ଜେରୁଜେଲମ: ଇସ୍ରାଏଲର ସବୁଠୁ ପୁରୁଣା ସମ୍ବାଦପତ୍ର ‘ହରେଟଜ୍’ ଓ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ମଧ୍ୟରେ ଆଇନଗତ ଯୁଦ୍ଧ୍ୟ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମାନହାନୀ କେସ୍ ରୁଜୁ କରିବେ ବୋଲି ଘୋଷଣା କରିଛନ୍ତି। ସେହିପରି ସମ୍ବାଦପତ୍ର ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ମନଗଢ଼ା ଓ କପୋଳକଳ୍ପିତ ବୋଲି କହି ନେତାନ୍ୟହୁ ନିଜର ସଫେଇ ମଧ୍ୟ ଦେଇଛନ୍ତି। ଏ ନେଇ ନେତନ୍ୟାହୁ ସୋସିଆଲ ମିଡିଆ ଏକ୍ସ ରେ ଏନେଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି।

ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ଓକିଲଙ୍କୁ ବାମପନ୍ଥୀ ସମ୍ବାଦପତ୍ର ହରେଟଜ୍, ଶ୍ଲିମି ଏଲ୍ଡର ଓ ଅନ୍ୟ ଲୋକଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏମାନେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏପରି ଏକ ମିଥ୍ୟା କାହାଣୀ ଗଢିଛନ୍ତି, ଯାହା କେବେ ହୋଇ ହିଁ ନାହିଁ, ନା କେବେ ଏଭଳି ଘଟଣା ଘଟିଛି। ଏହି ସବୁ ଦାବି ବିପରୀତ ସେପ୍ଟେମ୍ବର ଆରମ୍ଭରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଓ ୟୁଏଇ ରାଷ୍ଟ୍ରପତିଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇ ନି ବୋଲି କୁହାଯାଇଛି।

ବୟାନରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଅଫିସ, ଜାତୀୟ ସୁରକ୍ଷା ପରିଷଦ ଓ ସୈନ୍ୟ ସଚିବ ସେହିସବୁ ଦିନର ପ୍ରଧାନମନ୍ତ୍ରୀଙ୍କ କଲ ଲଗ୍ କୁ ତନ୍ନତନ୍ନ ଯାଞ୍ଚ କରିଛନ୍ତି। ଏଥିରୁ ସେମାନଙ୍କୁ ସେଭଳି କୌଣସି ପ୍ରମାଣ ମିଳି ନାହିଁ। ପ୍ରଧାନମନ୍ତ୍ରୀ ଓ ୟୁଏଇ ରାଷ୍ଟ୍ରପତିଙ୍କ ମଧ୍ୟରେ କୂଟନୈତିକ କଥାବାର୍ତ୍ତା କେବଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ ହୁଏ। ଏଥିରେ ଏମିରେଟ ପ୍ରତିନିଧି ଏକ ଖାସ ଏନକ୍ରିପ୍ଚେଡ ଡିଭାଇସ ନେଇ ଅଫିସକୁ ଆସିଥାନ୍ତି।