• ଏନଟିଏ ଅଧିକାରୀ କୌଣସି ଗୋଟିଏ ପ୍ରଶ୍ନର ବି ସିଧା ଉତ୍ତର ଦେଇ ପାରିନାହାନ୍ତି
  • ଏନଟିଏ ମହାନିର୍ଦ୍ଦେଶକ କହିଛନ୍ତି ଯେ ତାଙ୍କ ପ୍ରଣାଳୀରୁ ପେପର ଲିକ୍ ହୋଇ ନାହିଁ
  • ସିବିଆଇ ଯେଉଁ ପର୍ଯ୍ୟନ୍ତ କହିନାହାନ୍ତି ପେପର ଲିକ୍ ହୋଇଛି ସେ ପର୍ଯ୍ୟନ୍ତ ଆମେ ଏହାକୁ ଲିକ୍ ମାନିବୁ ନାହିଁ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ମେଡିକାଲ ଏଣ୍ଟ୍ରାନ୍ସ ଟେଷ୍ଟ ଏଗଜାମ (ଏନଇଇଟି) ପେପର ଲିକ୍ ହୋଇଛି କି ନା ସେ ନେଇ ଗୁରୁବାର ସଂସଦର ଏକ ବଡ଼ କମିଟି ଆଗରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ)ର ବରିଷ୍ଠ ଅଧିକାରୀମାନେ ହାଜର ହୋଇଥିଲେ। ସୁତ୍ର ଅନୁସାରେ କମିଟିରେ ବିରୋଧୀ ଦଳ ସଦସ୍ୟମାନେ ଏନଟିଏ ଅଧିକାରୀଙ୍କୁ ପ୍ରଶ୍ନବାଣରେ ଜର୍ଜରିତ କରିଥିଲେ। ହେଲେ ଏନଟିଏ ଅଧିକାରୀ କୌଣସି ଗୋଟିଏ ପ୍ରଶ୍ନର ବି ସିଧା ଉତ୍ତର ଦେଇ ପାରିନାହାନ୍ତି। ସଂସଦର ଏଜୁକେସନ କମିଟି ଗୁରୁବାର ଏନଟିଏର ବରିଷ୍ଠ ଅଧିକାରୀଙ୍କୁ ତଲବ କରିଥିଲେ।

ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ କମିଟିରେ ଅଧ୍ୟକ୍ଷତା କରିଥିବା ବେଳେ ଏନଟିଏ ପକ୍ଷରୁ ଅଧ୍ୟକ୍ଷ ପ୍ରଦୀପ କୁମାର ଯୋଶୀ ଓ ମହାନିର୍ଦ୍ଦେଶକ ଅଭିଷେକ ସିଂହ ଓ ଅନ୍ୟମାନେ ହାଜର ହୋଇଥିଲେ। ଏନଟିଏ ମହାନିର୍ଦ୍ଦେଶକ ଅଭିଷେକ ସିଂହ କମିଟି ଆଗରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ତାଙ୍କ ପ୍ରଣାଳୀରୁ ପେପର ଲିକ୍ ହୋଇ ନାହିଁ। ଅର୍ଥାତ ନିଟ୍-ୟୁଜି ପରୀକ୍ଷାରେ ପେପର ଲିକ୍ ଅଭିଯୋଗକୁ ଏନଟିଏ ସଫାସଫା ଅସ୍ୱୀକାର କରିଦେଇଛି। ଯଦି ପେପର ଲିକ୍ ନ ହୋଇଛି ତେବେ ଦ୍ୱିତୀୟବାର ପରୀକ୍ଷା ଆୟୋଜନ କାହିଁକି ହେଉଛି ବୋଲି ବିରୋଧୀ ଦଳ ସାଂସଦଙ୍କ ପ୍ରଶ୍ନର ଏନଟିଏ ଡିଜି କୌଣସି ଉତ୍ତର ଦେଇ ପାରିନାହାନ୍ତି।

ସେ କେବଳ କହିଛନ୍ତି ଏହି ମାମଲାର କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ) ଯାଞ୍ଚ ହେଉଛି। ଏଣୁ ସିବିଆଇ ଯେଉଁ ପର୍ଯ୍ୟନ୍ତ କହିନାହାନ୍ତି ପେପର ଲିକ୍ ହୋଇଛି ସେ ପର୍ଯ୍ୟନ୍ତ ଆମେ ଏହାକୁ ଲିକ୍ ମାନିବୁ ନାହିଁ। ତେବେ ଏନଟିଏ ଅଧିକାରୀମାନେ କହିଛନ୍ତି ଯେ ପରୀକ୍ଷାରେ କିଛି ତ୍ରୁଟି ସାମ୍ନାକୁ ଆସିଥିଲା ଏଣୁ ଛାତ୍ରଛାତ୍ରୀଙ୍କ ବିଶ୍ୱାସ କାୟମ ରଖିବାକୁ ଦ୍ୱିତୀୟବାର ପରୀକ୍ଷା କରାଯାଉଛି। ନିଟ-ୟୁଜି ୨୦୨୬ ପରୀକ୍ଷା ମେ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ହେଲେ କିଛି ଦିନ ପରେ ପେପର ଲିକ୍ ଅଭିଯୋଗ ହେବା ପରେ ଏନଟିଏ ପରୀକ୍ଷା ବାତିଲ କରିଦେଇଥିଲେ।

ହ୍ୱାଟସ୍ ଆପ୍ ଓ ଟେଲିଗ୍ରାମରେ ଭାଇରାଲ ପିଡିଏଫରୁ ମାମଲା ଆରମ୍ଭ ହେଲା ଓ ପରେ ସିବିଆଇ ତଦନ୍ତରେ ମହାରାଷ୍ଟ୍ରରୁ ରାଜସ୍ଥାନ ପର୍ଯ୍ୟନ୍ତ ବ୍ୟାପିଥିବା ନେଟୱାର୍କରୁ ପର୍ଦା ହଟିଲା। ଏବେ ଜୁନ ୨୧ ତାରିଖରେ ଦ୍ୱିତୀୟବାର ପରୀକ୍ଷା ହେବ। ମାମଲାର ସିବିଆଇ ଯାଞ୍ଚରୁ ଅନେକ କଥା ଜଣାପଡିଛି। ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଥିଲା ଯେ ପେପର ହାତରେ ଲେଖା ଯାଇଥିଲା। ରାଜସ୍ଥାନରେ ଜଣେ ପରୀକ୍ଷାର୍ଥୀଙ୍କ ପିତା ଦିନେଶ ବିୱାଲ ଏହାକୁ ସ୍କାନ କରି ପିଡିଏଫ କରିଥିଲେ ପରେ ଏହାକୁ କୋଚିଂ ନେଟୱାର୍କ ମାଧ୍ୟରେ ପ୍ରସାର କରାଯାଇଥିଲା। ସିବିଆଇ ଅନୁସାରେ ଏଥି ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ୨ରୁ ୫ ଲକ୍ଷ ଟଙ୍କା ଅସୁଲ କରାଯାଇଥିଲା। ମାମଲା ରାଜସ୍ଥାନ, ମହାରାଷ୍ଟ୍ର, ହରିୟାଣା ଓ କେରଳ ପର୍ଯ୍ୟନ୍ତ ବ୍ୟାପ୍ତ ନେଟୱାର୍କ ସହ ଯୋଡି ହୋଇଥିଲା ବୋଲି କୁହାଯାଉଛି।

Also Read..NIIT-UG ପେପର ଲିକ୍ ମାମଲାରେ ନୂଆ ମୋଡ଼, CBI ହାଜତରେ ଛାତ୍ରଙ୍କ ପିତା, ପୁଅ ପାଇଁ କିଣିଥିଲେ ପ୍ରଶ୍ନପତ୍ର