ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ କମ୍ପାନି ନ୍ୟୁରାଲିଙ୍କ ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ୍ (ବିସିଆଇ) ଟେକ୍ନୋଲୋଜିର ଏପରି ଏକ ଭିଡିଓ ସେୟାର୍ କରିଛି, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭିଡିଓରେ ଜଣେ ବ୍ୟକ୍ତି କହିବାରେ ଅସୁବିଧା ଥାଇ ମଧ୍ୟ ନିଜ ମସ୍ତିଷ୍କ ସାହାଯ୍ୟରେ କମ୍ପ୍ୟୁଟର ମାଧ୍ୟମରେ ଶବ୍ଦ କହୁଥିବାର ନଜର ଆସୁଛନ୍ତି । ତାଙ୍କ ମସ୍ତିଷ୍କରେ ଲାଗିଥିବା ଇମ୍ପ୍ଲାଣ୍ଟ୍ ତାଙ୍କ ଭାବନାକୁ ଶବ୍ଦରେ ପରିଣତ କରିଦେଲା ।

ସାଇନ୍ସ ଫିକ୍ସନ୍ ଫିଲ୍ମ ଭଳି କଳ୍ପନା ଏବେ ସତ ହେବାକୁ ଯାଉଛି । ଆମେରିକୀୟ ବ୍ୟବସାୟୀ ଏଲନ୍ ମସ୍କଙ୍କ ନ୍ୟୁରୋଟେକ୍ନୋଲୋଜି କମ୍ପାନି 'ନ୍ୟୁରାଲିଙ୍କ' ଏପରି ଏକ କାରନାମା କରିଛି, ଯାହା ସମ୍ପୂର୍ଣ୍ଣ ଟେକ୍ ଦୁନିଆକୁ ଚକିତ କରିଦେଇଛି । କମ୍ପାନି ନିଜର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛି । ଏଥିରେ କଥା କହିବାକୁ ଅସମର୍ଥ ଜଣେ ରୋଗୀ ପାଟିରୁ ଗୋଟିଏ ଶବ୍ଦ ବାହାର ନ କରି, କେବଳ ନିଜ ମସ୍ତିଷ୍କର ଶକ୍ତି ବଳରେ ନିଜ ପ୍ରିୟଜନଙ୍କୁ 'I Love You' କହିଛନ୍ତି ।

ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଜଣେ ବ୍ୟକ୍ତି ଦେଖାଯାଉଛନ୍ତି, ଯିଏ କଥା କହିବାରେ ଅସୁବିଧା ଅନୁଭବ କରନ୍ତି । ନ୍ୟୁରାଲିଙ୍କର ବ୍ରେନ୍ ଇମ୍ପ୍ଲାଣ୍ଟ୍ ସାହାଯ୍ୟରେ ଏହି ବ୍ୟକ୍ତି ନିଜ ମସ୍ତିଷ୍କ ଜରିଆରେ କମ୍ପ୍ୟୁଟର ସହ କଥା ହେଉଥିବାର ଦେଖାଯାଉଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭିଡିଓରେ କମ୍ପ୍ୟୁଟର ତାଙ୍କ ପକ୍ଷରୁ କହୁଛି ଏବଂ ଏହି ବାର୍ତ୍ତା ତାଙ୍କ ମୁହଁରୁ ନୁହେଁ, ବରଂ ମସ୍ତିଷ୍କରୁ ହେଉଛି ।

 

ନ୍ୟୁରାଲିଙ୍କ କହିଲା 'ଏକ ସୁନ୍ଦର ସରପ୍ରାଇଜ୍'

ନ୍ୟୁରାଲିଙ୍କ ଏହାକୁ "ଏ ବିୟୁଟିଫୁଲ୍ ସରପ୍ରାଇଜ୍" ବୋଲି କହିଛି । ଭିଡିଓରେ ବ୍ୟକ୍ତିଙ୍କ ସାମ୍ନାରେ ଏକ କମ୍ପ୍ୟୁଟର ରଖାଯାଇଛି । ସେ କ’ଣ କହିବାକୁ ଚାହୁଁଛନ୍ତି ବୋଲି ଯେତେବେଳେ ତାଙ୍କୁ ପଚରାଯାଉଛି, କମ୍ପ୍ୟୁଟର ତାଙ୍କ ଚିନ୍ତାଧାରାକୁ ଶବ୍ଦରେ ପରିଣତ କରିଦେଉଛି । ଏହାପରେ ବ୍ୟକ୍ତିଙ୍କ ପକ୍ଷରୁ ସବୁଠାରୁ ପ୍ରଥମେ 'I love you' ଶୁଣାଯାଉଛି ।