ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ କହିଛନ୍ତି ଯେ ସେ ପାକ୍ ଅଧିକୃତ ଜମ୍ମୁ-କାଶ୍ମୀର (ପିଓଜେକେ)ର ପ୍ରଧାନମନ୍ତ୍ରୀ ହେବାକୁ ଚାହାନ୍ତି। ପିଓଜେକେ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଜନସମାବେଶକୁ ସମ୍ବୋଧିତ କରି ସେ ଏହି ଆଶା ପୋଷଣ କରିଛନ୍ତି। ସେ କହିଛନ୍ତି ଯେ ଯଦି ନିର୍ବାଚନରେ ଆମ ପାର୍ଟି ଜିତେ ତେବେ ମୁଁ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ମୋତେ ପିଓଜେକେର ପ୍ରଧାନମନ୍ତ୍ରୀ କରିବା ଲାଗି କହିବି, ଯାହାଦ୍ୱାରା ମୁଁ ଏହି କ୍ଷେତ୍ରର ବିକାଶର ଦେଖରେଖ କରିପାରିବି।

ଏଥି ପାଇଁ ନୱାଜ ସରିଫ ତାଙ୍କ ଭାଷଣରେ ଆଜାଦ ଜମ୍ମୁ ଓ କାଶ୍ମୀର (ଏଜେକେ) ଶବ୍ଦ ବ୍ୟବହାର କରିଛନ୍ତି। ଯାହାକୁ ପାକିସ୍ତାନ ପିଓଜେକେ ପାଇଁ ପ୍ରାୟତଃ ଉପଯୋଗ କରିଥାଏ। ସରିଫ କହିଛନ୍ତି ପିଓଜେକେ ତାଙ୍କ ମୂଳ ଘର ଥିଲା ଓ ତାଙ୍କ ପୂର୍ବଜମାନେ ଏହି କ୍ଷେତ୍ରରୁ ଆସିଥିଲେ। ତେବେ ସରିଫ ଭାଷଣରେ ଲୋକଙ୍କ ସହ ପରିହାସ କରୁଥିଲେ କି ଫାଙ୍କା ପ୍ରତିଶ୍ରୁତି ଦେଉଥିଲେ ତାହା ବୁଝାପଡୁ ନାହିଁ। କାରଣ ପିଓଜେକେ ସମ୍ବିଧାନ କାହାରିକୁ ବି ଏହି କ୍ଷେତ୍ରର ପ୍ରଧାନମନ୍ତ୍ରୀ ହେବାକୁ ଅନୁମତି ଦିଏନି।

ସମ୍ବିଧାନ ଅନୁସାରେ କେବଳ ସେହି ବ୍ୟକ୍ତି ପିଓଜେକେର ନେତା ହୋଇ ପାରିବେ ଯିଏ ଜମ୍ମୁ-କାଶ୍ମୀ ରାଜ୍ୟର ବାସିନ୍ଦା ହୋଇଥିବ ଓ ସେଠାରେ ଭୋଟ ଦେବା ପାଇଁ ପଞ୍ଜିକୃତ ହୋଇଥିବ। ଯେହେତୁ ନୱାଜ ପଞ୍ଜାବର ବାସିନ୍ଦା ତେଣୁ ଜମ୍ମୁ-କାଶ୍ମୀର ରାଜ୍ୟର ପ୍ରଧାନମନ୍ତ୍ରୀ ହେବାକୁ ଅଯୋଗ୍ୟ। ସରିଫ ଜନସମାବେଶରେ ଏହା ବି ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ତାଙ୍କ ପାର୍ଟି ନିର୍ବାଚନରେ ହାରି ବି ଯାଏ ତଥାପି ସେ ପିଓଜେକେ ସହ ନିଜର ସମ୍ପର୍କ ଭାଙ୍ଗିବେ ନାହିଁ। ସେ ପ୍ରତି ୩ ମାସେର ଲୋକଙ୍କୁ ଭେଟିବାକୁ ଓ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଗସ୍ତ କରିବେ।

ପିଓଜେକେ ବିଧାନସଭା ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଅଧିକ ସ୍ୱାୟତତ୍ତା ଦାବିରେ ଏହି ଅଞ୍ଚଳରେ ଗତ କିଛି ସପ୍ତାହ ହେଲା ଭୀଷଣ ଜନ ଆନ୍ଦୋଳନ ଲାଗି ରହିଛି। ଏହି ଆନ୍ଦୋଳନ କାଳରେ ଅନେକ ଲୋକଙ୍କ ବଳିଦାନ ହୋଇଥିବା ବେଳେ ଅନେକଙ୍କୁ ଗିରଫ କରାଯାଇଛି। କାରଣ ପାକିସ୍ତାନ ସରକାର ଲୋକଙ୍କ ସହ ଆଲୋଚନା କରିବା ବଦଳେ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଉପରେ ଜୋର ଦେଇଛନ୍ତି। ତେବେ ଏହି ଆନ୍ଦୋଳନ ଜେଏଏସି ନେତୃତ୍ୱରେ ଏକ ଅଭିଯାନ ଭାବେ ଆରମ୍ଭ ହୋଇଥିଲା। ଏଥିରେ ୧୯୪୭ ପରେ ମୁଖ୍ୟଭୂମି ପାକିସ୍ତାନରେ ଥିବା ଜମ୍ମୁ ଓ କାଶ୍ମୀରର ଶରଣାର୍ଥୀଙ୍କ ଲାଗି ପିଓଜେକେ ବିଧାନସଭାରେ ସଂରକ୍ଷିତ ୧୨ଟି ଆସନ ସମାପ୍ତ କରିବା ପାଇଁ ଦାବି ଉଠିଛି। ତେବେ ଦେଖୁ ଦେଖୁ ଏହି ଅଭିଯାନ ପାକିସ୍ତାନ ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନରେ ପରିଣତ ହୋଇଯାଇଛି।