ଭୁବନେଶ୍ବର ୧୭।୧: ଆଗାମୀ ଜାନୁଆରୀ ୩୧ ଏବଂ ଫେବ୍ରୁଆରୀ ୧ ତାରିଖରେ ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ତାପୂର୍ବରୁ ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକର ନିଷ୍କର୍ସ ଆଧାରରେ ଛତିଶଗଡ଼ ଯାଇ ପକ୍ଷ ରଖିବେ ସରକାର । ଫେବ୍ରୁଆରୀ ୭ ତାରିଖରେ ରହିଛି ମହାନଦୀ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି । ଛତିଶଗଡ ସରକାରଙ୍କ ସହ କଥା ହେବା ପରେ ଟ୍ରିବ୍ୟୁନାଲଙ୍କ ନିକଟରେ ପକ୍ଷ ରଖିବେ ଓଡ଼ିଶା ସରକାର ।

ମହାନଦୀ କମିଟିର ଦ୍ଵିତୀୟ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ଏହାସହ ୧୨ ମାର୍ଚ୍ଚ ୨୦୧୮ରେ ଗଠନ ହୋଇଥିବା ଟ୍ରିବ୍ୟୁନାଲ ୧୩ ମାର୍ଚ୍ଚରେ ଅବଧି ସରିବ । ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।

ରାଜୀବ ଭବନରେ ବସିଥିଲା ମହାନଦୀ କମିଟିର ଦ୍ଵିତୀୟ ବୈଠକ । ଉପ ମୁଖ୍ୟମନ୍ତ୍ରୀ ତଥା ମହାନଦୀ କମିଟି ଅଧ୍ୟକ୍ଷ କେ.ଭି. ସିଂହଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଉପସ୍ଥିତ ଥିଲେ ।