ନୂଆଦିଲ୍ଲୀ: ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ସାଉଦି ଆରବର ଯୁଦ୍ଧବିମାନ ଖସାଇଥିବା ନେଇ ଦାବି କରିଛନ୍ତି । ହୁତି ସେନା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ବ୍ୟବହାର କରି ସାଉଦି ଆରବର ଆମେରିକା ନିର୍ମିତ ଉନ୍ନତ F-15 ଯୁଦ୍ଧବିମାନକୁ ଖସାଇ ଦେଇଛି। ଏହାସହ ଏହାର ଏକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଜାରି କରିଛି।

ହୁତି ସାମରିକ ପ୍ରବକ୍ତା ୟାହ୍ୟା ସାରୀ ଅନୁଯାୟୀ, ୟେମେନର ମାରିବ୍ ଆକାଶମାର୍ଗରେ ସାଉଦି ଆରବର F-15 ଯୁଦ୍ଧବିମାନ ସାମରିକ ଅପରେସନ୍ ଚଳାଇଥିବା ବେଳେ ଏହାକୁ ଲକ୍ଷ୍ୟ କରି ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ଦେଶୀ ମିସାଇଲ୍ ମାଡ଼ କରାଯାଇଥିଲା।

ହୁତି ବିଦ୍ରୋହୀଙ୍କ ଦ୍ୱାରା ପ୍ରକାଶିତ ୪ ମିନିଟ୍‌ର ଭିଡିଓରେ ଆକାଶରେ ଯୁଦ୍ଧବିମାନକୁ ଲକ୍ଷ୍ୟ କରି ମିସାଇଲ୍ ମାଡ଼ ହେବା, ବିସ୍ଫୋରଣ ଏବଂ ପରେ ମରୁଭୂମିରେ ବିମାନର ଜଳୁଥିବା ଭଗ୍ନାବଶେଷ ପଡ଼ିଥିବା ଦେଖିବାକୁ ମିଳିଛି। ଭଗ୍ନାବଶେଷର ଏକ ଅଂଶରେ ସାଉଦିଦି ଆରବର ପତାକା ମଧ୍ୟ ସ୍ପଷ୍ଟ ଦେଖାଯାଉଛି । ଏହା ନିକଟରେ ସଶସ୍ତ୍ର ହୁତି ବିଦ୍ରୋହୀମାନେ ଛିଡ଼ା ହୋଇଛନ୍ତି । 

ସେପଟେ ହୁତି ବିଦ୍ରୋହୀ ଏହି ଦାବି ଏବଂ ଭିଡିଓର ସତ୍ୟାସତ୍ୟ ନିଶ୍ଚିତ ହୋଇପାରିନାହିଁ। ସାଉଦି ଆରବ ସରକାରଙ୍କ ପକ୍ଷରୁ ନିଜର F-15 ଯୁଦ୍ଧବିମାନ ଖସିବା ନେଇ କୌଣସି ସୂଚନା ଦିଆଯାଇ ନାହିଁ । ହୁତି ସେନା ଅଭିଯୋଗ କରିଛି ଯେ, ସାଉଦି ଆରବ ଗୋଟିଏ ସପ୍ତାହ ମଧ୍ୟରେ ୟେମେନରେ ୪୫୦ରୁ ଅଧିକ ଏୟାରଷ୍ଟ୍ରାଇକ୍ କରିଛି, ଯେଉଁଥିରେ ଅନେକ ନିରୀହ ନାଗରିକ ପ୍ରାଣ ହରାଇଛନ୍ତି।

ସାଉଦି ଆରବ ପୂର୍ବରୁ ଅଭିଯୋଗ କରିଥିଲା ଯେ, ହୁତି ବିଦ୍ରୋହୀମାନେ ପବିତ୍ର ସହର ମକ୍କାରେ ଡ୍ରୋନ୍ ଆକ୍ରମଣ ଉଦ୍ୟମ କରିଥିଲେ, ଯାହାକୁ ଦେଶର ଏୟାର ଡିଫେନ୍ସ ନଷ୍ଟ କରିଦେଇଛି। ତେବେ ହୁତି ପ୍ରବକ୍ତା ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ସେମାନଙ୍କ ଲକ୍ଷ୍ୟ କେବଳ ସାଉଦିର ସାମରିକ ଘାଟି ଏବଂ ତେଲ ପ୍ରକଳ୍ପ, ପବିତ୍ର ସ୍ଥଳ ନୁହେଁ।