ନୂଆଦିଲ୍ଲୀ: ଦିଲ୍ଲୀ ସମେତ ସମଗ୍ର ନୋଏଡା ସହରରେ ଗୁରୁବାର ସକାଳୁ ଭୟଙ୍କର ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଛି । ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ହଜାର ହଜାର ଗାଡ଼ି ଅଟକି ରହିଥିବା ବେଳେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୩ଟି ବଡ଼ କାରଣ ପାଇଁ ନୋଏଡାରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏକ୍ସପ୍ରେସୱେ, ଚିଲ୍ଲା ବର୍ଡର ଏବଂ ସେକ୍ଟର-୩୭ ଭଳି ପ୍ରମୁଖ ସ୍ଥାନରେ ଗାଡ଼ିଗୁଡ଼ିକ ଫସି ରହିଛନ୍ତି ।

ସୂଚନା ଅନୁସାରେ, ଗ୍ରେଟର ନୋଏଡାରେ ଆୟୋଜିତ ୟୁପି ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ଶୋ’ ପାଇଁ ସେପ୍ଟେମ୍ବର ୨୪ରୁ ୨୯ ପର୍ଯ୍ୟନ୍ତ ସ୍ବତନ୍ତ୍ର ଟ୍ରାଫିକ୍ ଡାଇଭର୍ସନ ଲାଗୁ କରାଯାଇଛି । ସକାଳ ୭ଟାରୁ ରାତି ୧୧ଟା ଯାଏଁ ଭାରୀ ଏବଂ ମାଲବାହୀ ଗାଡ଼ି ଉପରେ କଟକଣା ଲଗାଯିବା କାରଣରୁ ସାଧାରଣ ଗାଡ଼ି ଚଳାଚଳ ଉପରେ ଏହାର ପ୍ରଭାବ ପଡ଼ିଛି।

ସେହିଭଳି ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲରାଜ ମିଶ୍ରଙ୍କ ପତ୍ନୀଙ୍କ ନିଧନ ପରେ ସେକ୍ଟର-୫୧ ସ୍ଥିତ ତାଙ୍କ ବାସଭବନକୁ ଅନେକ ନେତା ଓ ଅଧିକାରୀଙ୍କ ଯାଆସ ଲାଗି ରହିଛି । ଫଳରେ ସୁରକ୍ଷା ଦୃଷ୍ଟିରୁ ସେକ୍ଟର-୩୭ ଏବଂ ଏଲିଭେଟେଡ୍ ରୋଡ୍ରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଥିଲା, ଯାହା ଜାମ୍‌କୁ ଆହୁରି ବଢ଼ାଇ ଦେଇଛି।

Also Read: ଯମୁନା ଏକ୍ସପ୍ରେସ ଓ୍ୱେ'ରେ ଭୟଙ୍କର ନିଆଁ : ଜଳିଗଲା ସ୍ଲିପର୍ ବସ, ୯ ମୃତ

ଅନ୍ୟପଟେ ଯମୁନା ଏକ୍ସପ୍ରେସୱେ ନିକଟରେ ହୋଇଥିବା ବସ୍ ଅଗ୍ନିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ପରେ ସେକ୍ଟର-୯୪ ସ୍ଥିତ ଶବ ବ୍ୟବଚ୍ଛେଦ ଗୃହ ନିକଟରେ ପ୍ରଶାସନିକ ଅଧିକାରୀ ଓ ଆମ୍ବୁଲାନ୍ସର ଭିଡ଼ ଜମିଛି। ଏହି କାରଣରୁ ଏହା ଆଖପାଖ ରାସ୍ତାରେ ଗାଡ଼ିର ଗତି ସମ୍ପୂର୍ଣ୍ଣ ଧୀମେଇ ଯାଇଛି । ଏମିତିରେ ଏହି ତିନି ବଡ଼ କାରଣ ଯୋଗୁ ଦିଲ୍ଲୀ ସମେତ ସମଗ୍ର ନୋଏଡା ସହରରେ ଟ୍ରାଫିକ୍ ସମସ୍ୟା ଗୁରୁତର ହୋଇପଡ଼ିଛି। ତେଣୁ ଜନସାଧାରଣଙ୍କୁ ଘରୁ ବାହାରିବା ପୂର୍ବରୁ ଟ୍ରାଫିକ୍ ଆଲର୍ଟ ଏବଂ ରୁଟ୍ ମ୍ୟାପ୍ ଦେଖିବାକୁ ଅନୁରୋଧ କରିଛି ସ୍ଥାନୀୟ ପୋଲିସ ।