ନୂଆଦିଲ୍ଲୀ: ଜ୍ଞାନେଶ କୁମାର ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ କେରଳରେ ପବ୍ଲିକ ୱାର୍କସ ଡିପାର୍ଟମେଣ୍ଟ (PWD) ର ସଚିବ ଭାବରେ କାର୍ଯ୍ୟରତ ଥିବା ସମୟରେ ଏକ ବଡ଼ ବିବାଦରେ ଛନ୍ଦି ହୋଇପଡ଼ିଥିଲେ। ଜଣେ ମାଲେସୀୟ ପ୍ରକଳ୍ପ ଅଧିକାରୀଙ୍କ ଆତ୍ମହତ୍ୟା ନୋଟରେ ତାଙ୍କ ନାମ ଉଲ୍ଲେଖ ହେବା ପରେ ଏହି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା। ନିକଟରେ ସିପିଆଇ(ଏମ୍) ର ବରିଷ୍ଠ ନେତା ଟି ମାର୍କସ ଥୋମାସ୍ ଆଇଜାକ୍‌ ସୋସିଆଲ ମିଡିଆ ମାଧ୍ୟମରେ ଏହି ପୁରୁଣା ମାମଲାକୁ ପୁଣି ଥରେ ଲୋକଲୋଚନକୁ ଆଣିଛନ୍ତି।

୨୦୦୬ ରୁ ୨୦୧୧ ମସିହା ମଧ୍ୟରେ କେରଳର ଅର୍ଥମନ୍ତ୍ରୀ ଥିବା ଥୋମାସ୍ ଆଇଜାକ୍‌ ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’କୁ କହିଛନ୍ତି ଯେ, କେରଳର ଏକ ପ୍ରମୁଖ ସଡ଼କ ପ୍ରକଳ୍ପ ଦାୟିତ୍ୱରେ ଥିବା PATI-BEL କମ୍ପାନୀର ମାଲେସୀୟ ଅଧିକାରୀ ଲି ବିନ୍ ସିନ୍ ୨୦୦୬ ନଭେମ୍ବରରେ କୁଆଲାଲମ୍ପୁରଠାରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଲେଖିଥିବା ଚିଠିରେ PWD ଅଧିକାରୀମାନଙ୍କ ଦ୍ୱାରା ହୋଇଥିବା ଦୁର୍ନୀତି, କୁପରିଚାଳନା ଏବଂ ମାନସିକ ନିର୍ଯାତନା ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ଜ୍ଞାନେଶ କୁମାରଙ୍କ ନାମ ଉଲ୍ଲେଖ ରହିଥିଲା। ଏହି ଚିଠିରେ ଲାଞ୍ଚ ଦାବି କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା।

ଏହି ସମ୍ବେଦନଶୀଳ ଅଭିଯୋଗ ପରେ ଏକ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା ଏବଂ ୨୦୦୬ ଶେଷ ଆଡ଼କୁ ଜ୍ଞାନେଶ କୁମାରଙ୍କୁ PWD ସଚିବ ପଦବୀରୁ ବଦଳି କରାଯାଇଥିଲା। ପରବର୍ତ୍ତୀ ସମୟରେ ସେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସ୍ଥାନାନ୍ତରିତ ହୋଇଥିଲେ। ଇସାକଙ୍କ କହିବା ଅନୁଯାୟୀ, ପ୍ରଥମେ ୨୧୬ କୋଟି ଟଙ୍କାର ଅଟକଳ କରାଯାଇଥିବା ଏହି ସଡ଼କ ପ୍ରକଳ୍ପଟି ଜମି ଅଧିଗ୍ରହଣ ସମସ୍ୟା ଓ ଅନ୍ୟାନ୍ୟ ବିବାଦ ଯୋଗୁଁ ଶେଷରେ ପ୍ରାୟ ୩୩୦ କୋଟି ଟଙ୍କାରେ ପହଞ୍ଚିଥିଲା। ସରକାରୀ ଅଧିକାରୀଙ୍କ ଶୋଷଣ, ବାକି ଟଙ୍କା ପରିଶୋଧରେ ବିଳମ୍ବ ଏବଂ ପ୍ରକଳ୍ପର ମନ୍ଥର ଗତିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ହିଁ ମାଲେସୀୟ ଅଧିକାରୀଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ଥିଲା।

ସେ ଅଭିଯୋଗ କରିଛନ୍ତି, ବିଭାଗର ଅବହେଳା ଯୋଗୁଁ ସମସ୍ତ ଦୋଷ କେରଳ ସରକାରଙ୍କ ଉପରେ ପଡ଼ିଥିଲା। ଭିଜିଲାନ୍ସ ବିଭାଗ ପାଖରେ ଏହି ତଦନ୍ତର ରେକର୍ଡ ଏବେ ବି ଅଛି କି ନାହିଁ, ସେ ନେଇ ମୁଁ ନିଶ୍ଚିତ ନୁହେଁ, କାରଣ ସାଧାରଣତଃ ପୁରୁଣା ଫାଇଲ୍‌ଗୁଡ଼ିକ ନଷ୍ଟ କରିଦିଆଯାଏ। ଏହା ୨୦ ବର୍ଷ ତଳର ଘଟଣା। ହୋଇପାରେ ମାଲେସୀୟ କମ୍ପାନୀ ମଧ୍ୟ ଏହି ମାମଲାକୁ ଆଗକୁ ବଢ଼ାଇବାକୁ ଚାହିଁନଥିଲା  । ମୁଁ ବ୍ୟକ୍ତିଗତ ଭାବେ ଲି ବିନ୍ ସିନ୍‌ଙ୍କ ଆତ୍ମହତ୍ୟା ନୋଟ୍ ପଢ଼ିନାହିଁ, ମାତ୍ର ସେତେବେଳେ ଅଧିକାରୀମାନଙ୍କ ଦ୍ୱାରା ଲାଞ୍ଚ ଦାବି ଏବଂ ଟଙ୍କା ମାଗିବା ଅଭିଯୋଗ ନେଇ ବ୍ୟାପକ ଆଲୋଚନା ହେଉଥିଲା। ଏହି ଅଭିଯୋଗରେ ଜ୍ଞାନେଶ କୁମାରଙ୍କ ନାମ ମଧ୍ୟ ରହିଥିଲା ବୋଲି ସେ ଦାବି କରିଛନ୍ତି । 

ଏହି ଆତ୍ମହତ୍ୟା ପରେ, ରାଜ୍ୟ ଭିଜିଲାନ୍ସ ବିଭାଗ ଏକ ତଦନ୍ତ କରିଥିଲେ ସୁଦ୍ଧା, ଅଧିକାର କ୍ଷେତ୍ର ସମ୍ବନ୍ଧୀୟ ସମସ୍ୟା ଏବଂ ଅଧିକାରୀମାନଙ୍କ ଆଗ୍ରହ ଅଭାବ ଯୋଗୁଁ ଏହା କୌଣସି ନିଷ୍କର୍ଷରେ ପହଞ୍ଚି ପାରିନଥିଲା।ସେହି ସମୟରେ କାର୍ଯ୍ୟରତ ବରିଷ୍ଠ ପୁଲିସ ଅଧିକାରୀମାନେ ଏହି ମାମଲାର ଫଳାଫଳ ବିଷୟରେ ଅଜ୍ଞତା ପ୍ରକାଶ କରିଛନ୍ତି। ଭିଜିଲାନ୍ସ ଏକ ତଦନ୍ତ କରିଥିଲା। ହେଲେ ଏହା କୌଣସି ନିଷ୍କର୍ଷରେ ପହଞ୍ଚି ପାରିନଥିଲା। ଜନସାଧାରଣଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ସେତେବେଳେ ସରକାରୀ କଳ ଏହି ମାମଲାକୁ ଆଗକୁ ବଢ଼ାଇବା ପାଇଁ ବେଶି ଆଗ୍ରହୀ ନଥିଲେ ବୋଲି ଜଣେ ଅବସରପ୍ରାପ୍ତ ଉଚ୍ଚ ପୁଲିସ ଅଧିକାରୀ କହିଛନ୍ତି। ସେତେବେଳେ ଏହି ବିବାଦ କେରଳର ଭିତ୍ତିଭୂମି କ୍ଷେତ୍ରକୁ ଦୋହଲାଇ ଦେଇଥିଲା। ଅନିୟମିତତା ଅଭିଯୋଗ ଏବଂ କଣ୍ଟ୍ରାକ୍ଟରଙ୍କୁ ଟଙ୍କା ପରିଶୋଧ କରିବାରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ଏହି ମୃତ୍ୟୁ ଏକ ବଡ଼ ରାଜନୈତିକ ଝଡ଼ ସୃଷ୍ଟି କରିଥିଲା।