ଭୁବନେଶ୍ୱର: ବିକଶିତ ଭାରତର ବିନ୍ଧାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ପଚାଶ ବର୍ଷର ଜନସେବା ଏବଂ ପଚିଶ ବର୍ଷର ନିରବଚ୍ଛିନ ଶାସନ ଦେଶରେ କାୟାକଳ୍ପ ଆଣିଛି । ତାଙ୍କର ଏହି କଲ୍ୟାଣକାରୀ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଳିତ ହେଉଥିବା ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ମାନବ ସେବା ଓ ତ୍ୟାଗର ଏକ ବିରାଟ ଜନ ଆନ୍ଦୋଳନ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଗୁରୁବାର ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଭୁବନେଶ୍ୱର ୟୁନିଟ-୩ସ୍ଥିତ ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ରକ୍ତଦାନ କରି ଗୋଟିଏ ଜୀବନ ବଂଚାଇବାର ଅନୁଭବ ଆମର ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରିଥାଏ । ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତର କୈାଣସି ବିକଳ୍ପ ନାହିଁ ଏବଂ ଏହା କୈାଣସି ଡାକ୍ତରଖାନାରେ ତିଆରି ହୋଇପାରିବ ନାହିଁ । ରାଜ୍ୟରେ ରକ୍ତ ଅଭାବରୁ ଯେପରି କୌଣସି ଜୀବନ ଅସମୟରେ ଝଡି ନପଡେ, ସେଥି ପାଇଁ ସରକାର ସଂକଳ୍ପବଦ୍ଧ । ରାଜ୍ୟରେ ରକ୍ତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ୫୦.୪୫ କୋଟି ଟଙ୍କାର ବ୍ୟୟବରାଦ ସହ ଅଟଳ ରକ୍ତଦାନ ଅଭିଯାନ ଆରମ୍ଭ କରାଯାଇଛି । ଏହା ଅଧିନରେ ରାଜ୍ୟର ନୂତନ ମେଡିକାଲ କଲେଜଗୁଡିକରେ ରକ୍ତଦାନ ଭଣ୍ଡାର ସ୍ଥାପନ ଏବଂ ପୁରଣା ରକ୍ତଭଣ୍ଡାରଗୁଡିକର ଆଧୁନୀକରଣ କରାଯାଉଛି । ଯୁବବର୍ଗ ନିଜ ଦୈନନ୍ଦିନ ଜୀବନରୁ କିଛି ସମୟ କାଢି ସମାଜସେବାରେ ନିୟୋଜିତ ହେବା ସହିତ ଦେଶସେବା ପାଇଁ ବ୍ରତୀ ହେବା ହିଁ ମୋଦୀ ଜୀଙ୍କ ପ୍ରତି ଶେଷ୍ଠ ସମ୍ମାନ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଏହି ଅବସରରେ ଯୋଗ ଦେଇ କହିଛନ୍ତି ଯେ, ଆଜି ଦିନଟି ଆମ ସମସ୍ତଙ୍କ ପାଇଁ ଗୋଟେ ପ୍ରେରଣା, ଉତ୍ସାହ ଏବଂ ଆତ୍ମବିଶ୍ୱାସର ଦିନ । ସେବା ହିଁ ଆମ ସମସ୍ତଙ୍କର ପରମ ଧର୍ମ । ଋକ୍ତଦାନ ଶିବିର ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ତଥା ସେବା ସଂକଳ୍ପ ଅଭିଯାନର ରାଜ୍ୟ ସଂଯୋଜକ ଡ.କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଯୁବମୋର୍ଚ୍ଚା ତରଫରୁ ଆୟୋଜିତ ଏହି ମେଗା ରକ୍ତଦାନ ଶିବିର ନୂତନ ରେକର୍ଡ ସ୍ଥାପନା କରିଛି । ଆଜି ଗୋଟିଏ ଦିନରେ, ଗୋଟିଏ ସ୍ଥାନ, ଗୋଟିଏ କ୍ୟାଂପ ଏବଂ ଗୋଟିଏ ସଂସ୍ଥା ଜରିଆରେ ୮୮୧୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି, ଯାହାକି ଏକ ନୂତନ ବିଶ୍ୱ ରେକର୍ଡ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ଏହା ହେଉଛି ପ୍ରକୃତ ଉପହାର ।