ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଚୀନ୍ ଗସ୍ତରେ ଯିବେ। ଅନୁମାନ କରାଯାଉଛି ସେ ସୋମବାର ଚୀନ୍ ରାଜଧାନୀ ବେଜିଂରେ ପହଞ୍ଚିବେ। ସେ ସୀମା ବିବାଦକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ସ୍ୱତନ୍ତ୍ର ପ୍ରତିନିଧିଙ୍କ ୨୫ତମ ପର୍ଯ୍ୟାୟ ଆଲୋଚନା ଲାଗି ନିଜ ଚୀନ୍ ସମକକ୍ଷ ୱାଙ୍ଗ ୟୀଙ୍କୁ ଭେଟିବେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଧିକାରୀକ ସୂତ୍ର କହିଛନ୍ତି ଯେ ଏହି ଆଲୋଚନା ମଙ୍ଗଳବାର ଅନୁଷ୍ଠିତ ହେବ। ତେବେ ଏହି କଥାବାର୍ତ୍ତା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଯାତ୍ରା ପୂର୍ବରୁ ହେବାକୁ ଯାଉଛି।

ସି ଜିନପିଙ୍ଗ ୧୨ ଓ ୧୩ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକସ୍ ଶିଖର ସମ୍ମିଳନୀ ଲାଗି ଭାରତ ଆସିବେ। ତେବେ ଏହି କାର୍ଯ୍ୟକ୍ରମରେ ଜିନପିଙ୍ଗ ସାମିଲ ହେବେ କି ନା ସେ ନେଇ ବେଜିଂ ଏ ପର୍ଯ୍ୟନ୍ତ ଅଧିକାରୀକ ପୁଷ୍ଟି କରି ନାହିଁ। ହେଲେ ଉଭୟ ପକ୍ଷର ଅଧିକାରୀ ଜିନପିଙ୍ଗ ଏହି ସମ୍ମିଳନୀରେ ସାମିଲ ହୋଇ ପାରନ୍ତି ବୋଲି ଆଶା କରୁଛନ୍ତି। ଏହାଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କ ବୈଠକର ରାସ୍ତା ଖୋଲି ପାରନ୍ତା, ଯେଉଁଥିରେ ଦ୍ୱିପକ୍ଷୀୟ ସମ୍ବଦ୍ଧକୁ ଆଗକୁ ବଢାଇବା ପାଇଁ ଉପାୟ ଉପରେ ଚର୍ଚ୍ଚା ହୋଇ ପାରନ୍ତା।

ତେବେ ଡୋଭାଲ ଓ ୱାଙ୍ଗ ୟି ସୀମାବାର୍ତ୍ତା ପ୍ରକ୍ରିୟା ଲାଗି ନିଯୁକ୍ତ ବିଶେଷ ପ୍ରତିନିଧି ଅଟନ୍ତି। ଏହି ପ୍ରକ୍ରିୟା ୨୦୦୩ ମସିହାରେ ଭାରତ-ଚୀନ ସୀମା ବିବାଦର ବ୍ୟାପକ ସମାଧାନ ଖୋଜିବା ପାଇଁ ଆରମ୍ଭ କରାଯାଇଥିଲା। ତେବେ ଏହି ପ୍ରକ୍ରିୟା ଯୋଗୁ ସୀମା ବିବାଦର ଏ ପର୍ଯନ୍ତ ସମ୍ପୂର୍ଣ୍ଣ ସମାଧାନ ହୋଇ ନାହିଁ। ତେବେ ଉଭୟପକ୍ଷର ଅଧିକାରୀ ଏହାକୁ ବାରମ୍ବାର ଉପୁଜୁଥିବା ଉତ୍ତେଜନାକୁ ସମ୍ଭାଳିବା ଓ ଦୁଇ ଦେଶଙ୍କ ମଧ୍ୟରେ ମତପାର୍ଥକ୍ୟ ଦୂର କରିବାରେ ଏକ ଉପଯୋଗୀ ମଞ୍ଚ ବୋଲି ମାନୁଛନ୍ତି।

ଡୋଭାଲ ଓ ୱାଙ୍ଗ ୟିଙ୍କ ପିଛିଲା ଭେଟ ଅଗଷ୍ଟ ୨୦୨୫ରେ ସାଂଘାଇ ସହଯୋଗ ଶିଖର ସମ୍ମିଳନୀ ପୂର୍ବରୁ ତିୟାନଜିନରେ ଅନୁଷ୍ଠିତ ହୋଇଥିଲା। ତେବେ ବେଜିଂରେ ହେବାକୁ ଯାଉଥିବା ଆଗାମୀ ବୈଠକ ପୂର୍ବରୁ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଶନିବାର ପୁଣି ଥରେ କହିଛନ୍ତି ଯେ ଭାରତ ଓ ଚୀନ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ସୀମାରେ ଶାନ୍ତି ଓ ସ୍ଥିରତା ଜରୁରି। ଏହା ପୂର୍ବରୁ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଚଳିତମାସ ପ୍ରାରମ୍ଭରେ କହିଥିଲେ ଯେ ଚୀନ ସହିତ ସୀମାବର୍ତ୍ତି ଅଞ୍ଚଳ ସମ୍ପର୍କିତ ପ୍ରସଙ୍ଗକୁ ଭାରତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରୁଛି। ସେ ଏ କଥା ଉପରେ ଗୁରୁତ୍ୱ ଦେଇଥିଲେ ଯେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଶାନ୍ତି ଓ ସ୍ଥିରତା କାୟମ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ ଯେ ସୀମା ପରିସ୍ଥିତି ଭାରତ-ଚୀନ ସମ୍ପର୍କର ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରିବ।

ପୂର୍ବରୁ ଅଋଣାଚଳ ପ୍ରଦେଶର ୨୭ଟି ସ୍ଥାନ ଓ ଭୌଗଳିକ ଜାଗାର ଅଧିକାରୀକ ନାମକରଣ ଲାଗି ଭାରତର ନିଷ୍ପତ୍ତି ଉପରେ ବେଜିଂର ସମାଲୋଚନାକୁ ନୂଆଦିଲ୍ଲୀ ଖାରଜ କରିଦେଇଥିଲା। ଭାରତର କହିବା କଥା ହେଉଛି ଏହି ରାଜ୍ୟ ଭାରତର ଅତୁଟ ଓ ଅଭିନ୍ନ ଅଂଶ ଏବଂ ଏହି ଅବିବାଦୀୟ ସତ୍ୟତାକୁ ବଦଳା ଯାଇ ପାରିବନି।