ମୁମ୍ବାଇ-; ମହାରାଷ୍ଟ୍ରର ନଭି ମୁମ୍ବାଇରେ ଏକ ବଡ଼ ଧରଣର ସୁନା ଡକାୟତି ଘଟଣା ସାମ୍ନାକୁ ଆସିଛି।ପ୍ରଥମେ ଲୁହା ରଡ୍ରେ ଆକ୍ରମଣ ପରେ ଚାରିଜଣ ଦୁର୍ବୃତ୍ତ ପ୍ରାୟ ୨୦ କୋଟି ଟଙ୍କା ମୂଲ୍ୟର ୧୬ କିଲୋ ୪୦୦ ଗ୍ରାମ ସୁନା ବିସ୍କୁଟ ଲୁଟି ନେଇଛନ୍ତି। ନେରୁଲ MIDC ଅଞ୍ଚଳରେ ଥିବା ଏକ ଅଳଙ୍କାର ନିର୍ମାଣ କମ୍ପାନୀର ଚାରିଜଣ କର୍ମଚାରୀ ଏକ କାର୍ରେ ସୁନା ନେଇ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ଗାଡ଼ିକୁ ଅଟକାଇ ଏହି ଲୁଟ୍ କରିଥିଲେ। ବୁଧବାର ସନ୍ଧ୍ୟାରେ ସିଓନ୍-ପନଭେଲ୍ ହାଇୱେ ନିକଟ ଜୁଇନଗର ରେଳ ଷ୍ଟେସନ୍ ପାଖ ସର୍ଭିସ୍ ରୋଡ୍ରେ ଏହି ଘଟଣା ଘଟିଥିଲା। ଏନେଇ ତୁର୍ଭେ ପୁଲିସ ଷ୍ଟେସନ୍ରେ ଡକାୟତି ମାମଲା ରୁଜୁ ହୋଇଛି।

ତୁର୍ଭେ ପୁଲିସ ଷ୍ଟେସନ୍ର ବରିଷ୍ଠ ନିରୀକ୍ଷକ ସୁନୀଲ ସିନ୍ଦେଙ୍କ ସୂଚନା ଅନୁଯାୟୀ, ଚେନ୍ ଆଣ୍ଡ୍ ଚେନ୍ସ ଜୁଏଲ୍ସ ଲିମିଟେଡ୍ର ଚାରିଜଣ କର୍ମଚାରୀ ଏକ ଟାଟା ପଞ୍ଚ୍ କାର୍ରେ ୧୬.୪ କିଲୋଗ୍ରାମ ସୁନା ବିସ୍କୁଟ ନେଇ ଯାଉଥିଲେ। ସେମାନେ ଜାଭେରୀ ବଜାରସ୍ଥିତ କମ୍ପାନୀର ଅଳଙ୍କାର ଦୋକାନରୁ ସୁନା ନେଇ ନେରୁଲ MIDCରେ ଥିବା ନିର୍ମାଣ ୟୁନିଟ୍କୁ ଯାଉଥିଲେ। ସେଠାରେ ଏହି ସୁନାରେ ଅଳଙ୍କାର ତିଆରି ହେବାର ଥିଲା। ରାତି ପ୍ରାୟ ୯ଟା ୫୪ ମିନିଟ୍ ସମୟରେ ସେମାନେ ଜୁଇନଗର ରେଳ ଷ୍ଟେସନ୍ ନିକଟ ସର୍ଭିସ୍ ରୋଡ୍ରେ ପହଞ୍ଚିଥିବା ବେଳେ ସାମ୍ନା ପଟୁ ଏକ ମାରୁତି ୱାଗନ୍ଆର୍ କାର୍ ଆସି ସେମାନଙ୍କ ଗାଡ଼ିକୁ ଅଟକାଇଥିଲା। ଉକ୍ତ କାର୍ରେ ଡ୍ରାଇଭରଙ୍କ ସମେତ ଚାରିଜଣ ଥିଲେ।ସେମାନଙ୍କ ମଧ୍ୟରୁ ତିନିଜଣ ବାହାରକୁ ଆସି ଲୁହା ରଡ୍ରେ ଟାଟା ପଞ୍ଚ୍ କାର୍ର ସାମ୍ନା କାଚ ଏବଂ ଆଗ ଦ୍ୱାରର କାଚ ଭାଙ୍ଗି ଦେଇଥିଲେ। ଏହାପରେ ଡ୍ରାଇଭରଙ୍କ ପାଖ ସିଟ୍ରେ ବସିଥିବା ଜଣେ କର୍ମଚାରୀଙ୍କଠାରୁ ସୁନା ବିସ୍କୁଟ ଥିବା ବ୍ୟାଗ୍ ଛଡ଼ାଇ ନେଇଥିଲେ। ଲୁଟ୍ ପରେ ଚାରିଜଣ ଅଭିଯୁକ୍ତ ନିଜ ୱାଗନ୍ଆର୍ କାର୍ରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

also read- ବାପାଙ୍କ ଜୁଇ ନଲିଭୁଣୁ ପୁଅର ମୃତ୍ୟୁ, ୨୪ ଘଣ୍ଟାରେ ଉଜୁଡ଼ିଗଲା ପରିବାର

CCTV ଫୁଟେଜ୍ରୁ ମିଳିଲା କାର୍ର ନମ୍ବର, ଚାରି ଅଭିଯୁକ୍ତ ଚିହ୍ନଟ-;

ଘଟଣା ସମ୍ପର୍କରେ ପୁଲିସ ଅଧିକାରୀ ସୁନୀଲ ସିନ୍ଦେ କହିଛନ୍ତି, “ଘଟଣାସ୍ଥଳ ନିକଟ ରାସ୍ତାରେ ଲାଗିଥିବା CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ କରି ଅପରାଧରେ ବ୍ୟବହୃତ ୱାଗନ୍ଆର୍ କାର୍ର ରେଜିଷ୍ଟ୍ରେସନ୍ ନମ୍ବର ଆମେ ପାଇଛୁ। ଏହି କାର୍ ସାନପାଡ଼ାର ଜଣେ ବାସିନ୍ଦାଙ୍କ ନାମରେ ପଞ୍ଜୀକୃତ ଥିବା ଜଣାପଡ଼ିଛି। ସେ ଚାରିଜଣଙ୍କୁ ଗାଡ଼ି ଭଡ଼ାରେ ଦେଇଥିବା ଏବଂ ଗାଡ଼ି ଦେବା ସମୟରେ ସେମାନଙ୍କ ଆଧାର କାର୍ଡର ନକଲ ରଖିଥିବା କହିଛନ୍ତି। ଏହାଦ୍ୱାରା ଚାରିଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି।” ସେ ଆହୁରି କହିଛନ୍ତି ଯେ, CCTV ଫୁଟେଜ୍ରୁ ଜଣାପଡ଼ିଛି, ଡକାୟତି ପରେ ଅଭିଯୁକ୍ତମାନେ ଭଡ଼ାରେ ନେଇଥିବା କାର୍ରେ ଥାଣେ ଆଡ଼କୁ ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତୁର୍ଭେ ପୁଲିସ ଷ୍ଟେସନ୍ ପକ୍ଷରୁ ଚାରିଟି ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଛି। ଏହା ସହିତ କ୍ରାଇମ୍ ବ୍ରାଞ୍ଚ ମଧ୍ୟ ସମାନ୍ତରାଳ ଭାବେ ଘଟଣାର ତଦନ୍ତ ଜାରି ରଖିଛି। ଏତେ ପରିମାଣର ସୁନା ଲୁଟ୍ ଘଟଣାକୁ ନେଇ ନଭି ମୁମ୍ବାଇରେ ଚର୍ଚ୍ଚା ଜୋର୍ ଧରିଛି।