ନୟାଗଡ଼ ୧୮।୦୬ : ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନୟାଗଡ ଶରଣକୂଳ ଥାନା ଅଧିକାରୀ ସୁଜିତ ଦାସଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଶରଣକୂଳ ଥାନାଅଧିକାରୀଙ୍କ ବିରୁଦ୍ଧରେ ଆସିଛି ସଂଗୀନ ଅଭିଯୋଗ । ଜଣେ ମହିଳାଙ୍କୁ ଭିଡିଓ କଲ୍ କରି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଅଭିଯୋଗର ନିରପେକ୍ଷ ଓ ସଠିକ୍ ତଦନ୍ତ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା କରିବ। ସେହିପରି, ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି।

ଖବର ଅନୁଯାୟୀ,  ଶରଣକୁଳ ଥାନା ଅଞ୍ଚଳର ଜଣେ ମହିଳାଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ଜାଗାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଗ୍ରାମବାସୀ ମହିଳାଙ୍କ ଘର ଭାଙ୍ଗିଦେଇଥିଲେ । ମହିଳା ଶରଣକୁଳ ଥାନାର ଦ୍ୱାରସ୍ଥ ହୋଇଥିଲେ। ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସ ମହିଳାଙ୍କୁ ମାମଲାରେ ସହଯୋଗ କରିବାକୁ କହି ଫୋନ୍ ନମ୍ବର ନେଇଥିଲେ।

Also Read:-ଟ୍ରାକ୍‌ରୁ ଷ୍ଟିୟରିଂ ପର୍ଯ୍ୟନ୍ତ: ଦୌଡ଼ରାଣୀ ଏବେ ‘ଆମ ବସ୍’ର ଡ୍ରାଇଭର

କିଛି ଦିନ ଫୋନ୍‌ରେ କଥା ହେବା ପରେ ମହିଳାଙ୍କ ଫୋନ୍‌କୁ ଅଶ୍ଳୀଳ ଫଟୋ ପଠାଇଲେ । ଅନେକ ସମୟରେ ଥାନା ଅଧିକାରୀ ଅଭଦ୍ର ଭାଷାରେ କଥା ହେଉଥିଲେ । ଏପରିକି ଭିଡିଓ କଲ୍ କରି ନିଜ ଶରୀର ପ୍ରଦର୍ଶନ କରିବା ସହ ମହିଳାଙ୍କୁ ବି ବାଧ୍ୟ କରୁଥିଲେ । ହେଲେ ମହିଳା ରାଜି ହୋଇ ନଥିଲେ । କିଛି ଦିନ ତଳେ ମହିଳା ନୟାଗଡ଼ ପିଟିଏସ୍ ଛକରେ ଠିଆହୋଇଥିବାବେଳେ ଥାନା ଅଧିକାରୀ ତାଙ୍କୁ ଦେଖି ଗାଡ଼ିରେ ନିଜ ଭଡ଼ାଘରକୁ ନେଇ ଦୁଷ୍ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏ ସଂପର୍କରେ କାହାରିକୁ କହିଲେ ତୋ ବାପା, ଭାଇଙ୍କୁ ବାନ୍ଧି ଜେଲ୍ ପଠାଇଦେବି ବୋଲି ଥାନା ଅଧିକାରୀ ଧମକ ଦେଇଥିଲେ । ହେଲେ ମହିଳା ଆପତ୍ତିଜନକ ଭିଡିଓରୁ ଏକ ଫଟୋ ସୋସିଆଲ ମିଡିଆରେ ଛାଡ଼ିଦେଇଥିଲେ ଯାହାକୁ ନେଇ ସେ ଶରଣକୁଳ ବ୍ୟାଙ୍କ ଆଗରେ ଠିଆହୋଇଥିବା ବେଳେ ଥାନା ଅଧିକାରୀ ଗତ ୨୮ ତାରିଖରେ ତାଙ୍କୁ ଜବରଦସ୍ତ ଟଣାଓଟରା କରି ଥାନାକୁ ଉଠାଇ ନେଇଥିଲେ ଏବଂ ମିଛ ମାମଲାରେ ଜେଲ୍ ପଠାଇଦେଲେ ।

ଗତ ୧୨ ତାରିଖରେ ସେ ଜାମିନରେ ଆସିଥିବା କହିଛନ୍ତି । ଥାନା ଅଧିକାରୀ ତାଙ୍କ ମୋବାଇଲ ଛଡ଼ାଇ ନେଇ ସବୁ ଫଟୋ ଓ ଭିଡିଓ ଡିଲିଟ କରିବା ସହ ମୋବାଇଲ୍ ଥାନାରେ ରଖିଛନ୍ତି । ଏହାର ତଦନ୍ତ କରାଯାଇ ଥାନା ଅଧିକାରୀଙ୍କୁ ଦଣ୍ଡ ଦେବାକୁ ମହିଳା ନିବେଦନ କରିଛନ୍ତି । ଏଏସ୍ପି ମହିଳାଙ୍କ ସମସ୍ତ ଅଭିଯୋଗ ଶୁଣିଛନ୍ତି । ମହିଳାଙ୍କ ଅଭିଯୋଗର ସତ୍ୟତା ଥିଲେ ଆଇନ ଅନୁଯାୟୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଦ୍ୱାରା କରାଯିବ । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଶ୍ରୀ ଦାସଙ୍କୁ ଯଥାଶୀଘ୍ର ଶରଣକୁଳ ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିବା ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।