କାଠମାଣ୍ଡୁ, ୦୪/୦୯: ନେପାଳ ବନ୍ୟାକୁ ଏବେସୁଦ୍ଧା ୧୦ ଦିନ ବିତିଗଲାଣି । ମୃତ୍ୟୁସଂଖ୍ୟା ୧୨୦୦ ଟପିଛି । ଏବେବି ୪୫୦୦ରୁ ଅଧିକ ନିଖୋଜ ରହିଛନ୍ତି । ମୃତ୍ୟୁସଂଖ୍ୟା ୨୦୦୦ ଟପିବ ବୋଲି ଅନୁମାନ କରାଯାଉଛି । ଏବେବି କାଦୁଆ ଭିତରୁ ବାହାରୁଛି ମୃତଦେହ । ନଦୀରେ ଭାସି ଭାରସରେ ଆସି ଲାଖୁଛି । ସବୁ କିଛି ବରବାଦ ହୋଇଯାଇଛି । ଘରଦ୍ୱାରା ମାଟିରେ ମିଶିଯାଇଛି । ଲକ୍ଷ ଲକ୍ଷ ଲୋକେ ବେସାହାରା ହୋଇ ପଡିଛନ୍ତି । ଏସବୁ ଭିତରେ ଆସିଛି ଖୁସି ଖବର । ମୃତ୍ୟୁର କବର ଭିତରୁ ଜୀବନର ସନ୍ଧାନ କରୁଛନ୍ତି ଉଦ୍ଧାରକାରୀ । ଏହାସହ ଦୁଇ ଜଣଙ୍କୁ ଏକ ସୁଡଙ୍ଗରୁ ଜୀବନ୍ତ ଉଦ୍ଧାର କରିଛନ୍ତି ।

ରିପୋର୍ଟ ଅନୁସାରେ, ନେପାଳର ତ୍ରିଶୂଳୀରେ ଥିବା ୩-ଏ ହାଇଡ୍ରୋ ପାଓ୍ୱାର ପ୍ରୋଜେକ୍ଟର ସୁଡଙ୍ଗରୁ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଉଛି । ସେମାନେ ହେଲେ ମେକାନିକାଲ୍ ଫୋରମ୍ୟାନ୍ ସଞ୍ଜୟ ଶାହ ଏବଂ ମେକାନିକାଲ ସୁପର ଭାଇଜର କବୀର ମହାଜନ । ଶୁକ୍ରବାର ପ୍ରଥମେ ସଞ୍ଜୟଙ୍କୁ ଉଦ୍ଧାର କରାଯାଇଥିଲା । ଏହାପରେ କବୀର ଉଦ୍ଧାର ହୋଇଥିଲେ ।

ଉଦ୍ଧାରକାରୀ ଟିମର କହିବାନୁସାରେ, ଉଦ୍ଧାରକାର୍ଯ୍ୟ ସହଜ ନଥିଲା । ସେମାନେ ଜାଣିନଥିଲେ ସୁଡଙ୍ଗ ଭିତରେ କିଏ ଅଛନ୍ତି ନା ନାହିଁ । ହେଲେ ତା ଭିତରୁ ଶବ୍ଦ ଶୁଭିଥିଲା । ଏହାପରେ ରେସକ୍ୟୁ ଟିମ୍ ଆମେ ଭିତରକୁ ଯାଉଛୁ ଏବଂ ଉଦ୍ଧାର କରିବୁ ବୋଲି କହିଥିଲେ । ଯାହାପରେ ନେପାଳ ସେନା ଏବଂ ପୋଲିସ ସୁଡଙ୍ଗରେ ପହଁଚି ଉଦ୍ଧାର କରିଥିଲେ । ଆଉ କିଏ ଏଠାରେ ଫସି ରହିଛନ୍ତି ନା ନାହିଁ ସେନେଇ ଅପରେସନ ଚାଲିଛି ।

Also Read :- 'ତୁମ ପରି ଛୋଟ ପିଲାଟିଏ'...କଲେଜ ଯିବାକୁ ନଥିଲା ରାସ୍ତା, ପରୀକ୍ଷା ପୂର୍ବରୁ ନିଜେ ତିଆରି କଲେ ଛାତ୍ରଛାତ୍ରୀ

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୬ ତାରିଖରେ ନେପାଳରେ ବନ୍ୟା ଆସିବାରୁ ତ୍ରିଶୁଳୀ ନଦୀରେ ପ୍ରବଳ ପାଣି ଆସିଥିଲା । ଫଳରେ ଆଖପାଖ ଅଞ୍ଚଳରେ ସବୁ ଭାଙ୍ଗିରୁଜି ଯାଇଥିଲା । ଏଥିରେ ବିଭିନ୍ନ ଜଳ ବିଦ୍ୟୁତ ଯୋଜନା କ୍ଷତିଗ୍ରସ୍ତ ହୋଇଛି । କଠିନ ପରିସ୍ଥିତିରେ ଉଦ୍ଧାରକାରୀ ଟିମ୍ ପ୍ରକଳ୍ପର ବିଭିନ୍ନ ସୁଡଙ୍ଗରେ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରୁଛନ୍ତି ।