ଲଣ୍ଡନ: ବ୍ରିଟେନର ୱେଲସ୍ ସ୍ଥିତ ଐତିହାସିକ୍ କାର୍ଡିଫ କ୍ୟାସଲ ଉପରେ ପାକିସ୍ତାନୀ ପତାକା ଉଡିଛି। ଏହାକୁ ନେଇ ଏବେ ସାରା ଦେଶରେ ବିବାଦ ଦେଖାଦେଇଛି। ରିଫର୍ମ ୟୁକେ ପାର୍ଟିର ଜନୈକ ବରିଷ୍ଠ ନେତା ତଥା ଆର୍ଥିକ ପ୍ରବକ୍ତା ରବର୍ଟ ଜେନେରିକ୍ ସୋସିଆଲ ମିଡିଆରେ ଏହି ପତାକା ଉତ୍ତୋଳନର ଭିଡିଓ ସେୟାର କରି ଏହାକୁ ବ୍ରିଟିଶ ସଂସ୍କୃତିକୁ କବଜା କରିବା ଓ ପ୍ରାଧାନ୍ୟ ବିସ୍ତାର କରିବାର ଏକ ପ୍ରୟାସ ବୋଲି ଉଲ୍ଲେଖ କରିଛନ୍ତି। ଐତିହାସିକ ଓ ଜାତୀୟ ଐତିହ୍ୟ ଉପରେ ଏପରି ପତାକା ଉତ୍ତୋଳନର ମାନେ କ’ଣ ହୋଇପାରେ ବୋଲି ଜେନରିକ୍ ପ୍ରଶ୍ନ କରିଛନ୍ତି।

ଜେନେରିକ୍ ଙ୍କ ଏହି ଟିପ୍ପଣୀ ପରେ କଞ୍ଜରଭେଟିଭ ପାର୍ଟି ଓ ଅନ୍ୟ ରାଜନୈତିକ ଦଳର ନେତାମାନେ ରିଫର୍ମ ୟୁକେ ଉପରେ କଡ଼ା ଆକ୍ରମଣ କରିଛନ୍ତି। ୱେଲସ୍ କଞ୍ଜରଭେଟିଭ ଏମ.ଏସ୍.ନତାସା ଅସଗର ରିଫର୍ମ ୟୁକେ ବିରେଧରେ ଜାଣିଶୁଣି ବର୍ଣ୍ଣବିଦ୍ୱେଷ ବିବାଦ ଓ ଉତ୍ତେଜନା ଉସକାଇବାର ଅଭିଯୋଗ ଆଣିଛନ୍ତି। ଅସଗର କହିଛନ୍ତି ଯେ ବିଭିନ୍ନ ସମୂଦାୟ ସମ୍ମାନରେ ଅନୁଷ୍ଠିତ ପତାକା ଉତ୍ତୋଳନ ସମାରୋହ କାହାର ନିୟନ୍ତ୍ରଣର ପ୍ରତୀକ ନୁହେଁ। ଏହା ପାରସ୍ପରିକ ସମ୍ମାନ ଓ ଏକତାର ଉପାୟ ବୋଲି କହିଛନ୍ତି। ସେହିପରି ପ୍ଲେଡ ୱେଷ୍ଟମିନେଷ୍ଟର ନେତା ଲିଜ୍ ସ୍ୟାଭିଲ ରବର୍ଟସ ଅଭିଯୋଗ କରିଛନ୍ତି ଯେ ନିଜ ପାର୍ଟିର ଅନ୍ତରୀଣ ବିବାଦରୁ ଧ୍ୟାନ ହଟାଇବା ପାଇଁ ରବର୍ଟ ଜେନେରିକ୍ ସମାଜକୁ ଭାଗଭାଗ କରିବା ଭଳି ଉପାୟ ଅବଲମ୍ବନ କରୁଛନ୍ତି।

କାହିଁକି ଉଡିଲା ପାକିସ୍ତାନୀ ପତାକା?
ଏହି ବିବାଦକୁ ବଢୁଥିବା ଦେଖି କାର୍ଡିଫ କାଉନସିଲର ଲେବର ପାର୍ଟି ନେତା କ୍ରିସ୍ ୱିଭର ସ୍ପଷ୍ଟ କରିଛନ୍ତି ଯେ ୧୪ ଅଗଷ୍ଟ ପାକିସ୍ତାନ ସ୍ୱାଧୀନତା ଦିବସ ଓ ୯ ଅଗଷ୍ଟ ବିଶେଷ କାର୍ଯ୍ୟକ୍ରମରେ କାର୍ଡିଫ କ୍ୟାସଲରେ ପାକିସ୍ତାନୀ ପତାକା ଉଡାଯାଇଥିଲା। ସହରରେ ରହୁଥିବା ପାକିସ୍ତାନୀ ସମୂଦାୟର ଯୋଗଦାନ ସମ୍ମାନରେ ଏହି ପଦକ୍ଷେପ ନିଆଯାଇଥିଲା। ୱିଭର କହିଛନ୍ତି ଯେ କାଉନସିଲ ଦୀର୍ଘ ସମୟରୁ ଅନ୍ତର୍ଜାତୀୟ ଓ ଜାତୀୟ ଅବସରରେ ବିଭିନ୍ନ ଦେଶର ପତାକା ଉତ୍ତଳନ କରିବାର ପରମ୍ପରା ରହିଛି। ଏଥିରେ ଅଗଷ୍ଟ ୧୫ ତାରିଖ ଦିନ ଭାରତର ସ୍ୱାଧୀନତା ଦିବସ ପାଇଁ କାର୍ଡିଫ କ୍ୟାସଲରେ ଭାରତର ଜାତୀୟ ପତାକା ଉତ୍ତୋଳିତ ହୋଇଥିଲା। ଏହା ସହ କ୍ୟାସଲ କାନ୍ଥରେ ୱେଲସ୍ ଓ ବ୍ରିଟେନର ଜାତୀୟ ପତାକା ମଧ୍ୟ ବିଦ୍ୟମାନ ଥିଲା। ସେ ଏହି ବିବାଦକୁ ଭ୍ରମାତ୍ମକ ସୂଚନା ବୋଲି କହି ତୁରନ୍ତ ସମାପ୍ତ କରିବାକୁ ନିବେଦନ କରିଛନ୍ତି।

ରିଫର୍ମ ୟୁକେର ବଢୁଛି ସମର୍ଥନ
ନାଇଜେଲ ଫାରାଜଙ୍କ ନେତୃତ୍ୱରେ ଗଠିତ ରିଫର୍ମ ୟୁକେ ପାର୍ଟି ବ୍ରିଟେନରେ ଦ୍ରୁତ ଲୋକପ୍ରିୟତା ହାସଲ କରୁଛି। ନିକଟରେ ହୋଇଥିବା ଏକ ସର୍ଭେରେ ପାର୍ଟିକୁ ୩୫% ଭୋଟରଙ୍କ ସମର୍ଥନ ମିଳୁଥିବା ଦେଖା ଯାଇଛି। ୨୦୨୪ ସାଧାରଣ ନିର୍ବାଚନରେ ୧୪.୧୩% ଭୋଟ ସହିତ ୫ଟି ଆସନ ଜିତିବା ପରେ ପାର୍ଟି ଇମିଗ୍ରେସନ ଓ ମୁଦ୍ରାସ୍ଫୀତିକୁ ପ୍ରସଙ୍ଗ କରି ମୁଖ୍ୟଧାରାର ଲେବର ପାର୍ଟି ଓ କଞ୍ଜରଭେଟିଭ ପାର୍ଟିକୁ ଲଗାତାର ଘେରୁଛି।