ଆମର ମୁରବି ନାହାନ୍ତି । ଓଏଫ୍‌ଡିସିରେ ଅଧ୍ୟକ୍ଷ ଭାବେ ବି ସରକାର କାହାକୁ ନିଯୁକ୍ତି ଦେଉନାହାନ୍ତି । ତେଣୁ ସରକାରଙ୍କୁ ସୁବିଧା ହେଉଛି । ନ ହେଲେ ରାଜ୍ୟରେ ସବୁ ଚର୍ଚ୍ଚା, ଆଲୋଚନା ହେଉଛି । ସିନେମା ଏତେ ବଡ଼ ଶିଳ୍ପ ଏଠି କୌଣସି କଥା ଘଟୁନି। ଏକରେ ସରକାର ଚାହୁଁନାହାନ୍ତି ନତୁବା ଇଚ୍ଛା ନାହିଁ । ବରିଷ୍ଠ ସିନେ ସାମ୍ବାଦିକ ଦିଲ୍ଲୀପ ହାଲି କହିଛନ୍ତି, ଓଡ଼ିଆ ସିନେମା ଶିଳ୍ପ ଚୁଲିକି ଗଲାଣି । ୨ ବର୍ଷ ପାଇଁ କଳିଙ୍ଗ ଷ୍ଟୁଡିଓକୁ ଘରୋଇ ସଂସ୍ଥାକୁ ଟେକିଦେଲେଣି । ବର୍ଷକୁ ୫୦ ସିନେମା ରିଲିଜ୍ ହେଲେ ଗୋଟିଏରୁ ଦୁଇଟି ହିଟ୍ । ପ୍ରଯୋଜକ କହୁଛନ୍ତି ଟଙ୍କା ନାହିଁ, ହଲ୍ ଓ ସବ୍‌ସିଡି ମିଳୁନି । ତା’ଭିତରେ ପୁଣି ଦୁନିଆ କଳି । ସଂଘ ଯେତିକି ଫାଟ ସେତିକି । ସତରେ କେହି ଏକାଠି ନାହାନ୍ତି କିନ୍ତୁ ମିଛରେ ସିନେମା ସିନେମା ହେଇ କାନ୍ଦୁଛନ୍ତି । ଏମିତି ଅଭିନୟ ପରଦାଠୁ ବି ବଳିଯିବ । ଏଠି କ’ଣ ହେଉ କି ନହେଉ, କେବଳ ସୋସିଆଲ୍ ମିଡିଆରେ ଭାଷଣ ଝାଡ଼ି ମୁହଁ ଦେଖାଇବା କଥା ।