ଭୁବନେଶ୍ୱର: ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ବିଜେତା ଜଣେ ଦୌଡ଼ରାଣୀ। ଇଚ୍ଛା ଥିଲା ଦେଶ ପାଇଁ ଖେଳିବେ, କ୍ରୀଡ଼ା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ। ହେଲେ ଭାଗ୍ୟ ତାଙ୍କୁ ନେଇ ଆସିଛି ଅନ୍ୟ ଏକ ରାସ୍ତାରେ। ପରିବାରର ଦାୟିତ୍ୱ ପାଇଁ ହାତରେ ଧରିଛନ୍ତି ବସ ଷ୍ଟିୟରିଂ। ଆମ ବସର ମହିଳା ଚାଳକ ପଲ୍ଲବୀ ଦେଉରୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଏହି ରିପୋର୍ଟ।

ମାତ୍ର ୨୫ ବର୍ଷ ବୟସ। ଯେଉଁ ବୟସରେ ଖେଳାଳିମାନେ ପଦକ ଜିତିବା ସ୍ୱପ୍ନ ଦେଖନ୍ତି, ସେହି ବୟସରେ ପଲ୍ଲବୀ ଦେଉରୀ ଏବେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ଦାୟିତ୍ୱ ନେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ନୌରେ ୧୫ ଦିନିଆ ତାଲିମ ନେବା ପରେ ଗତ ମାସରେ ପଲ୍ଲବୀଙ୍କୁ କେନ୍ଦୁଝରରେ ସେବା ଯୋଗାଇବାକୁ ନିଯୁକ୍ତି ମିଳିଥିଲା । ସମସ୍ତ ବସ୍ ସମ୍ପୂର୍ଣ୍ଣ ଭାବେ ଏସି ହୋଇଥିବା ବେଳେ ପ୍ରତିଟି ବସ୍ରେ ସିସିଟିଭି କ୍ୟାମେରା, ପ୍ୟାନିକ୍ ବଟନ ଓ ଜିପିଏସ୍ ବ୍ୟବସ୍ଥା ରହିଛି । ଆଡାସ୍ କ୍ୟାମେରା ମଧ୍ୟ ବ୍ୟବସ୍ଥା ରହିଛି । ଯାହାଦ୍ୱାରା ଯାତ୍ରୀମାନେ ବିଶେଷ କରି ମହିଳାମାନେ ନିର୍ଭୟରେ ଯାତ୍ରା କରିପାରିବେ ।

ଆସାମ ରାଜ୍ୟରେ ପରିବାର ସହିତ ବେଶ୍ ହସଖୁସିରେ ସମୟ ଅତିବାହିତ କରୁଥିଲେ ପଲ୍ଲବୀ । ଆକସ୍ମିକ ଭାବେ ବାପାଙ୍କ ପରଲୋକ ଘଟିଥିଲା । ବାପାଙ୍କ ପରଲୋକ ପରେ ଘରେ ମା’ ଓ ବଡ଼ ଭାଇ । ସେ ସମୟରେ ପଲ୍ଲବୀ ସହିତ ଜାତୀୟସ୍ତରର କ୍ରୀଡାବିତ୍ ଦୂତି ଚାନ୍ଦଙ୍କ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ଭେଟ ହୋଇଥିଲା । ଦୌଡ଼ରାଣୀ ଭାବେ ପରିଚୟ ପାଇବା ଆଶାରେ ସେ ଆସାମ ଛାଡି ଓଡ଼ିଶା ପଳାଇ ଆସିଲେ । ଭୁବନେଶ୍ୱରରେ ରହି ଦୌଡ ପ୍ରଶିକ୍ଷଣ ନେବା ସହିତ ବାରଙ୍ଗ କୁଞ୍ଜବିହାରୀ କଲେଜରେ ଯୁକ୍ତ ୩ ପାଠ ପଢ଼ୁଥିଲେ ପଲ୍ଲବୀ । ଜଣେ ଦୌଡ଼ରାଣୀ ଭାବେ ସଫଳତା ମଧ୍ୟ ଅର୍ଜନ କରିଛନ୍ତି । ଆସାମ ରାଜ୍ୟରୁ ପ୍ରତିନିଧିତ୍ୱ କରି ୧୦୦ ମିଟର ଦୌଡ଼ରେ ୨ଟି ସ୍ୱର୍ଣ୍ଣପଦକ ସହିତ ୨ଟି ରୌପ୍ୟ ପଦକ ମଧ୍ୟ ହାସଲ କରିଛନ୍ତି ।

ସଫଳତାର ପାହାଚ ଚଢ଼ୁଥିବାବେଳେ ପରିବାରର ଆର୍ଥିକ ସ୍ଥିତି ଦୋହଲିବାକୁ ଲାଗିଲା । ଖେଳ ସହିତ ରୋଜଗାର କରି ପରିବାର ଚଳାଇବା ପାଇଁ ଶେଷରେ ସେ ବସ୍ ଚାଳକ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୫ ମସିହାରେ ଭୁବନେଶ୍ୱରରେ ଭାରୀଯାନ ଚଳାଇବା ପାଇଁ ଲାଇସେନ୍ସ ହାସଲ କରିଥିଲେ । ଆସାମ ରାଜ୍ୟରେ ପୁଲିସ ଗାଡିର ଚାଳକ ହେବା ପାଇଁ ଆବେଦନ ମଧ୍ୟ କରିଛନ୍ତି । ସେଥିରେ କୃତକାର୍ଯ୍ୟ ହେବା ପୂର୍ବରୁ ରାଜ୍ୟର ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର କମିଶନର ଉଷା ପାଢ଼ୀ ପଲ୍ଲବୀର ଆଗ୍ରହ ଦେଖି ଆମ ବସ୍ ଚଳାଇବାକୁ ଉତ୍ସାହିତ କରିଥିଲେ । ପଲ୍ଳବୀ ଆଗ୍ରହ ସହକାରେ କାର୍ଯ୍ୟରେ ଯୋଗଦେବା ପରେ ଅତ୍ୟାଧୁନିକ ଇ-ବସ୍ ସେବା ସମ୍ପର୍କରେ ଜାଣିବା ପାଇଁ ତାଲିମ ନେଇଥିଲେ ।