ଭୁବନେଶ୍ବର: ବହୁଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ OAS ଭୀମସେନ ଟୁଡୁଙ୍କ ରିମାଣ୍ଡକୁ ମିଳିଲା ଅନୁମତି। ସୋମବାର OAS ଭୀମସେନ ଟୁଡୁଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି JMFC-2 କୋର୍ଟ । ରିମାଣ୍ଡ ମିଳିବା ପରେ ଏବେ ଭୀମସେନକୁ ଅଧିକ ପଚରାଉଚରା କରିବ କମିଶନରେଟ ପୋଲିସ। ଗତ ଜୁନ୍ ୧୨ ତାରିଖ ଦିନ ଭୀମସେନଙ୍କୁ ମୟୂରଭଞ୍ଜରୁ ଗିରଫ କରିଥିଲା ପୋଲିସ।

ସୂଚନାଥାଉକି, ଚଳିତ ମାସ ୪ ତାରିଖରେ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିଥିଲା। ହେଲେ ପ୍ରେମ ବ୍ୟାପାରକୁ ନେଇ ପୁରୁଷବନ୍ଧୁ ଭୀମସେନ ଜଣେ ଯୁବତୀଙ୍କ ସହ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଚନ୍ଦ୍ରିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ମାମଲାର ତଦନ୍ତ ବେଳେ ପୋଲିସ, ଚନ୍ଦ୍ରିକାଙ୍କ ପୁରୁଷବନ୍ଧୁ ଓ ଚନ୍ଦ୍ରିକାଙ୍କ ମା’ଙ୍କ ମଧ୍ୟରେ କଥାବାର୍ତ୍ତାର ଫୋନ କଲ ଅଡିଓ ପାଇଥିଲା।

Also Read: Chandrika Death Case: କେମିତି ଥିଲା ଚନ୍ଦ୍ରିକା-ଭୀମସେନଙ୍କ ସମ୍ପର୍କ, ଆଉ ଜଣଙ୍କ ଏଣ୍ଟ୍ରିକୁ ନେଇ ଖୋଳତାଡ଼

ପରିବାର ଲୋକେ ଅଭିଯୋଗ କରିଥିଲେ, ଚନ୍ଦ୍ରିକାଙ୍କ ସହ ଦୀର୍ଘ ଦିନର ପ୍ରେମ ସମ୍ପର୍କ ଭିତରେ ଦ୍ୱିତୀୟ ଯୁବତୀ ଆସିବା ପରେ ଓଏଏସ୍ ତାଲିମ ନେଉଥିବା ପୁରୁଷବନ୍ଧୁ ଭୀମସେନ ମାନସିକ ନିର୍ଯାତନା ଦେଇ ଚନ୍ଦ୍ରିକାଙ୍କୁ ଚାପରେ ରଖିବା ଆରମ୍ଭ କରିଥିଲେ । ଚନ୍ଦ୍ରିକା ଗୋରା ନ ଥିବାରୁ ତାଙ୍କୁ ବାହା ହେବାକୁ ରାଜି ହେଉ ନ ଥିଲେ ପୁରୁଷବନ୍ଧୁ । ଗୋରା ହେବାକୁ କସମେଟିକ ଟ୍ରିଟମେଣ୍ଟ ନେବା ପାଇଁ ଚନ୍ଦ୍ରିକା ସପ୍ତାହରେ ଥରେ ଭୁବନେଶ୍ବର ଆସି ଇଞ୍ଜେକଶନ ନେଉଥିଲେ । ଗୋରା ହେବା ପରେ ତାଙ୍କ ପୁରୁଷବନ୍ଧୁ ବିବାହ ପାଇଁ ରାଜି ହୋଇଯିବେ ବୋଲି ସେ ଭାବୁଥିବା ଚନ୍ଦ୍ରିକାଙ୍କ ମା’ ହିରାମଣି ପୋଲିସକୁ କହିଥିଲେ । ତେବେ ପୋଲିସ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ମଧ୍ୟ ଗଠନ ହୋଇଥିଲା।