ନୂଆଦିଲ୍ଲୀ: ମୋର ରାଜନୈତିକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ମୋ ସହ ଛିଡ଼ା ହୋଇଥିଲେ। ତେଣୁ ଆଜି ତାଙ୍କର ଖରାପ ପରିସ୍ଥିତିରେ ମୁଁ ତାଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଛି। ଏକଥା କହିଛନ୍ତି ଟିଏମ୍ସି ବରିଷ୍ଠ ସାଂସଦ ଶତ୍ରୁଘ୍ନ ସିହ୍ନା। କିଛିଦିନ ହେବ ମିଡିଆରେ ଖବର ପ୍ରକାଶ ପାଉଥିଲା ଯେ ଶତ୍ରୁଘ୍ନ ସିହ୍ନା ବିଦ୍ରୋହୀ ସାଂସଦଙ୍କ ଦଳରେ ସାମିଲ୍ ହୋଇଛନ୍ତି। ସେ ୧୯ ଜଣ ସାଂସଦଙ୍କ ସହ ବିରୋଧୀ ତାଲିକାରେ ଦସ୍ତଖତ କରିଛନ୍ତି।

ହେଲେ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହି ଖବରକୁ ଖଣ୍ଡନ କରିଛନ୍ତି ଶତ୍ରୁଘ୍ନ। ସେ କହିଛନ୍ତି ଯେ ବାନାର୍ଜୀ ଦୃଢ଼ ଜନସମର୍ଥନ ପାଇ ଚାଲିଛନ୍ତି। ଲୋକଙ୍କ ସମର୍ଥନ ତାଙ୍କ ସହିତ ଅଛି। ମୋର ତୃଣମୂଳ ଛାଡିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ଶତ୍ରୁଘ୍ନ।

ବିରୋଧୀ ଗୋଷ୍ଠୀର ଦାବିକୁ ଖଣ୍ଡ
ବିରୋଧୀ ଦଳର ବିଧାୟକମାନେ ଦାବି କରିଥିଲେ ଯେ ଯେଉଁ ୧୯ ବିଦ୍ରୋହୀ ସାଂସଦ ଲୋକସଭା ସ୍ପିକରଙ୍କୁ ଚିଠି ଲେଖି ବିଜେପି ନେତୃତ୍ୱାଧୀନ ଏନ୍ଡିଏରେ ମେଣ୍ଟ କରିବାକୁ ଅନୁରୋଧ କରିଥିଲେ, ସେମାନଙ୍କ ମଧ୍ୟରେ କୁଆଡ଼େ ଶତ୍ରୁଘ୍ନ ସିହ୍ନାଙ୍କ ନାଁ ଥିଲା। ସେ ଏହି ଲେଟରରେ ଦସ୍ତଖତ ବି କରିଥିଲେ। ହେଲେ ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ ନା ତାଙ୍କୁ କୌଣସି ବିଦ୍ରୋହୀ ସାଂସଦ ଏପରି କରିବାକୁ ବାଧ୍ୟ କରିଛନ୍ତି ନା ସେ କୌଣସି ଲେଟରରେ ଦସ୍ତଖତ କରିଛନ୍ତି।

Also Read- Congress Rejects TMC Merger Buzz: କଂଗ୍ରେସରେ ମିଶିଯିବ ଟିଏମସି ? ବେଣୁ ଗୋପାଳ କହିଲେ…

ସେ କହିଛନ୍ତି “ ମୁଁ ମମତାଙ୍କ ସହ ଥିଲି, ମମତା ବାନାର୍ଜୀଙ୍କ ସହ ଅଛି, ଏବଂ ମମତା ବାନାର୍ଜୀ ଓ ଟିଏମ୍ସି ସହିତ ରହିବି ମଧ୍ୟ।” ଏହା ତାଙ୍କର ୩ ଲାଇନ ହ୍ୱିପ୍, ଯେଉଁଥିରେ ସେ ସବୁବେଳେ ରହିବେ। ସେ ଆହୁରି କହିଛନ୍ତି ଯେ କିଛି ଲୋକ ମୋତେ ବିଦ୍ରୋହୀ ବୋଲି ଭାବୁଥିବେ। ସତ କହିବା ଯଦି ବିଦ୍ରୋହ ହୁଏ ତେବେ ମୁଁ ବିଦ୍ରୋହୀ। କିନ୍ତୁ ମୋ ନାଁ ଏହି ବିଦ୍ରୋହୀ ଗ୍ରୁପ୍ରେ ସାମିଲ୍ ହେବା ଉଚିତ୍ ନୁହେଁ। ମୁଁ କୌଣସି ଲେଟର ସାଇନ କରି ନାହିଁ, ନା ମୋତେ କେହି ଏନେଇ ପ୍ରବର୍ତ୍ତାଇଛନ୍ତି ବୋଲି କହିଛନ୍ତି ବିହାରୀ ବାବୁ।

ରାଜନୈତିକ କ୍ୟାରିୟରରେ ତାଙ୍କର ଦୁଃଖ ସମୟର କଥା ମନେ ପକାଇ ଶତ୍ରୁଘ୍ନ କହିଛନ୍ତି "ଯେତେବେଳେ ମୁଁ ୨୦୧୯ ନିର୍ବାଚନରେ ହାରିଗଲି ଏବଂ ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଥିଲି, ମମତା ବାନାର୍ଜୀ ମୋ ସହିତ ଠିଆ ହୋଇଥିଲେ। ସେ ମୋତେ ଉତ୍ସାହିତ କରିଥିଲେ, ଆସାନସୋଲରୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେଇଥିଲେ ଏବଂ ମୁଁ ଜିତିଥିଲି। ତାଙ୍କ କଷ୍ଟକର ସମୟରେ, ମୁଁ ତାଙ୍କୁ ପରିତ୍ୟାଗ କରିପାରିବି ନାହିଁ।" ସେ ଅଭିଷେକ ବାନାର୍ଜୀଙ୍କୁ ଭଲଭାବେ ଜାଣନ୍ତି। କିନ୍ତୁ ଟିଏମ୍ସିରେ ସେ କେବଳ ମମତା ବାନାର୍ଜୀଙ୍କୁ ହିଁ ତାଙ୍କର ନେତା ବୋଲି ଭାବନ୍ତି, ତାଙ୍କ ସହ ସିଧାସଳଖ ଆଲୋଚନା କରନ୍ତି ବୋଲି ଶତ୍ରୁଘ୍ନ କହିଛନ୍ତି।