ଜି.ଉଦୟଗିରି ୧୬।୧୧ : କନ୍ଧମାଳ ଜିଲ୍ଲା କରଡ଼ା ଘାଟିରେ ଅଭାବନୀୟ ଘଟଣା। ଗାଡ଼ି ଭିତରେ ଜଳିଗଲେ ଜଣେ ବ୍ୟକ୍ତି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଦାନେଲିଂ ଗାଁର ଗଙ୍ଗା ନାୟକ। ସେ ନିଜ ଶ୍ୱଶୁର ଘର ମହୁଲପାଲିକୁ ଆସିଥିଲେ। ନିଜ ସ୍ତ୍ରୀ ଓ ପିଲାଙ୍କୁ ନେଇ ଘରକୁ ଫେରିବା ପାଇଁ ଯାଉଥିବା ବେଳେ କରଡ଼ା ଘାଟିରେ ଘଟିଛି ଏହି ଦୁଃଖଦ ଘଟଣା।

ଖବର ଅନୁଯାୟୀ, ରବିବାର ରାତିରେ ରାଇକିଆ ଥାନା ଅଞ୍ଚଳର କରଡ଼ା ଘାଟିରେ ଗାଡ଼ି ଭିତରେ ଗଙ୍ଗା ନାୟକ ଜଳିଯାଇଥିବା ଜଣାପଡ଼ିଛି। ଗାଡ଼ି ଭିତରେ ତାଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି। କେଉଁ ପରିସ୍ଥିତିରେ ଏବଂ କିପରି ଗାଡ଼ିରେ ନିଆଁ ଲାଗିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ହିଁ ଜଣାପଡ଼ିବ।

Also Read:-ସାମାନ୍ୟ ବଚସାରୁ ରକ୍ତରଞ୍ଜିତ ସମ୍ପର୍କ, କାଠରେ ପିଟି ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ