ବ୍ରହ୍ମପୁର ୭।୧୧: ବନ୍ୟା ପାଣି ଛାଡ଼ିଛି, ବାତ୍ୟା ଯାଇଛି l ଦୁର୍ଦ୍ଦଶା ଭିତରେ ଜୀବନ ଜିଇଁବାକୁ ସଂଘର୍ଷ ଚାଲିଛି l ଏହାରି ଭିତରେ ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ l ପ୍ରଭାବିତ ହୋଇଥିବା ଅଞ୍ଚଳରେ ପହଞ୍ଚି ଅବସ୍ଥା ପଚାରି ବୁଝିଛନ୍ତି l ସେପଟେ ସ୍ଥିତି ଅନୁଧ୍ୟାନ କରିଛନ୍ତି ନବୀନ l

କେଉଁଠି ଫସଲ ନଷ୍ଟ ତ କେଉଁଠି ସ୍କୁଲ ଘର ଭଙ୍ଗାରୁଜା l ସଜଡା ପାଇଁ ଚାଲିଛି ପ୍ରସ୍ତୁତି l ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲ ଘରକୁ ସଜାଡ଼ିବାରେ ଲାଗି ପଡିଛନ୍ତି ଶିକ୍ଷକ l ଏମିତି ପରିସ୍ଥିତିରେ ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚି ଅବସ୍ଥା ପଚାରି ବୁଝିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ l ଗଞ୍ଜାମ ଜିଲ୍ଲା ଗସ୍ତର ପ୍ରଥମରେ ଶେରଗଡ଼ ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ନବୀନ l ହାତରେ ନଷ୍ଟ ହୋଇଯାଇଥିବା ଧାନ କେଣ୍ଡା ଧରି ନବୀନଙ୍କୁ ଚାଷୀ ଦୁଃଖ କହିଥିଲେ l ଚାଷୀଙ୍କ ଦୁଃଖ, କ୍ଷତିଗ୍ରସ୍ତଙ୍କ ଗୁହାରୀ ଶୁଣି ନବୀନଙ୍କ ଆଖିରେ ଲୁହ ଆସିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା l ଶେରଗଡ଼ ପରେ ହିଞ୍ଜିଳି, ଆସିକା ଓ ଶେଷରେ ସୋରଡ଼ା ଅଞ୍ଚଳ ଗସ୍ତ କରି ବନ୍ୟା ବିପନ୍ନଙ୍କ ଗୁହାରୀ, ଅଭିଯୋଗ ଶୁଣି ଅନୁଧ୍ୟାନ କରିଥିଲେ ସ୍ଥିତି l ସବୁ ଦୁଃଖ ଜଣାଇଛୁ l ଆଖୁ ଚାଷ ବି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି l କେବେ କ୍ଷତି ପୂରଣ ମିଳିବ ବୋଲି କ୍ଷତିଗ୍ରସ୍ତ ଚାଷୀ ପ୍ରଶ୍ନ କରିଛନ୍ତି l

ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ୪ଟି ଅଞ୍ଚଳ ବୁଲିଲେ ନବୀନ l ଚାଷୀ, ଲୋକଙ୍କ ଦୁଃଖ ଶୁଣିଲେ, ସ୍ଥିତି ଅନୁଧ୍ୟାନ କଲେ l ବହୁତ କ୍ଷୟକ୍ଷତି ହୋଇଛି l ଲୋକେ ବହୁତ ଦୁଃଖରେ ଅଛନ୍ତି l ଲୋକେ କରିଥିବା ଗୁହାରୀ, ଜଣାଇଥିବା ଦୁଃଖ ସରକାରଙ୍କୁ ଜଣାଇବି ବୋଲି ନବୀନ କହିଛନ୍ତି l ଏ ପର୍ଯ୍ୟନ୍ତ ବନ୍ୟା ବିପନ୍ନ ଉପଯୁକ୍ତ ସହାୟତା ପାଇ ନାହାନ୍ତି l ତୁରନ୍ତ ସରକାର କ୍ଷୟକ୍ଷତି ପ୍ରଦାନ କରିବା ଉଚିତ ବୋଲି ଗସ୍ତ ଶେଷରେ ସୋରଡ଼ା ଠାରେ ଗଣମାଧ୍ୟମକୁ କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ l

Also Read:- ଗଞ୍ଜାମରେ ବନ୍ୟା ସ୍ଥିତି ପରଖିଲେ ନବୀନ, ଚାଷୀଙ୍କ ସହ କରିବେ ଆଲୋଚନା

ନବୀନଙ୍କ ଗସ୍ତ ସମୟରେ ବରିଷ୍ଠ ବିଜେଡି ନେତା ଲେନିନ ମହାନ୍ତି, ଦେବୀ ମିଶ୍ର, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ସମେତ ବହୁ ଦଳୀୟ ନେତା, କର୍ମୀ ଉପସ୍ଥିତ ଥିଲେ l ତୁରନ୍ତ କ୍ଷୟକ୍ଷତି ପ୍ରଦାନ ନକରିଲେ ଦଳ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବ ବୋଲି କହିଛନ୍ତି ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡା l

Watch Video: