• ନ୍ୟୁଜିଲ୍ୟାଣ୍ଡ ଆଇନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ
  • କାରଣ କୋର୍ଟ ସ୍ଥାନୀୟ ଗଣମାଧ୍ୟମଙ୍କୁ ଦୋଷୀ ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରିବାରେ ରୋକ ଲଗାଇଥାନ୍ତି
  • ବଲତେଜ ୨ ବର୍ଷରେ ଅନ୍ତର୍ଜାତୀୟ ସ୍ତରରେ ସାର୍ବଜନିକ ହୋଇ ସାରିଥିଲା

ଅକଲ୍ୟାଣ୍ଡ: ନ୍ୟୁଜିଲ୍ୟାଣ୍ଡର ସବୁଠୁ ବଡ଼ ଗଣମାଧ୍ୟମ ସଙ୍ଗଠନ ‘ଷ୍ଟଫ’ ବଲତେଜ ସିଂହ, ଯିଏ ଇନ୍ଦିରା ହତ୍ୟାକାରୀ ସତୱନ୍ତ ସିଂହଙ୍କ ପୁତୁରାକୁ ଦେଶର ଇତିହାସରେ ସବୁଠୁ ବଡ଼ ମେଥମଫେଟାମାଇନ ଜବତ ପଛର ମାଷ୍ଟର ମାଇଣ୍ଡ ଉଲ୍ଲେଖ କରିଛି। କୌଣସି ନ୍ୟୁଜିଲ୍ୟାଣ୍ଡ ଗଣମାଧ୍ୟମ ପ୍ରଥମ ଥର ଅଭିଯୁକ୍ତର ନାମ ପ୍ରକାଶ କରିଛି।କାରଣ ଏହା ପୂର୍ବରୁ ବଲତେଜ ନ୍ୟୁଜିଲ୍ୟାଣ୍ଡର ଏକ କୋର୍ଟରୁ ସ୍ଥାୟୀ ରୂପେ ନାମ ଗୋପନ ରଖିବାର ଆଦେଶ ପ୍ରାପ୍ତ କରିନେଇଥିଲା। ତେବେ ମିଡିଆ ହାଉସ୍ ‘ଷ୍ଟଫ’ ଅନୁସାରେ ନାମ ଗୋପନ ରଖିବାର ନିଜ ପ୍ରୟାସକୁ ବଲତେଜ ପରେ ଅଗ୍ରାହ୍ୟ କରିଦେଇଥିଲା। ତେବେ ଏହା କେଉଁ କୋର୍ଟ କେବେ କେଉଁ ଆଦେଶରେ ଦେଇଛନ୍ତି ସେ ନେଇ ଗଣମାଧ୍ୟମ ନିରବ ରହିଛି।

ଦୋଷୀଙ୍କ ପରିଚୟ ପ୍ରକାଶରେ ଥାଏ ରୋକ
ନ୍ୟୁଜିଲ୍ୟାଣ୍ଡ ଆଇନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ। କାରଣ ଏଠାକାର କୋର୍ଟ ସ୍ଥାନୀୟ ଗଣମାଧ୍ୟମଙ୍କୁ ଦୋଷୀ ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରିବାରେ ରୋକ ଲଗାଇଥାନ୍ତି। ତେବେ ଏପରି କଟକଣା ଅନ୍ତର୍ଜାତୀୟ ମିଡିଆ ପାଇଁ ଲାଗୁ ନଥାଏ। ଭାରତୀୟ ଗଣମାଧ୍ୟମ ୨୦୨୩ରେ ବଲତେଜ ଗିରଫ ହେବାର କିଛି ଦିନ ପରେ ପରିଚୟ ପ୍ରକାଶିତ କରିଦେଇଥିଲା। ସେହିପରି କାନାଡା ପ୍ରସାରକ ସିଟିଭି ନ୍ୟୁଜ୍ ଓ ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଜିମ ଫାଉଣ୍ଡେସନ ମଧ୍ୟ ଅକ୍ଟୋବର ୨୦୨୫ରେ ପ୍ରକାଶିତ ସିରିୟେଲ ଯାଞ୍ଚରେ ବଲତେଜ ନାମକୁ ବିସ୍ତାର ପୂର୍ବକ ନେଇଥିଲା। ବଲତେଜ ନିଜ ନାମ ଗୋପନ ରଖିବା ଲାଗି ଆବେଦନ ପ୍ରତ୍ୟାହାର ପର୍ଯ୍ୟନ୍ତ ପାଖାପାଖି ୨ ବର୍ଷରେ ଅନ୍ତର୍ଜାତୀୟ ସ୍ତରରେ ସାର୍ବଜନିକ ହୋଇ ସାରିଥିଲା।

ସତୱନ୍ତଙ୍କ ବଡ ଭାଇ ସରୱନ ସିଂହ ଅଗୱାନଙ୍କ ପୁତ୍ର ହେଉଛି ବଲତେଜ
ବିଶ୍ଲେଷକଙ୍କ କହିବା କଥା ହେଉଛି ତା ଆବେଦନ ପ୍ରତ୍ୟାହାରର ସବୁଠୁ ବଡ଼ କାରଣ ହେଉଛି ଅନ୍ତର୍ଜାତୀୟ ସ୍ତରରେ ମିଳିଥିବା ବ୍ୟାପକ କଭରେଜ କାରଣରୁ ଆଉ ନିର୍ଯାତନାର କୌଣସି କାରଣ ନଥିଲା। ଏଣୁ ପରିଚୟ ଗୋପନ ରଖିବା ଲାଗି ମହଙ୍ଗା ଆଇନଗତ ଲଢେଇର ଆଉ କୌଣସି ଆବଶ୍ୟକତା ନଥିଲା। ୧୯୮୪ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟାକାରୀ ଅଙ୍ଗରକ୍ଷକ ସତୱନ୍ତଙ୍କ ବଡ ଭାଇ ସରୱନ ସିଂହ ଅଗୱାନଙ୍କ ପୁତ୍ର ହେଉଛି ବଲତେଜ ସିଂହ। ସତୱନ୍ତ ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ବ୍ଲୁଷ୍ଟାର ଅପରେସନର ପ୍ରତିଶୋଧ ପାଇଁ ଇନ୍ଦିରାଙ୍କୁ ଗୁଳି କରି ହତ୍ୟା କରିଥିଲା। ଭାରତ ସରକାରଙ୍କ ଏହି ଅପରେସନ ପଞ୍ଜାବ ସ୍ୱର୍ଣ୍ଣ ମନ୍ଦିରକୁ ଆତଙ୍କବାଦୀଙ୍କ କବଳରୁ ମୁକ୍ତ କରିବାକୁ ଚଳାଯାଇଥିଲା। ତେବେ ଏହା ଯୋଗୁ ଶିଖ ସମୂଦାୟ ଇନ୍ଦିରାଙ୍କ ବଇରି ହୋଇଥିଲେ।

କିଣିଥିଲେ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଘର
ପରେ ସତୱନ୍ତ ସିଂହଙ୍କ ପରିବାର ୧୯୮୦ ଦଶକରେ ଭାରତ ଛାଡି ନ୍ୟୁଜିଲ୍ୟାଣ୍ଡ ଚାଲିଯାଇଥିଲା। ରାଜଧାନୀ ଅକଲ୍ୟାଣ୍ଡରେ ପରିବାର ଏକ ଛୋଟ ତେଜରାତି ଦୋକାନ କରି ଜୀବିକା ନିର୍ବାହ କରୁଥିଲା। ତେବେ ସମୟ ସହିତ ପରିବାରର ସମ୍ପତ୍ତି ଅଚାନକ ବୃଦ୍ଧି ପାଇବାର ଖବର ଆସିଥିଲା। ଏଥିରେ ବଲତେଜର ପିତା ସରୱନ ସିଂହ ଏକ ରିୟଲ ଇଷ୍ଟେଟର ମାଲିକ ପାଲଟି ଯାଇଥିଲେ ଓ ସେ ନ୍ୟୁଜିଲ୍ୟାଣ୍ଡରେ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକ ଘର କ୍ରୟ କରିଥିଲେ।

ବିଛିନ୍ନତାବାଦୀଙ୍କ ସମ୍ପର୍କରେ ଥିଲା ବଲତେଜ
ଖବର ଅନୁସାରେ ବଲତେଜକୁ ଅକଲ୍ୟାଣ୍ଡର ସ୍ଥାନୀୟ ଗୁରୁଦ୍ୱାରମାନଙ୍କରେ ଖାଲିସ୍ତାନ ସମର୍ଥକଙ୍କ ଦ୍ୱାରା ସତୱନ୍ତଙ୍କ ସହ ପାରିବାରିକ ସମ୍ପର୍କ କାରଣରୁ ସମ୍ମାନୀତ କରାଯାଉଥିଲା। ଗୁଇନ୍ଦା ସୂତ୍ର ଅନୁସାରେ ବଲତେଜ ସିଂହ ବିଛିନ୍ନତାବାଦକୁ ସମର୍ଥନ କରୁଥିବା ଲୋକଙ୍କ ସହ ସମ୍ପର୍କରେ ଥିଲା। ପଞ୍ଜାବ ପୋଲିସ ଓ ଭାରତୀୟ ସୁରକ୍ଷା ଏଜେନ୍ସୀ ବଲତେଜର ଗିରଫ ପରଠାରୁ ଏହି ମାମଲା ଉପରେ ନଜର ରଖୁଥିଲେ। ୨୧ ବର୍ଷିୟ ଏଡନ ସଗାଲାର ମୃତ୍ୟୁକୁ ନେଇ ବଲତେଜ ବିରୋଧରେ ୨ ମାର୍ଚ୍ଚ ୨୦୨୩ରେ ମାମଲା ଆରମ୍ଭ ହୋଇଥିଲା

ବିୟର କେନରେ ଲୁଚାଇ ଆମଦାନୀ ହେଉଥିଲା ମେଥମଫେଟାମାଇନ
କାନାଡା ରାଜଧାନୀ ଟୋରେଣ୍ଟରୁ ଆମଦାନୀରେ ଆସିଥିବା ହନି ବିୟର କେନରେ ଲୁଚାଇ ରଖାଯାଇଥିବା ତରଳ ମେଥମଫେଟାମାଇନ ପିଇ ଏଡନ ସଗାଲାର ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁକୁ ନେଇ ନ୍ୟୁଜିଲ୍ୟାଣ୍ଡ ପୋଲିସ ଏକ ବ୍ୟାପକ ଯାଞ୍ଚ ଆରମ୍ଭ କରିଥିଲା। ଏହି ଯାଞ୍ଚରେ ପୋଲିସକୁ ଅକଲ୍ୟାଣ୍ଡରେ ଥିବା ଏକ ଗୋଦାମର ସନ୍ଧାନ ମିଳିଥିଲା। ଏଠାରୁ ପୋଲିସକୁ ୭୦୦ କିଲୋଗ୍ରାମ ତରଳ ମେଥମଫେଟାମାଇନ ମିଳିଥିଲା, ଯାହା ଦେଶର ନିଶା କାରାବର ଇତିହାସରେ ସବୁଠୁ ବଡ଼ ନିଶା ସାମଗ୍ରୀ ଜବତ ଥିଲା। ତଦନ୍ତକାରୀଙ୍କ ଅନୁସାରେ ଡ୍ରଗସ୍ କୁ ପେୟ ପଦାର୍ଥ ପ୍ୟାକେଜରେ ଲୁଚାଇ ଆମଦାନୀ କରାଯାଇଥିଲା। ଏଥିରେ ଯୁକ୍ତରାଷ୍ଟ୍ର ଆମେରିକାରୁ ଆମଦାନୀ ହୋଇଥିବା କୋମ୍ବୁଚା, ଭାରତରୁ ପଇଡ ପାଣି ଓ କାନାଡାରୁ ହନି ବିୟରର ୨୯,୦୦୦ କେନ (ଡବା) ଥିଲା।

ପୋଲିସ ଚଳାଇଥିଲା ‘ପ୍ରୋଜେକ୍ଟ ଲାଭେଣ୍ଡର’ ମିସନ
ବଲଜିତକୁ ସେହି ଦିନ ଅକଲ୍ୟାଣ୍ଡ ବିମାନ ବନ୍ଦରରୁ ପୋଲିସ ଗିରଫ କରିଥିଲା। ସେ ଦୁବାଇ ଚାଲିଯିବାକୁ ଉଦ୍ୟମ କରିବା ବେଳେ ବିମାନ ବନ୍ଦରରେ ଧରାପଡିଯାଇଥିଲା। ପରେ ତାକୁ ମେଥମେଫେଟାମାଇନ, ଏଫେଡ୍ରିନ ଓ କୋକେନ ଆମଦାନୀ ଅଭିଯୋଗରେ ୨୨ ବର୍ଷ ଜେଲଦଣ୍ଡାଦେଶ କରାଯାଇଛି। ମାମଲାରେ ସହ ଅଭିଯୁକ୍ତ ହିମ୍ମତଜିତ ଜିମ୍ମି ସିଂହ କହଲୋନ ଯିଏ ସେଗଲାକୁ ମେଥମଫେଟାମାଇନ ଯୁକ୍ତ ପେୟ କେନ ଦେଇଥିଲା ଏଥି ପାଇଁ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ୨୧ ବର୍ଷ ଜେଲଦଣ୍ଡାଦେଶ ହୋଇଛି। ନ୍ୟୁଜିଲ୍ୟାଣ୍ଡ ପୋଲିସ ‘ପ୍ରୋଜେକ୍ଟ ଲାଭେଣ୍ଡର’ ନାମକ ଯାଞ୍ଚରେ କଥିତ ରୂପେ ଡ୍ରଗ ଅପରେସନ ସମ୍ପର୍କିତ ପାଖାପାଖି ୩୬ ନିୟୁତ ନ୍ୟୁଜିଲ୍ୟାଣ୍ଡ ଡଲାର ମୂଲ୍ୟର ଅଚଳ ସମ୍ପତ୍ତି ମଧ୍ୟ ଜବତ ଘୋଷଣା କରିଛି।