ମୁମ୍ବାଇ : ବଲିଉଡ୍ ଅଭିନେତା ଇମ୍ରାନ ଖାନଙ୍କ ପାଇଁ ବଢ଼ିଲା ଅଡୁଆ। ମୁମ୍ବାଇର ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (FRRO) ତାଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ ନୋଟିସ୍ ଦେଇଥିବାବେଳେ, ଏବେ ତାଙ୍କର ଭାରତର ବିଦେଶସ୍ଥ ନାଗରିକ (OCI) ପଞ୍ଜୀକରଣ ବାତିଲ୍ କରାଯିବା ଉଚିତ କି ନୁହେଁ, ସେନେଇ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଏହି ପଦକ୍ଷେପକୁ ଚ୍ୟାଲେଞ୍ଜ କରି ଅଭିନେତା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନ ନିକଟରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ପ୍ରତିବାଦରେ ଇମ୍ରାନ ଖାନ୍ ସାମିଲ ହୋଇଥିଲେ। ପ୍ରତିବାଦରେ ସିଜେପି ପାର୍ଟି ପକ୍ଷରୁ ନିର୍ବାଚନ ଆୟୋଗ ସମ୍ପର୍କିତ ପ୍ରସଙ୍ଗ ଉଠାଯାଇଥିଲା ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବି କରାଯାଇଥିଲା। ଏହି ପ୍ରତିବାଦ ପାଇଁ ପୂର୍ବରୁ ଅନୁମତି ନିଆଯାଇ ନଥିବା ଅଭିଯୋଗ ହୋଇଥିଲା। ପ୍ରତିବାଦ ସମୟରେ ଇମ୍ରାନଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତିଙ୍କୁ ମୁମ୍ବାଇ ପୁଲିସ ଅଟକ ରଖିଥିଲା। ପରେ ବିଜେପି ନେତା କିରିଟ ସୋମାୟା ତାଙ୍କର ପ୍ରତିବାଦରେ ଯୋଗଦାନକୁ ନେଇ ଅଭିଯୋଗ କରିଥିଲେ। ଏହାପରେ FRRO ପକ୍ଷରୁ ପଦକ୍ଷେପ ନିଆଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ଭାରତ ଛାଡ଼ିବାକୁ ନିର୍ଦ୍ଦେଶ :ଅକ୍ଟୋବର ୧୪ ତାରିଖରେ ମୁମ୍ବାଇ FRRO ପକ୍ଷରୁ ଇମ୍ରାନ ଖାନଙ୍କୁ ଏହି ବାବଦରେ ନୋଟିସ୍ ଜାରି କରାଯାଇଥିଲା। ଏଥିରେ ଇମ୍ରାନ ଖାନ୍ ଆମେରିକାର ନାଗରିକ ଏବଂ OCI କାର୍ଡଧାରୀ ହୋଇଥିବା ଉଲ୍ଲେଖ ରହିଛି। ତାଙ୍କ ବିରୋଧରେ ଇମିଗ୍ରେସନ ଏଣ୍ଡ ଫରେନର୍ସ ଆକ୍ଟ, 2025ର ବ୍ୟବସ୍ଥା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ କୁହାଯାଇଛି। ନୋଟିସରେ ଏହି ନିର୍ଦ୍ଦେଶ ପାଳନ ନକଲେ ସମ୍ପୃକ୍ତ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଅଧିକ ଆଇନଗତ ପଦକ୍ଷେପ ନିଆଯାଇପାରେ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପଟେ ଏହି ମାମଲାରେ ଅକ୍ଟୋବର ୧୭ ତାରିଖରେ FRRO ଆଉ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଏଥିରେ ଇମ୍ରାନ ଖାନଙ୍କ OCI ପଞ୍ଜୀକରଣ କାହିଁକି ବାତିଲ୍ କରାଯିବ ନାହିଁ, ସେନେଇ ଜବାବ ମଗାଯାଇଛି। ଏହି ନୋଟିସ୍ର ଜବାବ ଦେବା ପାଇଁ ତାଙ୍କୁ ୧୫ ଦିନ ସମୟ ଦିଆଯାଇଛି। ଭାରତର ନାଗରିକତା ଆଇନ, ୧୯୫୫ର ଧାରା ୭ଡି(e) ଅନୁଯାୟୀ ନିର୍ଦ୍ଦିଷ୍ଟ ପରିସ୍ଥିତିରେ OCI ପଞ୍ଜୀକରଣ ବାତିଲ୍ କରିବାର ବ୍ୟବସ୍ଥା ରହିଛି।

FRROର ନୋଟିସ୍କୁ ଚ୍ୟାଲେଞ୍ଜ କରି ଇମ୍ରାନ ଖାନ୍ ଅକ୍ଟୋବର ୧୭ ତାରିଖରେ ବମ୍ବେ ହାଇକୋର୍ଟରେ ଏକ ରିଟ୍ ପିଟିସନ୍ ଦାଖଲ କରିଛନ୍ତି। ତାଙ୍କ ଯୁକ୍ତି ହେଉଛି ଯେ ତାଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ନଦେଇ ଭାରତ ଛାଡ଼ିବାକୁ କୁହାଯାଇଛି। ସେ ମାତ୍ର ଦୁଇ ବର୍ଷ ବୟସରୁ ଭାରତରେ ରହିଆସୁଛନ୍ତି ଏବଂ ତାଙ୍କ ପରିବାର ଓ ଜୀବନଯାପନ ଭାରତ ସହ ଜଡ଼ିତ । ତାଙ୍କ ମତରେ, ଏହି ନିର୍ଦ୍ଦେଶ ମନମୁଖୀ ଏବଂ ତାଙ୍କ ସାମ୍ବିଧାନିକ ଅଧିକାରକୁ ପ୍ରଭାବିତ କରୁଛି। ସେ ଭାରତ ଛାଡ଼ିବା ନୋଟିସ୍କୁ ରଦ୍ଦ କରିବା ସହ ଏହା ଉପରେ ତୁରନ୍ତ ସ୍ଥଗିତାଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହି ଘଟଣା ଏବେ ବିଦେଶୀ ନାଗରିକ ଏବଂ OCI କାର୍ଡଧାରୀଙ୍କ ଅଧିକାରକୁ ନେଇ ଆଇନଗତ ଆଲୋଚନା ସୃଷ୍ଟି କରିଛି। OCI କାର୍ଡ ଭାରତୀୟ ନାଗରିକତା ସହ ସମାନ ନୁହେଁ ଏବଂ ଏହା ରାଜନୈତିକ ଅଧିକାର ପ୍ରଦାନ କରେ ନାହିଁ । ତେବେ ଏହି ମାମଲାରେ କୋର୍ଟଙ୍କ ଚୂଡ଼ାନ୍ତ ରାୟ କଣ ଆସୁଛି ତାହା ଉପରେ ନଜର ।