ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ ପାକିସ୍ତାନରେ ଥିବା ଲସ୍କର-ଇ-ତୋଇବା (LeT) ର ପ୍ରତିଷ୍ଠାତା ହାଫିଜ୍ ସୟିଦ୍ ନାମରେ ସମନ ଜାରି କରିବାକୁ ଜାତୀୟ ଏନଆଇଏର ବିଶେଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଜମ୍ମୁ ସ୍ଥିତ ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟଙ୍କ ଆଦେଶକ୍ରମେ ଏହି ସମନ ଭାରତର ବୈଦେଶିକ ମନ୍ତ୍ରଣାଳୟ ମାଧ୍ୟମରେ ପାକିସ୍ତାନ ପଠାଯିବ।  

ସେପଟେ ଯଦି ହାଫିଜ୍ ସୟିଦ୍ କୋର୍ଟରେ ହାଜର ନହୁଏ, ତେବେ 'ଭାରତୀୟ ନାଗରିକ ସୁରକ୍ଷା ସଂହିତା , ୨୦୨୩' ର ଧାରା ୩୫୬ ଅଧୀନରେ ତା ଅନୁପସ୍ଥିତିରେ ବିଚାର ପ୍ରକ୍ରିୟା ଆଗକୁ ବଢ଼ିବ ।  ଏହି ମାମଲାରେ ସ୍ୱତନ୍ତ୍ର କୋର୍ଟ ପୂର୍ବରୁ ହାଫିଜ୍ ସୟିଦ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିସାରିଛନ୍ତି।  

୨୨ ଏପ୍ରିଲ ୨୦୨୫ ରେ ଜମ୍ମୁକାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ନାଗରିକ ପ୍ରାଣ ହରାଇଥିଲେ।  ଏନ୍‌ଆଇଏ ପକ୍ଷରୁ ଦାଖଲ କରାଯାଇଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ହାଫିଜ୍ ସୟିଦକୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବାର ଦର୍ଶାଯାଇଛି। ତା ନାଁରେ ଭାରତ ବିରୋଧରେ ଯୁଦ୍ଧ ଘୋଷଣା ଏବଂ 'ୟୁଏପିଏ' ଅଧୀନରେ ମାମଲା ରୁଜୁ ହୋଇଛି। ହାଫିଜ ସୟିଦ ବ୍ୟତୀତ ଏନଆଇଏ ଚାର୍ଜସିଟରେ ସୁଲେମାନ ଶାହା, ହବୀବ ତାହିର ଏବଂ ହମଜା ଆଫଗାନି ନାଁ ମଧ୍ୟ ରହିଛି ।

ପହଲଗାମ ଆକ୍ରମଣ ମାମଲାରେ ଦୁଇ ଜଣ ସ୍ଥାନୀୟ ଅଭିଯୁକ୍ତ ପରଭେଜ ଅହମଦ ଏବଂ ବାସୀର ଅହମଦକୁ ଗିରଫ କରାଯାଇଛି । ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରିଥିଲେ । ଏହି ମାମଲାରେ ପ୍ରଥମେ ପହଲଗାମ ପୋଲିସ ତଦନ୍ତ କରୁଥିଲା । ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ମାମଲାକୁ ଏନଆଇଏକୁ ହସ୍ତାନ୍ତର କରିଥିଲା ।