ନୂଆଦିଲ୍ଲୀ: ଦେଶ ପାଇଁ ସୁନାମ ଆଣିଲେ ଓଡ଼ିଆ ପୁଅ। ଫିଲ୍ମ ନିର୍ମାତା ସୌମ୍ୟଜ୍ୟୋତି ପ୍ରତିହାରୀଙ୍କ ଦ୍ୱାରା ବର୍ଷିଆନ ଓଡ଼ିଆ କଳାକାର ଏବଂ ଲେଖକ ପ୍ରଫୁଲ୍ଲ ମହାନ୍ତିଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ୟୁକେ ଏସୀୟ ଚଳଚ୍ଚିତ୍ର ମହୋତ୍ସବରେ ବେଷ୍ଟ୍ LGBTQIA+ ଫିଲ୍ମ ପାଇଁ ଟଙ୍ଗସ୍ ଅନ୍ ଫାୟାର ଫ୍ଲେମ୍ ପୁରସ୍କାର ଜିତିଛି। ମେ ୬ ତାରିଖରେ ଲଣ୍ଡନର ରିଭରସାଇଡ୍ ଷ୍ଟୁଡିଓରେ ଡକ୍ୟୁମେଣ୍ଟାରୀ – ‘ଶୂନ୍ୟ: ବିଙ୍ଗ୍ ପ୍ରଫୁଲ୍ଲ ମହାନ୍ତି’ ଓ୍ୱାର୍ଲ୍ଡ ପ୍ରିମିୟର ହେବାର କିଛି ଦିନ ପରେ ଏହି ପୁରସ୍କାର ଦିଆଯାଇଛି।

'ଶୂନ୍ୟ, ବିଙ୍ଗ ପ୍ରଫୁଲ୍ଲ ମହାନ୍ତି'। ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଚିତ୍ରଶିଳ୍ପୀ ତଥା ବିଶିଷ୍ଟ ଲେଖକ ପ୍ରଫୁଲ୍ଲ ମହାନ୍ତିଙ୍କ ସଂଘର୍ଷମୟ ଜୀବନ ଓ ଅସାଧାରଣ କୃତିତ୍ୱକୁ ନେଇ ପ୍ରସ୍ତୁତ ଏକ ପ୍ରମାଣିକ ଚଳଚ୍ଚିତ୍ର । ଇଂଲଣ୍ଡରେ ଆୟୋଜିତ ୟୁକେ ଏସୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପୁରସ୍କାର ଲାଭ କରିଛି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନାନପୁର ଗ୍ରାମରେ ଜନ୍ମିତ ପ୍ରଫୁଲ୍ଲ ୬୬ ବର୍ଷ ଧରି ଲଣ୍ଡନରେ ରହୁଥିଲେ ମଧ୍ୟ ଓଡ଼ିଶାର ଗ୍ରାମୀଣ ଜନଜୀବନ, କଳା ସଂସ୍କୃତି ଓ ପରମ୍ପରାକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ୯୨ବର୍ଷ ବୟସ୍କ ଏହି ଲେଖକଙ୍କୁ ଅନ୍ତର୍ଜାତୀକ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ‘ଟଙ୍ଗସ ଅନ ଫାୟାର ଫ୍ଲେମ’ ଆୱାର୍ଡ ପ୍ରଦାନ କରାଯାଇଛି।

ଏହି ଚଳଚ୍ଚିତ୍ରଟି ୯୧ ବର୍ଷୀୟ ପ୍ରଫୁଲ୍ଲ ମହାନ୍ତିଙ୍କ ମହାନ ଯାତ୍ରାର ଚିତ୍ରଣ କରାଯାଇଛି। ଯିଏ ଜଣେ କଳାକାର, ଲେଖକ, ସ୍ଥପତି ଏବଂ ସଂସ୍କୃତି ଚିନ୍ତକ ଥିଲେ। ଯାହାଙ୍କ କାର୍ଯ୍ୟ ଅନେକ ଦଶନ୍ଧି ଧରି ପରିଚୟ, ପ୍ରବାସ, ଆଧ୍ୟାତ୍ମିକତା ଏବଂ ମାନବ ସମ୍ପର୍କର ବିଷୟବସ୍ତୁ ଉପରେ ଅନୁସନ୍ଧାନ କରିଛି। ଲଣ୍ଡନ ବିଶ୍ୱବିଦ୍ୟାଳୟର ଗୋଲ୍ଡସ୍ମିଥସର ପୂର୍ବତନ ଛାତ୍ର ପ୍ରତିହାରୀ ପ୍ରଫୁଲ୍ଲ ମହାନ୍ତିଙ୍କ ସହ ପ୍ରାୟ ପାଞ୍ଚ ବର୍ଷ ଧରି ନିବିଡ଼ ଭାବରେ କାମ କରି ଡକ୍ୟୁମେଣ୍ଟାରୀକୁ ସଫଳ କରାଇଥିଲେ।

ଏହି ସମ୍ମାନକୁ ନେଇ ପ୍ରତିହାରୀ କହିଛନ୍ତି, "ମୁଁ ଗତ କିଛି ବର୍ଷ ଧରି ଜଣେ ଦର୍ଶକ ଭାବରେ UKAFF ପରିଦର୍ଶନ କରିଆସୁଛି। ଏହି ଚଳଚ୍ଚିତ୍ରଟି ସାତ ବର୍ଷ ଧରି ନିଜ ହାତରେ କରିଛି। ମୁଁ ଏହି ପୁରସ୍କାର ପାଇ ନିଜକୁ ଗୌରବାନ୍ୱିତ ଏବଂ ସମ୍ମାନିତ ମନେ କରୁଛି। ଏହି ଡକ୍ୟୁମେଣ୍ଟାରୀରେ ମହାନ୍ତିଙ୍କ ଓଡ଼ିଶାର ଏକ ଗ୍ରାମରୁ ମୁମ୍ବାଇର ଜେଜେ ସ୍କୁଲ ଅଫ୍ ଆର୍ଟ ଏବଂ ପରେ ଇଂଲଣ୍ଡ ଯାତ୍ରାର କଥା ରହିଛି। ଯେଉଁଠାରେ ସେ ଚିତ୍ରକଳା ଏବଂ ସାହିତ୍ୟରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିବା ପୂର୍ବରୁ ଜଣେ ସ୍ଥପତି ଭାବରେ କାର୍ଯ୍ୟ କରିଥିଲେ। ସେହିପରି ପ୍ରଯୋଜକ ପ୍ରଦୀପ୍ତା ଦାସ କହିଛନ୍ତି, ୟୁକେ ଏସୀୟ ଚଳଚ୍ଚିତ୍ର ମହୋତ୍ସବ ଦ୍ୱାରା ଚଳଚ୍ଚିତ୍ରଟି ସ୍ୱୀକୃତି ଏବଂ ପୁରସ୍କୃତ ହେବା କେତେ ଖୁସିର କଥା। ଆମେ କୃତଜ୍ଞ।"

ସେହିପରି ବ୍ରିଟେନକୁ ଯିବା ପରେ ପ୍ରଫୁଲ୍ଲ ମହାନ୍ତି କିପରି ଜାତିଭେଦର ସମ୍ମୁଖୀନ ହୋଇଥିଲେ ତାହା ମଧ୍ୟ ଡକ୍ୟୁମେଣ୍ଟାରୀରେ ଦେଖାଯାଇଛି। ଲଣ୍ଡନରେ ଏକ ହିଂସାତ୍ମକ ଜାତିଭେଦ ଆକ୍ରମଣକୁ ଏକ ମୋଡ଼ ଭାବରେ ଚିତ୍ରଣ କରାଯାଇଛି। ତାଙ୍କ ସ୍ୱର୍ଗତ ସାଥୀ ଡେରେକ୍ ମୁର୍ ସହିତ ପ୍ରଫୁଲ୍ଲ ମହାନ୍ତିଙ୍କ କଳା, ନୃତ୍ୟ ଏବଂ କାହାଣୀ ମାଧ୍ୟମରେ ତାଙ୍କ ଜନ୍ମଭୂମି ଗାଁର ପିଲା ଏବଂ ମହିଳାଙ୍କ ମଧ୍ୟରେ ସୃଜନଶୀଳତାକୁ ଉତ୍ସାହିତ କରିବା ପାଇଁ ମଧ୍ୟ କାମ କରିଥିଲେ। ବାର୍ଦ୍ଧକ୍ୟ ଏବଂ ଅସୁସ୍ଥତା ସତ୍ତ୍ୱେ ତାଙ୍କର ଲକ୍ଷ୍ୟରୁ କେବେ ବିଚ୍ୟୁତ ହୋଇନଥିଲେ। ଅଭିଲେଖାଗାର ଫୁଟେଜ୍, ସାକ୍ଷାତକାରକୁ ମିଶ୍ରଣ କରି, ଏହି ଡକ୍ୟୁମେଣ୍ଟାରୀଟି ନିର୍ମାଣ କରାଯାଇଛି।