ନୂଆଦିଲ୍ଲୀ: ଦେଶରେ କୋଟିପତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆୟକର ରିଟର୍ଣ୍ଣରେ ₹୧୦୦ କୋଟି କିମ୍ବା ତା’ଠାରୁ ଅଧିକ ମୋଟ ଆୟ (Gross Total Income) ଘୋଷଣା କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ଆସେସମେଣ୍ଟ ବର୍ଷ ୨୦୨୫-୨୬ରେ ୫୬୭କୁ ବୃଦ୍ଧି ପାଇଛି। ୨୦୨୧-୨୨ରେ ଏହି ସଂଖ୍ୟା ମାତ୍ର ୧୪୨ ଥିଲା। ସୋମବାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ “ବିଲିଅନେୟର” ଶବ୍ଦର କୌଣସି ଆଇନଗତ ପରିଭାଷା ନାହିଁ। ଆୟକର ଆଇନ, ୨୦୨୫ କିମ୍ବା ପୂର୍ବତନ ଆୟକର ଆଇନ, ୧୯୬୧ରେ ମଧ୍ୟ ଏହି ଶବ୍ଦର କୌଣସି ନିର୍ଦ୍ଦିଷ୍ଟ ପରିଭାଷା ନାହିଁ।

₹୧୦୦ କୋଟିରୁ ଅଧିକ ଆୟକାରୀଙ୍କ ସଂଖ୍ୟାରେ ବୃଦ୍ଧି

ସରକାରୀ ତଥ୍ୟ ଅନୁସାରେ କେଉଁ ଆର୍ଥିକ ବର୍ଷରେ କେତେ କୋଟିପତିଙ୍କ ଥିଲେ ଜାଣନ୍ତୁ।

୨୦୨୧-୨୨ ଆସେସମେଣ୍ଟ ବର୍ଷ ୧୪୨ ଜଣ
୨୦୨୨-୨୩: ୩୦୧ ଜଣ
୨୦୨୩-୨୪: ୨୮ ଜଣ
୨୦୨୪-୨୫: ୪୧୫ ଜଣ
୨୦୨୫-୨୬: ୫୭୬ ଜଣ

ଅର୍ଥାତ୍ ଗତ କିଛି ବର୍ଷରେ ₹୧୦୦ କୋଟିରୁ ଅଧିକ ଆୟ ଘୋଷଣା କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଚାରି ଗୁଣରୁ ଅଧିକ ବଢ଼ିଛି। ତେବେ ଧନୀ ବ୍ୟକ୍ତିଙ୍କର ମୋଟ ସମ୍ପତ୍ତି କେତେ ଅଛି ଏହାର ହିସାବ ସରକାରଙ୍କ ପାଖରେ ନାହିଁ। ଭାରତୀୟ ବିଲିଅନେୟରମାନଙ୍କ ମୋଟ ସମ୍ପତ୍ତି ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ସରକାର କହିଛନ୍ତି ଯେ ୨୦୧୬ ଏପ୍ରିଲ ୧ରୁ ୱେଲ୍ଥ ଟ୍ୟାକ୍ସ ଆକ୍ଟ, ୧୯୫୭କୁ ଉଚ୍ଛେଦ କରାଯାଇଛି। ତେଣୁ କରଦାତାଙ୍କ ମୋଟ ସମ୍ପତ୍ତି ସମ୍ପର୍କିତ ତଥ୍ୟ ସରକାର ପାଖରେ ଉପଲବ୍ଧ ନାହିଁ।

ଆୟ ଓ ସମ୍ପତ୍ତିର ବଢ଼ୁଥିବା ଭିଡ଼ ଭିତରେ ଦେଶରେ ଆର୍ଥିକ ବୈଷମ୍ୟତା, ନିବେଶ, ନିଯୁକ୍ତି ଓ ସମାବେଶୀ ବିକାଶ ଉପରେ ସରକାର ସିଧା ସଳଖ କୌଣସି ତଥ୍ୟ ନ ଦେଇ ବିଭିନ୍ନ ସରକାରୀ ତାଲିକା ପ୍ରଦାନ କରିଥିଲେ। ୨୦୨୩-୨୪ ଘରୋଇ ବ୍ୟୟ ସର୍ଭେ ଅନୁସାରେ, ଗ୍ରାମୀଣ ଅଞ୍ଚଳର Gini coefficient ୦.୨୬୬ରୁ କମି ୦.୨୩୭ ହୋଇଛି। ସେହିପରି ସହରାଞ୍ଚଳରେ ଏହା ୦.୩୧୪ରୁ କମି ୦.୨୮୪ ହୋଇଛି। ଏହା ଗାଁ-ସହର ଆୟ ବ୍ୟବଧାନ କମୁଥିବା ସୂଚନା ଦେଉଛି ବୋଲି ସରକାର କହିଛି।

ବେକାରି ହାରରେ ହ୍ରାସ କମିଛି ଦାରିଦ୍ର୍ୟ

ବାର୍ଷିକ ସାମୟିକ ଶ୍ରମଶକ୍ତି ସର୍ଭେ (Annual Periodic Labour Force Survey) ଅନୁସାରେ, କୋଭିଡ୍ ପୂର୍ବ ସ୍ତର ଠାରୁ ଶ୍ରମ ବଜାରରେ ସୁଧାର ଆସିଛି। ୧୫ ବର୍ଷ ଓ ତା’ଠାରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ବେକାରି ହାର ୨୦୨୨ରେ ୩.୬ ପ୍ରତିଶତ ଥିବା ବେଳେ ୨୦୨୫ରେ ଏହା ୩.୧ ପ୍ରତିଶତକୁ ହ୍ରାସ ପାଇଛି। ନୀତି ଆୟୋଗର National Multidimensional Poverty Index ରିପୋର୍ଟ ଅନୁସାରେ, ୨୦୧୫-୧୭ରୁ ୨୦୧୯-୨୧ ମଧ୍ୟରେ ବହୁମୁଖୀ ଦାରିଦ୍ର୍ୟ ହାର ୨୪.85 ପ୍ରତିଶତରୁ କମି ୧୪.୯୬ ପ୍ରତିଶତ ହୋଇଛି। ଏହି ସମୟରେ ପ୍ରାୟ ୧୩.୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରିଥିବା ଦାବି କରାଯାଇଛି। ନୀତି ଆୟୋଗର ଅନ୍ୟ ଏକ ରିପୋର୍ଟ ଅନୁସାରେ, ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ବହୁମୁଖୀ ଦାରିଦ୍ର୍ୟ ୨୯.୧୭ ପ୍ରତିଶତରୁ କମି ୧୧.୨୮ ପ୍ରତିଶତ ହୋଇଛି।

ବୈଷମ୍ୟ କମାଇବା ପାଇଁ ସରକାରଙ୍କ ପଦକ୍ଷେପ

ଲୋକସଭାରେ ଉତ୍ତର ଦେଇ ସରକାର କହିଛନ୍ତି, ଆୟ ଓ ସମ୍ପତ୍ତି ବୈଷମ୍ୟତା କମାଇବା, ରୋଜଗାର ବଢ଼ାଇବା ଓ ସମାବେଶୀ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏଥିରେ ପ୍ରଗତିଶୀଳ ଆୟକର ବ୍ୟବସ୍ଥା, ଅଧିକ ଆୟ ଉପରେ ଟ୍ୟାକ୍ସ, ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା, ଘର ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ସରକାରୀ ବ୍ୟୟ ବୃଦ୍ଧି ଆଦି ପଦକ୍ଷେପ ସାମିଲ ଅଛି। ରୋଜଗାର ସୃଷ୍ଟି ପାଇଁ ଆୟକର ଆଇନର ଧାରା ୧୪୬ ଅନୁସାରେ ଯୋଗ୍ୟ ସଂସ୍ଥାଗୁଡ଼ିକୁ ନୂଆ କର୍ମଚାରୀ ନିଯୁକ୍ତି ଉପରେ ଅତିରିକ୍ତ କର୍ମଚାରୀ ଖର୍ଚ୍ଚର ୩୦ ପ୍ରତିଶତ ଛାଡ଼ ଦିଆଯାଉଛି।

ଏହା ସହ ଷ୍ଟାର୍ଟଅପ୍, ସହକାରୀ ସଂସ୍ଥା, ଭିତ୍ତିଭୂମି ନିବେଶ ଓ ବିଭିନ୍ନ ଯୋଜନା ପାଇଁ କର ସୁବିଧା ଜାରି ରହିଛି। ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା PM-KISAN, ଜନଧନ ଯୋଜନା, ମୁଦ୍ରା ଯୋଜନା, ଷ୍ଟାଣ୍ଡ-ଅପ୍ ଇଣ୍ଡିଆ, ଆୟୁଷ୍ମାନ ଭାରତ, ଜଳ ଜୀବନ ମିଶନ ଓ ସ୍ୱଚ୍ଛ ଭାରତ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସମାବେଶୀ ବିକାଶ ଉପରେ ଗୁରୁତ୍ୱ ଦେଉଥିବା କହିଛି।