ଅମୃତସର ୨୩।୩: ପୂର୍ବତନ କ୍ରିକେଟର ତଥା ରାଜନେତା ନଭଜୋତ ସିଂହ ସିଦ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଜୀବିତା ଅବସ୍ଥାରେ ଦୁଇ ପୁଅଝିଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ଫଟୋ ସହ ସେୟାର କରାଯାଇଥିବା ଏହି ଘୋଷଣାରେ ସାମିଲ ସମ୍ପତ୍ତିର ପରିମାଣ ଏବେ ଦୁଇଜଣଙ୍କ ଆଡକୁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି। ସିଦ୍ଧୁଙ୍କ ବୟାନ ଅନୁସାରେ ସେ ତାଙ୍କର ଅମୃତସର ସ୍ଥିତ ବାସଭବନକୁ ଝିଅ ରାବିୟା ସିଦ୍ଧୁଙ୍କୁ ଦେଇଛନ୍ତି। ସେହିପରି ପଟିୟାଲାସ୍ଥିତ ତାଙ୍କ ପୈତୃକ ଘର ପୁତ୍ର କରଣ ସିଦ୍ଧୁଙ୍କୁ ମିଳିଛି।

ସିଦ୍ଧୁ କହିଛନ୍ତି ଯେ ଏହି ଘର ତାଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଦୀର୍ଘ ବର୍ଷର ପରିଶ୍ରମର ପ୍ରତୀକ। ଏଥିରେ କ୍ରିକେଟ ରୁ ଆରମ୍ଭ କରି କମେଣ୍ଟ୍ରି ଓ ଟେଲିଭିଜନ ଉପସ୍ଥିତି ମଧ୍ୟ ସାମିଲ। ସିଦ୍ଧୁ ନିଜ ପୋଷ୍ଟରେ ଏହି ନିଷ୍ପତ୍ତି ପଛର କୃତଜ୍ଞତା ମଧ୍ୟ ଜଣାଇଛନ୍ତି। ସେ କହିଛନ୍ତି ଏହି ସବୁ ସମ୍ପତ୍ତି ତାଙ୍କ ଲାଗି ଆଶିର୍ବାଦ ଭଳି, ଯାହାକୁ ସେ ଏବେ ଆଗକୁ ବଢାଉଛନ୍ତି। ସେ ଲେଖିଛନ୍ତି ତାଙ୍କର ଏହି ଦୁଇଟି ଘର ତାଙ୍କୁ ମା ପାର୍ବତୀଙ୍କ ଆଶିର୍ବାଦରୁ ମିଳିଛି। ଏଣୁ ସେ ଏହି ଘରଗୁଡିକୁ ତାଙ୍କ ଦୁଇ ପିଲାଙ୍କୁ ଦେଉଛନ୍ତି। ନ୍ୟୁଜ ୨୪ ଅନୁସାରେ ଅମୃତସରସ୍ଥିତ ଏହି ଘର ଏହାର ବିଶାଳ ଆକାର ଓ ଡିଜାଇନ ଲାଗି ପ୍ରସିଦ୍ଧ। ଏକ ପ୍ରିମିୟମ ଅଞ୍ଚଳରେ ୪୯,୫୦୦ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଥିବା ଏହି ଘରକୁ ସେ ୨୦୧୪-୧୫ ମଧ୍ୟରେ ପାଖାପାଖି ୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଥିଲେ।

ଏଥିରେ ସ୍ୱିମିଂ ପୁଲ, ଜିମ୍, ସ୍ପା ଓ ଏକ ଶିବମନ୍ଦିର ମଧ୍ୟ ରହିଛି। ଏହି ସମ୍ପତ୍ତି ଭାରତର ବିଭିନ୍ନ ଅଞ୍ଚଳରୁ ଅଣାଯାଇଥିବା ବୃକ୍ଷଲତା ଗହଣରେ ଅଛି। ଯାହା ଘରର ବୈଶିଷ୍ଟ୍ୟକୁ ବେଶ୍ ସୁହାଉଛି। ସବୁଠୁ ଚର୍ଚ୍ଚିତ ବିଷୟ ମଧ୍ୟରେ ଘରେ ଥିବା ଶିବ ମନ୍ଦିରରେ ଲଗାଯାଇଥିବା ଶିବଲିଙ୍ଗଟିକୁ ସିଙ୍ଗାପୁରରୁ ଇମ୍ପୋର୍ଟ କରାଯାଇଥିଲା। ଏହି ଶିବଲିଙ୍ଗକୁ ୨୦୧୪ ମସିହାରେ ସ୍ଥାପିତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୨.୫କୋଟି ଟଙ୍କା ବୋଲି କୁହାଯାଉଛି। ଘରେ ଅନ୍ୟ ଦେବୀ ଦେବତାଙ୍କ ମୂର୍ତ୍ତି ମଧ୍ୟ ଅଛି ଏହା ଛଡା ଗୁରୁଗ୍ରନ୍ଥ ସାହିବ ପାଇଁ ଅଲଗା ଏକ ସ୍ଥାନ ରହିଛି।

ନଭଜୋତ ସିଂହ ସିଦ୍ଧୁ ତାଙ୍କ ପେଷାଦାରୀ ଯାତ୍ରା ଉପରେ ମଧ୍ୟ ଆଲୋକପାତ କରିଛନ୍ତି। କହିଛନ୍ତି ଯେ କ୍ରିକେଟ, ଟେଲିଭିଜନ ସୋ, କମେଣ୍ଟ୍ରି ଓ ବିଗବସ୍ ଭଳି କାର୍ଯ୍ୟକ୍ରମ, ଷ୍ଟାରପ୍ଲସରେ ଉପସ୍ଥିତି ଓ ଦି କପିଲ ଶର୍ମା ସୋ ରୁ କରିଥିବା ଆୟ ତାଙ୍କୁ ଅମୃତସର ଘର ତିଆରିରେ ସହାୟତା କରିଥିଲା ବୋଲି ଉଲ୍ଲେଖ କରିଛନ୍ତି।