ନୂଆଦିଲ୍ଲୀ: କେମେଷ୍ଟ୍ରି ପେପର ଲିକ୍ କରିଥିବା ଲେକ୍ଚରର ପି.ଭି.କୂଲକର୍ଣ୍ଣିଙ୍କ ପରେ ସିବିଆଇ ବାୟୋଲଜି ପେପର ଲିକ୍ କରିଥିବା ମନିଷା ଗୁରୁନାଥ ମଣ୍ଡହରେଙ୍କୁ ଗିରଫ କରିଛି। ଉଭୟ ପୁଣେର ବାସିନ୍ଦା ତେବେ ମନିଷା ଗୁରୁନାଥଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। କୂଲକର୍ଣ୍ଣିଙ୍କ ଭଳି ମନିଷା ଗୁରୁନାଥ ମଧ୍ୟ ମନିଷ ବାଘମାରେଙ୍କ ଘରେ ସ୍ପେଶାଲ କ୍ଲାସ୍ ରେ ଛାତ୍ରଛାତ୍ରୀଙ୍କୁ ବଟନୀ ଓ ଜୁଲୋଜି ପ୍ରଶ୍ନ ପତ୍ରର ଉତ୍ତର ବତାଇଥିଲେ। ଯାହା ପରେ ନିଟ୍ ପରୀକ୍ଷାରେ ଆସିଥିଲା।

ଏହି ଦୁଇଜଣଙ୍କ ଗିରଫ ପରେ ଏବେ ସିବିଆଇ ଯାଞ୍ଚ ଦେଶରେ ନିଟ୍ ପରୀକ୍ଷା ଆୟୋଜନ କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ଶୀର୍ଷ ଅଧିକାରୀଙ୍କ ଉପରେ ନିବଦ୍ଧ ହୋଇଛି। ସିବିଆଇର ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ କୁଲକର୍ଣ୍ଣି ଓ ମନିଷା ଗୁରୁନାଥଙ୍କ ଗିରଫ ପରେ ନିଟ୍ ପେପର ପୁଣେ, ନାସିକ୍, ଗୁରୁଗ୍ରାମ ହୋଇ ଜୟପୁର ପର୍ଯ୍ୟନ୍ତ ପହଞ୍ଚିବା ଓ ପରେ ହ୍ୱାଟସ୍ ଆପ୍ ଓ ଟେଲିଗ୍ରାମ ଚ୍ୟାନଲରେ ପ୍ରସାରିତ ହେବାର କ୍ରମ ଏବେ ଖୋଲି ଯାଇଛି ଓ ଏଥିରେ ସାମିଲ ସମସ୍ତଙ୍କୁ ଗିରଫ କରାଯାଇଛି।

ଏବେ କେବଳ ଏହି କଥାର ଯାଞ୍ଚ ହେଉଛି କୁଲକର୍ଣ୍ଣି ଓ ଗୁରୁନାଥଙ୍କୁ ଏହି ପେପର ଦେଲା କିଏ? ସିବିଏସସି, ଜେଇଇ ଓ ନିଟ ସମେତ ସବୁ ପ୍ରତିଯୋଗୀତା ପରୀକ୍ଷା ଲାଗି ସବୁ ବିଷୟର ପ୍ରଶ୍ନପତ୍ର ପ୍ରସ୍ତୁତ କରିବା ପାଇଁ ସାରା ଦେଶର ଶିକ୍ଷକଙ୍କ ପ୍ୟାନେଲ ଗଠନ କରିବାର ପ୍ରୋଟକଲ ରହିଛି। ସବୁ ବିଷୟରେ ୧୦୦-୧୫୦ ଶିକ୍ଷକଙ୍କ ଦ୍ୱାରା ଅଲଗା ଅଲଗା ପ୍ରସ୍ତୁତ ପ୍ରଶ୍ନକୁ ମିଶାଇ ଚୂଡ଼ାନ୍ତ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଏ। ଅର୍ଥାତ କୌଣସି ଶିକ୍ଷକ ଏହା ଜାଣି ନଥାନ୍ତି ତାଙ୍କର କେଉଁ ପ୍ରଶ୍ନଟି ଚୂଡ଼ାନ୍ତ ପ୍ରଶ୍ନ ପତ୍ରରେ ସ୍ଥାନିତ ହେବ। ତେବେ କୁଲକର୍ଣ୍ଣି ଓ ମନିଷା ଗୁରୁନାଥଙ୍କ ପାଖରେ କେମେଷ୍ଟ୍ରି ଓ ବାୟୋଲଜିର ସବୁ ପ୍ରଶ୍ନ ଥିଲା। ଯାହାକୁ ସେମାନେ ମନିଷ ବାଘମାରେଙ୍କ ଘରେ ଛାତ୍ରଛାତ୍ରୀଙ୍କୁ ବତାଇ ଦେଇଥିଲେ।

ଅଧିକାରୀଙ୍କ ଅନୁସାରେ ଚୂଡ଼ାନ୍ତ ପ୍ରଶ୍ନପତ୍ରର ସୂଚନା ଏନଟିଏର ମାତ୍ର କିଛି ଅଧିକାରୀ ଜାଣିଥାନ୍ତି। କାରଣ ଏହି ଅଧିକାରୀଙ୍କ ଉପରେ ପ୍ରିଣ୍ଟିଂ ପ୍ରେସ୍ ରେ ପ୍ରଶ୍ନପତ୍ର ଛାପିବାର ଦାୟିତ୍ୱ ନ୍ୟସ୍ତ ଥାଏ। ତେବେ ପି.ଭି.କୁଲକର୍ଣ୍ଣି ଓ ମନିଷା ଗୁରୁନାଥ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ଟିମ୍ ରେ ଥିବାରୁ ଏହା ପୁଷ୍ଟି ହେଉଛି ଯେ ଦୁଇଜଣଙ୍କୁ ଜାଣିଥିବା ଏନଟିଏର କୌଣସି ବରିଷ୍ଠ ଅଧିକାରୀ ଯାହାଙ୍କ ପହଞ୍ଚ ଚୂଡ଼ାନ୍ତ ପ୍ରଶ୍ନ ପତ୍ର ପର୍ଯ୍ୟନ୍ତ ଥିଲା ସେ ହିଁ ପେପର ଲିକ୍ କରିଛନ୍ତି।

ତେବେ ମନିଷା ଗୁରୁନାଥ ମଣ୍ଡହରେ ବଟନୀ ଶିକ୍ଷିକା ଥାଇ ଜୁଲୋଜି ଉତ୍ତର ମଧ୍ୟ ଛାତ୍ରଛାତ୍ରୀଙ୍କୁ ବତାଇଥିଲେ। ଏଣୁ ଏବେ ଆଶଙ୍କା ହେଉଛି ଯେ ଏହି ପ୍ରଶ୍ନ ପତ୍ର କେବଳ କୁଲକର୍ଣ୍ଣିଙ୍କୁ ମିଳିଥିଲା ନା ଦୁଇଜଣଙ୍କୁ? କୁଲକର୍ଣ୍ଣି ଓ ମନିଷା ପୁଣେ ଏବଂ ଲାଟୁରର ବିଭିନ୍ନ କୋଚିଂରେ ପଢାନ୍ତି। ତେବେ ସେମାନଙ୍କୁ ପ୍ରଶ୍ନପତ୍ର ପ୍ରସ୍ତୁତି ଟିମ୍ ରେ ସାମିଲ କରାଗଲା କେମିତି ତାହା ଏବେ ସିବିଆଇ ପାଇଁ ବଡ଼ ପ୍ରଶ୍ନ ପାଲଟିଛି। ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏପରି କରିବା ଦ୍ୱାରା ପରୀକ୍ଷା ପ୍ରଣାଳୀର ସୂଚୀମନ୍ତତାର ବିପରୀତ।