ରାଉରକେଲା ୨।୧୨: ରାଉରକେଲା ପୋଲିସ କବ୍ଜାରେ ପଡ଼ୁଛନ୍ତି ଜଣକ ପରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ଦୁର୍ଦ୍ଦାନ୍ତ ପେଶାଦାର ଅପରାଧୀ ସୁନିଲ ମାଝୀ ଗିରଫ ହୋଇଛି । ସୁନିଲ ଠାରୁ ଜବତ ହୋଇଛି ୩୫ଟି ଖଣ୍ଡା, ୫ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି । ସୁନିଲ ଝାଡ଼ଖଣ୍ଡ ସହ ବିହାରରୁ ଚୋରା ବନ୍ଧୁକ ସହ ଜୀବନ୍ତ ଗୁଳି ଆଣି ରାଉରକେଲା ଏବଂ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିକ୍ରି କରୁଥିଲା । ଗିରଫ ସୁନିଲ ମାଝୀ ଚୋରା ବନ୍ଧୁକ ସହ ଜୀବନ୍ତ ଗୁଳି ବିକ୍ରି ପଛରେ ଆଉ କେଉଁ ମାନଙ୍କ ସଂପୃକ୍ତି ଅଛି ତାକୁ ନେଇ ତଦନ୍ତ କରୁଛି ରାଉରକେଲା ପୋଲିସ ।

ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ମାଝୀ ଘର ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ତୂରୀ ଟୋଲା ହୋଇଥିବା ବେଳେ ଏବେ ସୁନିଲ ରହୁଥିଲା କୁଆଁରମୁଣ୍ଡା ଚଟିଆ ଟୋଲିରେ । ସୁନ୍ଦରଗଡ଼ ଜିଲ୍ଲା ପାଇଁ ସୁନିଲ ଥିଲା ମୋଷ୍ଟ ୱାଣ୍ଟେଡ । ସୁନିଲ ନାଁରେ ସୁନ୍ଦରଗଡ଼ ଜିଲ୍ଲାର ବ୍ରାହ୍ମଣୀ ତରଙ୍ଗ, ଚାନ୍ଦିପୋଷ, ଗୁରୁଣ୍ଡିଆ, କେ.ବଲାଙ୍ଗ ଥାନା ସହ ଅନେକ ଥାନାରେ ଲୁଟ୍, ରାହାଜାନୀ, ହତ୍ୟା ଉଦ୍ୟମ ସହ ହତ୍ୟା ପରି ମୋଟ୍ ୨୧ଟି ରହିଛି ସଙ୍ଗୀନ ମାମଲା । ୨୦୨୧ ମସିହାରେ ରାଉରକେଲା ବନ୍ଧମୁଣ୍ଡା ପୋଲିସ ସୁନିଲକୁ କରିଥିଲା ଏନକାଉଣ୍ଟର । ଗୋଡ଼ରେ ବାଜିଥିଲା ଗୁଳି । ଆଉ ଏବେ ପୁଣି ସୁନିଲ ମାଝୀ ପୋଲିସ କବଜାରେ ।

ସୁନିଲ ବିହାର ସହ ଝାଡ଼ଖଣ୍ଡର କେଉଁ ଅଞ୍ଚଳରୁ ଚୋରା ବନ୍ଧୁକ ସହ ଜୀବନ୍ତ ଗୁଳି ଆଣି ସୁନ୍ଦରଗଡ଼ ଜିଲ୍ଲାରେ କେଉଁ ମାନଙ୍କୁ ବିକ୍ରି କରୁଥିଲା । ସୁନିଲର କେଉଁମାନେ ଗ୍ରାହକ ଥିଲେ ଚୋରା ବନ୍ଧୁକ କାରବାର ପଛରେ କେଉଁ ମାନଙ୍କର ସଂପୃକ୍ତି ଅଛି ତାକୁ ନେଇ ରାଉରକେଲା ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ଅନ୍ୟପଟେ ଏହାରି ଭିତରେ ରାଉରକେଲା ପୂର୍ବରୁ ୬୦ ଜଣ ପେଶାଦାର ଅପରାଧୀଙ୍କୁ ଗିରଫ କରିଥିବା ବେଳେ ସୁନିଲ ମାଝୀ ଗିରଫ ପରେ ଏହା ୬୧ରେ ପହଞ୍ଚିଛି ।