ଛତ୍ରପୁର ୨୩।୪: ରକ୍ତ ସମ୍ପର୍କରେ ଲାଗିଲା ଛିଟା । ନିଜ ପୁତୁରା ଓ ଝିଆରୀ ସମ୍ପତ୍ତି ପାଇଁ ଦାଦାଙ୍କୁ ଅପହରଣ ପରେ କରିଛନ୍ତି ହତ୍ୟା । ଅପହରଣର ୮ ଦିନ ପରେ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ । ବ୍ରହ୍ମପୁର ଗୋପାଳପୁର ଥାନା ସତ୍ୟନାରାୟଣପୁରରେ ଚଳିତ ମାସ ୧୫ ତାରିଖରେ ହୋଇଥିବା ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଅପହରଣ ଓ ହତ୍ୟା ଘଟଣାର ଗୁମର ଖୋଲିଛି ବ୍ରହ୍ମପୁର ପୋଲିସ । ଏଭଳି ଜଘନ୍ୟ ହତ୍ୟା ଘଟଣାରେ ସୁଧୀରଙ୍କ ଝିଆରୀ ଓ ପୁତୁରାଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ସୁଧୀରଙ୍କ ଝିଆରୀ ହେଲେ ନିବେଦିତା ପାତ୍ର ଓ ପୁତୁରା ହେଲେ ତୁଷାର କୁମାର ପାତ୍ର । ସୁଧୀରଙ୍କୁ କିଭଳି ହତ୍ୟା କରାଯାଇଥିଲା ଓ କାରଣ ସମ୍ପର୍କରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଆଇଜି ନୀତି ଶେଖର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଦୁଇ ମାସ ଆଗରୁ ହତ୍ୟା ଯୋଜନା

ଗତ କିଛି ମାସ ପୂର୍ବରୁ ସୁଧୀରଙ୍କ ବଡ଼ ଭାଇ ମନୋଜ କୁମାର ପାତ୍ରଙ୍କ ହୃଦରୋଗରେ ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ଘର ସମ୍ପତ୍ତି ଭାଗବଣ୍ଟା ହୋଇଥିଲା । କିନ୍ତୁ ସମ୍ପତ୍ତି ଭାଗବଣ୍ଟାରେ ସୁଧୀର ଅଧିକ ସମ୍ପତ୍ତି ନେଇଥିବା ନେଇ ଅନୁମାନ କରିଥିଲେ ସୁଧୀରଙ୍କ ଝିଆରୀ ନିବେଦିତା ଓ ପୁତୁରା ତୁଷାର । ଏପରି କି ବାପାଙ୍କୁ ଗୁଣିକରି ହତ୍ୟା କରାଯାଇଛି ବୋଲି ସନ୍ଦେହ କରୁଥିଲେ । ଏହାକୁ ନେଇ ନିବେଦିତା ନିଜର ପୁରୁଷବନ୍ଧୁ କାଳୁ ଚରଣ ପ୍ରଧାନ ସମସ୍ତ ବିଷୟରେ କହିଥିଲେ । ସୁଧୀରଙ୍କ ଠାରୁ ସମ୍ପତ୍ତି ଆଣିବା ପାଇଁ ନିବେଦିତା ଓ କାଳୁ ଏକ ପ୍ରକାର ଦୁଇ ମାସ ହେଲା ଯୋଜନା କରିଥିଲେ ।

Also Read:- Bhanjanagar businessman Death: ବ୍ୟବସାୟୀଙ୍କ ମୃତ୍ୟୁ ପଛରେ ବଡ଼ ରହସ୍ୟ ! ଛାଡ଼ିବାକୁ ୨ କୋଟି ଡିମାଣ୍ଡ, ସ୍ତ୍ରୀଙ୍କୁ ଆସିଥିଲା ନିର୍ଯାତନାର ଭିଡିଓ

ଭିଡିଓ କରି ପତ୍ନୀଙ୍କୁ ପଠାଇଥିଲେ​​​​​​​

ଯୋଜନା ମୁତାବକ କାଳୁ କିଛି ସାର୍ପ ସୁଟର ମାନଙ୍କ ସହ ସୁଧୀରଙ୍କୁ ଅପହରଣ କରିବା ପାଇଁ ଯୋଗାଯୋଗ କରିଥିଲେ । ଯୋଜନା ମୁତାବକ ସୁଧୀର ବୁଧବାର ଗୋପାଳପୁର ଥାନା ଅନ୍ତର୍ଗତ ବଣଗାଁକୁ ଖେଳିବାକୁ ଯାଇଥିବା ବେଳେ ସନ୍ଧ୍ୟା ୭ଟାରେ ଘରକୁ ଫେରିବା ସମୟରେ ଏକ ବୋଲେରୋ ଗାଡ଼ିରେ ତାଙ୍କୁ ଅପହରଣ କରାଯାଇଥିଲା । ରାସ୍ତାରେ ବୋଲେରୋ ଗାଡ଼ି ଖରାପ ହୋଇଯିବା ପରେ ଆଉ ଏକ କାର୍‌ରେ ସୁଧୀରଙ୍କୁ ବୁଗୁଡ଼ାର ରାମପାଦ ଜଙ୍ଗଲକୁ ଅପହରଣକାରୀ ମାନେ ନେଇଥିଲେ । ସେଠାରେ ରାତି ସମୟରେ ତାଙ୍କୁ ଅପହରଣକାରୀ ମାନେ ତଳେ ପକାଇ ଲାତ ଗୋଇଠା ସହ ବାଡ଼ିରେ ମାଡ଼ ମାରିଥିଲେ । ସୁଧୀରଙ୍କୁ ମାଡ଼ ମାରିବାର ଭିଡ଼ିଓ କରି ତାଙ୍କ ପତ୍ନୀଙ୍କୁ ପଠାଇବା ସହ ୨ କୋଟି ଟଙ୍କା ମାଗିଥିଲେ ଅପହରଣକାରୀ । ସୁଧୀରଙ୍କୁ ମାଡ଼ ମାରୁ ମାରୁ ବୁଧବାର ରାତିରେ ହିଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ମୃତଦେହକୁ କାର୍‌ରେ ରଖି ସୋରଡ଼ାର କେଟାମଣି ପର୍ବତ ନିକଟରେ ଥିବା ଜଙ୍ଗଲରେ ମୃତଦେହକୁ ଫିଙ୍ଗିଦେଇ ସେଠାରୁ ଫେରାର ହୋଇଯାଇଥିଲେ ।

ଦୋଷ ସ୍ୱୀକାର କରିଥିଲେ ଅଭିଯୁକ୍ତ

​​​ଅପହରଣକୁ ନେଇ ସୁଧୀରଙ୍କ ଶଳା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସୁଧୀରଙ୍କୁ ସୁରକ୍ଷିତ ଠାବ ପାଇଁ ପୋଲିସ ପକ୍ଷରୁ ୭ଟି ଟିମ୍ ଗଠନ କରାଯାଇଥିଲା । ପ୍ରଥମେ ତାଙ୍କ ପରିବାର ଲୋକେ ତଥା ସୁଧୀରଙ୍କ ଝିଆରୀ ଓ ପୁତୁରାଙ୍କୁ ପଚାରାଉଚରା କରିଥିଲା ପୋଲିସ । କିନ୍ତୁ ଉଭୟ ଝିଆରୀ ଓ ପୁତୁରା ପୋଲିସ ପଚାରିଥିବା ପ୍ରଶ୍ନର ଠିକ୍ ଉତ୍ତର ନ ଦେବାରୁ ଉଭୟଙ୍କ ଉପରେ ପୋଲିସ ସନ୍ଦେହ କରିଥିଲା । ଉଭୟଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା କରିବା ପରେ ସେମାନେ ସବୁ ସତକଥା କହିବା ସହ ନିଜର ଦୋଷ ସ୍ୱୀକାର କରିଥିଲେ । ଗତକାଲି ଅର୍ଥାତ୍ ବୁଧବାର ସକାଳ ସମୟରେ ପୋଲିସ ସୁଧୀରଙ୍କ ମୃତଦେହ ପାଇବା ପରେ ସୁଧୀରଙ୍କ ଝିଆରୀ ନିବେଦିତା ପାତ୍ର, ପୁତୁରା ତୁଷାର କୁମାର ପାତ୍ର ଓ ନିବେଦିତାଙ୍କ ପୁରୁଷବନ୍ଧୁ କାଳୁ ଚରଣ ପ୍ରଧାନଙ୍କୁ ଗିରଫ କରିଥିଲା ପୋଲିସ । ଏହି ତିନି ଜଣଙ୍କୁ ଗିରଫ କରିବା ପରେ ଏହି ହତ୍ୟାରେ ସମ୍ପୃକ୍ତ ଥିବା ଜିତୁନ ପଲେଇ, ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର, ସୁଭମ୍ ନାୟକ, ସୁଭମ୍ ଗୌଡ଼ ଓ ସୂର୍ଯ୍ୟ ପ୍ରତାପ ସିଂଙ୍କୁ ଗିରଫ କରିଛି ପୋଲିସ । ସୁଧୀର ପାତ୍ର ହତ୍ୟା ଘଟଣାରେ ତାଙ୍କ ଝିଆରୀ ଓ ପୁତୁରାଙ୍କ ସମେତ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ୧୪ଟି ମୋବାଇଲ, ୭.୬୫ ଏମଏମର ଗୋଟିଏ ପିସ୍ତଲ, ବୋଲେରୋ ସହ ଆଉ ଏକ କାର୍‌କୁ ଜବତ କରିଛି ପୋଲିସ । ଘଟଣାରେ ୯ ଜଣ ଗିରଫ ହୋଇଥିବା ବେଳେ ଆଉ କିଛି ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି, ସେମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର । ଏହାସହ ଗିରଫ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଅଣାଯିବ କହିଛନ୍ତି ।

Also Read:- ଖୋଜି ଖୋଜି ପାଇଲାନି ପୋଲିସ, ଜୀବନରୁ ମାରିଦେଲେ କିଡ୍‌ନାପର୍...ଅପହୃତ ବ୍ୟବସାୟୀ ନିଖୋଜର ନୂଆ ଟ୍ୱିଷ୍ଟ

ଅନ୍ୟପଟେ ସୁଧୀରଙ୍କ ବାପା ଓ ମା’ ଭାଙ୍ଗି ପଡିଛନ୍ତି । ପୁଅକୁ ଟଙ୍କା ପାଇଁ ହତ୍ୟା କରାଯାଇଛି । ତାଙ୍କର କେହି ଶତ୍ରୁ ନଥିଲେ । ସବୁବେଳେ ସେ ଭଲି ଖେଳିବାକୁ ଯାଏ । ସନ୍ଧ୍ୟାରେ ଘରକୁ ଫେରେ । ସୁଧୀରଙ୍କ ୧୪ ବର୍ଷର ଝିଅ ଓ ୯ ବର୍ଷର ପୁଅ ଅଛି । ତେଵେ କେତେ ଟଙ୍କାର ଡିଲ୍ ହୋଇଛି ତାହା ସ୍ପଷ୍ଟ କରିନି ପୋଲିସ । ତଦନ୍ତ ଜାରି ରହିଛି । କିଛି ଟଙ୍କା ପାଇଁ ମଣିଷ ନିଜ ରକ୍ତ ସମ୍ପର୍କକୁ ଭୁଲିଯାଏ ।