ପାରାଦୀପ ୬।୯: ଇତିହାସ ରଚିଲା ପାରାଦୀପ ବନ୍ଦର । ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ରବିବାର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ପଶ୍ଚିମ ଡକ୍-୧ ବର୍ଥରେ ଏହାର ପ୍ରଥମ ୧୬.୫-ମିଟର ଡ୍ରାଫ୍ଟ ସହିତ କେପ ସାଇଜ ଜାହାଜ ଏମଭି ମିନେରାଲ କ୍ୱାଙ୍ଗୟାଙ୍ଗକୁ ସଫଳତାର ସହ ବର୍ଥ କରି ଆଉ ଏକ ଇତିହାସ ବହନ କରିଛନ୍ତି । ଡିପ୍-ଡ୍ରାଫ୍ଟ ଏବଂ ବଡ଼ କ୍ଷମତା ବିଶିଷ୍ଟ ବଲ୍କ କ୍ୟାରିଅରଗୁଡ଼ିକୁ ପରିଚାଳନା କରିବା ପାଇଁ କ୍ଷମତା ବୃଦ୍ଧି କରିବାରେ ଆଉ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ନିଜର ପରାକାଷ୍ଠା ଦେଖାଇଛି ପାରାଦୀପ ବନ୍ଦର ।

ଏମଭି ମିନେରାଲ କ୍ୱାଙ୍ଗୟାଙ୍ଗ ହେଉଛି ଏକ କେପ ସାଇଜ ଜାହାଜ । ଯାହାର ଲମ୍ବ ୨୯୨ ମିଟର ଏବଂ ଚଉଡ଼ା ୪୫ ମିଟର ଓ ଗଭୀରତା ୧୬.୫୦ ମିଟର । ଏହି ଜାହାଜଟି ନଅଟି ହୋଲ୍ଡରେ ୧୫୨,୭୦୨ ମେଟ୍ରିକ ଟନ କୋକିଂ କୋଇଲା ବହନ କରୁଛି ଏବଂ କାର୍ଗୋଟି ଅଷ୍ଟ୍ରେଲିଆରୁ ଆସିଥିବା ଜଣାପଡିଛି । ଏହି ଅବସରରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ବନ୍ଦର କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।