ନୂଆଦିଲ୍ଲୀ: ୟୁକ୍ରେନ ସୀମାନ୍ତରେ ଅବସ୍ଥିତ ନାଟୋ ସଦସ୍ୟ ରାଷ୍ଟ୍ର ରୋମାନିଆ ଉପରେ ରୁଷର ଏକ ଡ୍ରୋନ୍ ମାଡ଼ ହେବା ପରେ ସାରା ୟୁରୋପରେ ଉତ୍ତେଜନା ପ୍ରକାଶ ପାଇଛି। ଶୁକ୍ରବାର ସକାଳେ ରୋମାନିଆର ଦକ୍ଷିଣ-ପୂର୍ବ ସହର ଗଲାତି (Galati) ର ଏକ ଜନବସତି ପୂର୍ଣ୍ଣ ଆପାର୍ଟମେଣ୍ଟ ଉପରେ ରୁଷର ଏହି ଆତ୍ମଘାତୀ ଡ୍ରୋନ୍ ମାଡ଼ ହୋଇଥିଲା । ଏହି ବିସ୍ଫୋରଣରେ ଦୁଇ ଜଣ ସାଧାରଣ ନାଗରିକ ଗୁରୁତର ଆହତ ହୋଇଛନ୍ତି। ୨୦୨୨ ମସିହାରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠାରୁ ରୋମାନିଆ ଭୂଭାଗରେ ଏହାକୁ ସବୁଠାରୁ ବଡ଼ ଏବଂ ଗମ୍ଭୀର ସୁରକ୍ଷା ଉଲ୍ଲଂଘନ ବୋଲି କୁହାଯାଉଛି। ଏହି ଘଟଣାକୁ ନେଇ କେବଳ ନାଟୋ ନୁହେଁ, ବରଂ ୟୁରୋପୀୟ ସଂଘ ଏବଂ ୟୁକ୍ରେନ ମଧ୍ୟ ରୁଷ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ରୋମାନିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ନାଟୋ ମୁଖ୍ୟ

ଏହି ଜରୁରୀ ପରିସ୍ଥିତିକୁ ନେଇ ନାଟୋର ମୁଖ୍ୟ ମାର୍କ ରୁଟେ (Mark Rutte) ତୁରନ୍ତ ରୋମାନିଆର ରାଷ୍ଟ୍ରପତି ନିକୁସୋର ଡେନ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି। ରୋମାନିଆ ପ୍ରତି ସମ୍ପୂର୍ଣ୍ଣ ସହଯୋଗ ଓ ସହାନୁଭୂତି ପ୍ରକାଶ କରି ରୁଟେ କହିଛନ୍ତି, ନାଟୋ ନିଜର ସହଯୋଗୀ ରାଷ୍ଟ୍ରଗୁଡ଼ିକର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଆମେ ସଦସ୍ୟ ଦେଶଗୁଡ଼ିକର ପ୍ରତିଟି ଇଞ୍ଚ ଜମିର ରକ୍ଷା କରିବା ପାଇଁ ପ୍ରସ୍ତୁତ ରହିଛୁ।

ନାଟୋ ମୁଖ୍ୟ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯେକୌଣସି ବାହ୍ୟ ବିପଦକୁ ପ୍ରତିହତ କରିବା ପାଇଁ ସାମରିକ ସଂଗଠନ ନିଜର ପ୍ରସ୍ତୁତିକୁ ଆହୁରି ମଜଭୁତ କରିବ। ଅପରପକ୍ଷରେ, ରୋମାନିଆ ସରକାର ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ରୁଷର ରାଷ୍ଟ୍ରଦୂତଙ୍କୁ ସମନ ଜାରି କରି ଜବାବ ମାଗିଛନ୍ତି।

ରୋମାନିଆରେ ଜରୁରୀ ବୈଠକ

ଆକ୍ରମଣ ପରେ ରାଷ୍ଟ୍ରପତି ଡେନ୍ ରୋମାନିଆର ‘ଜାତୀୟ ପ୍ରତିରକ୍ଷା ପରିଷଦ’ର ଏକ ଜରୁରୀ ବୈଠକ ଡକାଇଥିଲେ। ଯୁଦ୍ଧ ଆରମ୍ଭ ହେବା ପରଠାରୁ ନିଜ ଦେଶ ଉପରେ ଏହା ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି ସେ କହିଛନ୍ତି।ରୋମାନିଆ ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଦେଇଛି ଯେ, ଆକାଶମାର୍ଗରେ ରୁଷୀୟ ଡ୍ରୋନ୍ର ଗତିବିଧି ଚିହ୍ନଟ ହେବା ମାତ୍ରେ ସୁରକ୍ଷା ଦୃଷ୍ଟିରୁ ଦୁଇଟି F-16 ଯୁଦ୍ଧବିମାନକୁ ତୁରନ୍ତ ଆକାଶକୁ ପଠାଯାଇଥିଲା। ଭବିଷ୍ୟତରେ ଏଭଳି ଅନୁପ୍ରବେଶକୁ ରୋକିବା ପାଇଁ ସୀମାନ୍ତ ଅଞ୍ଚଳରେ ଅତି ଶୀଘ୍ର ଆଣ୍ଟି-ଡ୍ରୋନ୍ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରାଯିବ ବୋଲି ରୋମାନିଆ ଘୋଷଣା କରିଛି।

ୟୁରୋପୀୟ ସଂଘର କଡ଼ା ପ୍ରତିକ୍ରିୟା

ୟୁରୋପୀୟ କମିଶନର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେୟେନ୍ ରୁଷର ଏହି କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ରୁଷ ଏବେ ନିଜର ଯୁଦ୍ଧଖୋର ମନୋଭାବ ଯୋଗୁଁ ସମସ୍ତ ସୀମା ପାର୍ କରିସାରିଛି। ଏକ ଜନବସତି ଅଞ୍ଚଳରେ ଡ୍ରୋନ୍ ମାଡ଼ କରି ସାଧାରଣ ଲୋକଙ୍କୁ ଆହତ କରିବା ଏବଂ ୟୁରୋପୀୟ ସଂଘ (EU) ର ସୀମା ଭିତରକୁ ପଶିବା ଆଦୌ ଗ୍ରହଣୀୟ ନୁହେଁ। ଜର୍ମାନୀ ଚାନ୍ସେଲର ଫ୍ରେଡରିକ ମର୍ଜ ମଧ୍ୟ ରୁଷର ଏହି ଦାୟିତ୍ୱହୀନ ଆଭିମୁଖ୍ୟ ଉପରେ ବର୍ଷିଛନ୍ତି। ସେପଟେ ରୁଷ ଉପରେ ଆହୁରି କଟକଣା ଲଗାଇବାକୁ ଆହ୍ବାନ କରିଛି ୟୁକ୍ରେନ ।