ପାଟନା ୨୦।୩: ଜନତା ଦଳ ୟୁନାଇଟେଡ (ଜେଡିୟୁ) ସଭାପତି ତଥା ରାଜ୍ୟସଭାକୁ ନିର୍ବାଚିତ ସାଂସଦ ନୀତିଶ କୁମାର ଥରକେ ବିହାର ମୁଖ୍ୟମନ୍ତ୍ରୀ ପଦବୀ ଛାଡିବେ ନାହିଁ। ଜୀତେନରାମ ମାଁଝୀଙ୍କ କାର୍ଯ୍ୟକାଳକୁ ଛାଡିଦେଲେ ପାଖାପାଖି ୨ ଦଶନ୍ଧୀ ଧରି ବିହାରରେ ସରକାର ଚଳାଇ ଆସୁଥିବା ନୀତିଶ କୁମାର ଦୁଇଟି କିସ୍ତିରେ ତାଙ୍କର ମୁଖ୍ୟମନ୍ତ୍ରୀ ପଦବୀ ଛାଡିବେ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ନୀତିଶ ସର୍ବ ପ୍ରଥମେ ବିହାର ବିଧାନ ପରିଷଦ ସଦସ୍ୟତା ପଦରୁ ଇସ୍ତଫା ଦେବେ। ଦେଶର ଆଇନ ଅନୁସାରେ ନୀତିଶ କୁମାରଙ୍କୁ ମାର୍ଚ୍ଚ ୩୦ ସୁଦ୍ଧା ଏମଏଲସି ପଦବୀରୁ ଇସ୍ତଫା ଦେବା ଜରୁରି।

ରାଜ୍ୟସଭାରେ ତାଙ୍କ ସଦସ୍ୟତା ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହୋଇପାରେ। ଏଣୁ ସେ ପର୍ଯ୍ୟନ୍ତ ସେ ଏମଏଲସି ପଦବୀରୁ ଇସ୍ତଫା ଦେଇ ବିହାର ମୁଖ୍ୟମନ୍ତ୍ରୀ ରହି ପାରନ୍ତି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଇସ୍ତଫା ଦେଇ ପାରନ୍ତି। ସେତେବେଳେକୁ ରାଜ୍ୟସଭା ସଦସ୍ୟ ଭାବେ ତାଙ୍କ ଶପଥପାଠ ସମୟ ପାଖେଇ ଆସିଥିବ। ଭାରତୀୟ ସମ୍ବିଧାନର ଅନୁଚ୍ଛେଧ ୧୦୧ ଅନୁସାରେ ଏକ ସଙ୍ଗରେ ସଦସ୍ୟତା ନିଷେଧ ନିୟମ ୧୯୫୦ ଓ ଲୋକପ୍ରତିନିଧି ଆଇନ ୧୯୫୧ ଧାରା ୭୦ ଅନୁସାରେ ଜଣେ ବ୍ୟକ୍ତି ଏକ ସମୟରେ ସାଂସଦ ଅଥବା ବିଧାନସଭାରେ ସଦସ୍ୟ ରହି ପାରନ୍ତି। ସେହି ଅନୁସାରେ ନୀତିଶ ଯେଉଁଥି ପାଇଁ ନିର୍ବାଚିତ ହୋଇଛନ୍ତି ସେଥି ପାଇଁ ପୂର୍ବ ପଦପଦବୀରୁ ଇସ୍ତଫା ଦେବେ।

ବିହାରର ୫ ରାଜ୍ୟସଭା ଆସନ ନିମନ୍ତେ ମାର୍ଚ୍ଚ ୧୬ ତାରିଖ ଦିନ ନୀତିଶଙ୍କ ସମେତ ବିଜେପି ଜାତୀୟ ସଭାପତି ନୀତିନ ନବୀନ, ଆରଏଲଏମ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହ, ଜେଡିୟୁ କେନ୍ଦ୍ରମନ୍ତ୍ରୀ ରାମନାଥ ଠାକୁର ଓ ବିହାର ବିଜେପି ସାଧାରଣ ସମ୍ପାଦକ ଶିବରାମ ନିର୍ବାଚିତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ନୀତିଶ କୁମାର ବିହାର ବିଧାନ ପରିଷଦ ଓ ନୀତିନ ନବୀନ ବିହାର ବିଧାନସଭାର ସଦସ୍ୟ ଅଛନ୍ତି। ନୀତିଶ ଓ ନୀତିନ ୧୪ ଦିନ ମଧ୍ୟରେ ଅର୍ଥାତ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ନିଜନିଜ ପଦବୀରୁ ଇସ୍ତଫା ଦେବେ।

ତେବେ ନୀତିଶ କଣ କରିବେ, କେବେ କରିବେ ତାହା ଅନୁମାନ କରାଯାଇ ପାରୁନଥିବା ବେଳେ ତାଙ୍କ ସମୃଦ୍ଧି ଯାତ୍ରା ମାର୍ଚ୍ଚ ୨୬ ତାରିଖରେ ପାଟନାରେ ସମାପନ ପରେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସନ୍ଧାନ ଆରମ୍ଭ ହୋଇପାରେ। ବିଜେପି ଏହା ବି କହିଛି ଯେ ଏନଡିଏରେ ଏ ପର୍ଯ୍ୟନ୍ତ ନୂଆ ମୁ୍ଖ୍ୟମନ୍ତ୍ରୀ ଅଥବା ଆଗାମୀ ସରକାର ନେଇ କୌଣସି ଚର୍ଚ୍ଚା ହୋଇ ନାହିଁ। ତେବେ ମୁଖପାତ୍ର କହିଛନ୍ତି ଯେ ପରବର୍ତ୍ତି ମୁଖ୍ୟମନ୍ତ୍ରୀଙ୍କୁ ମେଣ୍ଟ ଦଳ ମିଳିତ ବାଛିବେ। ତେବେ ଏନଡିଏ ଓ ବିଜେପିର କେତେକ ନେତା କହିଛନ୍ତି ଯେ ନୀତିଶ କୁମାର ଯାହାକୁ ଚାହିଁବେ ସେହିଁ ବିହାରର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବେ।