ଭୁବନେଶ୍ବର ୨୪।୨: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି କଲେ 'ମଦମୁକ୍ତ ଓଡ଼ିଶା' ନା 'ମଦଯୁକ୍ତ ଓଡ଼ିଶା' ହେବ । ଏଭଳି କହି ସରକାରଙ୍କ ଯୋଜନାକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ନବୀନ ଲେଖିଛନ୍ତି, ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି କରି ବିଜେପି ସରକାର 'ମଦମୁକ୍ତ ଓଡ଼ିଶା' ନା 'ମଦଯୁକ୍ତ ଓଡ଼ିଶା' ଗଠନ କରୁଛି ?

ଓଡ଼ିଶାକୁ ମଦମୁକ୍ତ କରିବା ପାଇଁ ନିର୍ବାଚନ ସମୟରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ବିଜେପି ସରକାର କ୍ଷମତାକୁ ଆସିଥିଲା। ହେଲେ କ୍ଷମତାକୁ ଆସିବା ପରେ ମଦର ପ୍ରସାର ଓ ସହଜ ଉପଲବ୍ଧ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବା, କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି କରିବାକୁ ନିଷ୍ପତ୍ତି ନେଇ ବିଜେପି ସରକାର ଓଡ଼ିଶାବାସୀଙ୍କୁ ହତାଶ ଓ ନିରାଶ କରିଛି।

ଓଡ଼ିଶାରେ ମହିଳା, ଶିଶୁଙ୍କ ସୁରକ୍ଷା ତଥା ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ସରକାରଙ୍କ ଏପରି ପଦକ୍ଷେପ ପରିସ୍ଥିତିକୁ ଆହୁରି ସଂକଟଜନକ କରିଦେବ । ଏହା ଓଡ଼ିଶାର ମା'ଭଉଣୀଙ୍କ ସୁରକ୍ଷାକୁ ଆହୁରି ବିପନ୍ନ କରିବା ସହ ଯୁବସମାଜ ଓ କୋମଳମତି ଛାତ୍ରଙ୍କ ମନକୁ ବିକୃତ କରିବ । ବିଜେପି ସରକାର ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରୁ । ନଚେତ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନକୁ ଜୋରଦାର କରିବ ।