ଭୋପାଳ: ମଧ୍ୟପ୍ରଦେଶର ଜଣେ ମହିଳା ଡିଏସପି ନେହା ପଚିସିଆଙ୍କ ଜୀବନରେ ଆସିଛି ଏକ ନାଟକୀୟ ମୋଡ଼। ଅଧିକାରର ଅପବ୍ୟବହାର, ଜବରଦସ୍ତ ଜମି ହଡ଼ପ ଏବଂ ଚାନ୍ଦା ଆଦାୟ ଅଭିଯୋଗରେ ତାଙ୍କୁ ସରକାର ନିଲମ୍ବିତ କରିଛନ୍ତି ।ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର ବାସିନ୍ଦା ନେହା ପଚିସିଆ ଦ୍ୱାଦଶ ଶ୍ରେଣୀ ପାସ କରିବା ପରେ ଏଭିଏସନ କ୍ଷେତ୍ରରେ ଯୋଗ ଦେଇଥିଲେ ଏବଂ ଏୟାର ଇଣ୍ଡିଆରେ କ୍ୟାବିନ୍ କ୍ରୁ ଭାବେ କାର୍ଯ୍ୟ କରୁଥିଲେ। ପରେ ସେ କ୍ୟାରିୟର ବଦଳାଇ ମଧ୍ୟପ୍ରଦେଶ ଲୋକସେବା ଆୟୋଗ (MPPSC) ପରୀକ୍ଷା ଦେଇଥିଲେ। ୨୦୧୬ରେ ପ୍ରକାଶିତ ଫଳାଫଳରେ ସେ ରାଜ୍ୟରେ ୨୦ତମ ରାଙ୍କ୍ ହାସଲ କରି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ଭାବରେ ପୋଲିସ ସେବାରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ କାଟନିରେ ସିଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ଭାବରେ ପଦୋନ୍ନତି ପାଇଥିଲେ।

୮୩ ଲକ୍ଷର ଜମି ମାତ୍ର ୧୮ ଲକ୍ଷରେ ହଡ଼ପ

ଜଣେ ହତ୍ୟା ଅଭିଯୁକ୍ତ ରମେଶ ଲୋଧି ଜେଲରେ ଥିବା ସମୟରେ ତାଙ୍କ ପରିବାରର ଅସହାୟତାର ସୁଯୋଗ ନେଇ ନେହା ପଚିସିଆ ଓ ତାଙ୍କ ସହଯୋଗୀମାନେ ପୋଲିସ କ୍ଷମତାର ଭୟ ଦେଖାଇଥିଲେ। ସରକାରୀ ରେକର୍ଡ ଅନୁସାରେ ୮୨.୮୬ ଲକ୍ଷ ଟଙ୍କାର ଜମିକୁ ମାତ୍ର ୧୮.୨୦ ଲକ୍ଷ ଟଙ୍କାରେ ମାରୁଫ୍ ଅହମ୍ମଦ ହାନାଫି ନାମକ ଜଣେ ବ୍ୟକ୍ତିଙ୍କ ନାମରେ ବିକ୍ରି କରିବାକୁ ବାଧ୍ୟ କରାଯାଇଥିଲା। ଜୁଲାଇ ୨୦୨୫ ସୁଦ୍ଧା ହାନାଫିଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୩,୦୩୬ ଟଙ୍କା ଥିଲା। କିନ୍ତୁ ଜମି ରେଜିଷ୍ଟ୍ରି ଦିନ (୧୫ ଏପ୍ରିଲ ୨୦୨୬) ତାଙ୍କ ଆକାଉଣ୍ଟକୁ ହଠାତ୍ ୧୫ ଲକ୍ଷ ଟଙ୍କା ଆସିଥିଲା, ଯାହା ଶାଇନ୍ ପାର୍ଟନର୍ସ ଏବଂ କ୍ଷିତିଜ ରାଜ ବାରାପାତ୍ରେ ନାମକ ସଂସ୍ଥା/ବ୍ୟକ୍ତିଙ୍କଠାରୁ ପଠାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ କ୍ଷିତିଜ ରାଜ ହେଉଛନ୍ତି ସିଏସପି ନେହାଙ୍କ ନିକଟତର ବ୍ୟବସାୟୀ ସହଯୋଗୀ।

ମୁଖ୍ୟମନ୍ତ୍ରୀଙ୍କ କଠୋର କାର୍ଯ୍ୟାନୁଷ୍ଠାନ

ଜବଲପୁର ଜୋନ୍ ଆଇଜି ଏବଂ ଭୋପାଳ ଭିଜିଲାନ୍ସର ତଦନ୍ତ ପରେ କାଟନିର କୁଠଲା ପୋଲିସ ଷ୍ଟେସନରେ ନେହା ପଚିସିଆ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଜାଲିଆତି, ଧମକ ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଛି। ମଧ୍ୟପ୍ରଦେଶ ହାଇକୋର୍ଟ ଅନ୍ତରୀଣ ଜାମିନ ନାମଞ୍ଜୁର କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନେହାଙ୍କୁ ତୁରନ୍ତ ନିଲମ୍ବିତ କରି ଭୋପାଳ ପୋଲିସ ମୁଖ୍ୟାଳୟରେ ଆଟାଚ୍ କରିଛନ୍ତି।

ପୂର୍ବରୁ ବି ଥିଲା ଲାଞ୍ଚ ଅଭିଯୋଗ

ଏହି ଜମି ବିବାଦର ମାସକ ପୂର୍ବରୁ ଜଣେ ପରିବହନ ବ୍ୟବସାୟୀ ମହେନ୍ଦ୍ର ଜୈନ ମଧ୍ୟ ନେହାଙ୍କ ବିରୋଧରେ ୩୦,୦୦୦ ଟଙ୍କାର ଲାଞ୍ଚ ମାଗିବା ଅଭିଯୋଗ ଆଣିଥିଲେ। ବାଲି ବୋଝେଇ ଟ୍ରକ୍ ଛାଡ଼ିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ତାଙ୍କ ଗାଡ଼ି ଚାଳକ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ନେହାଙ୍କ ହାତରୁ ୩ଟି ପୋଲିସ ଷ୍ଟେସନର ଦାୟିତ୍ୱ କାଢ଼ି ନିଆଯାଇଥିଲା।