ମୁମ୍ବାଇ:  ମହାରାଷ୍ଟ୍ରର ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମଧ୍ୟରେ ପୁଣି ଥରେ ଆଭ୍ୟନ୍ତରୀଣ ବିବାଦ ମୁଣ୍ଡ ଟେକିଛି। ଦଳର ରାଜ୍ୟ ଉପସଭାପତି ଉଦୟକୁମାର ଆହେର, ଜାତୀୟ ସଭାପତି ସୁନେତ୍ରା ପାୱାରଙ୍କୁ ଏକ ଚିଠି ଲେଖି ଆଗାମୀ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ସାଂସଦ ପାର୍ଥ ପାୱାରଙ୍କୁ କେନ୍ଦ୍ର କ୍ୟାବିନେଟ୍ ପଦବୀ ଦାବି ସପକ୍ଷରେ ମତ ଦେଇଛନ୍ତି । ଏହା ସହିତ ଦଳର କିଛି ନେତା ଏହି ଯୁବ ନେତାଙ୍କ ରାଜନୈତିକ କ୍ୟାରିୟର ଶେଷ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ ଆଣିଛନ୍ତି।
ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାରଙ୍କ ନେତୃତ୍ୱ, ଦଳର ଜାତୀୟ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଆହେର ଚିଠିରେ ଦର୍ଶାଇଛନ୍ତି। ଚଳିତ ବର୍ଷ ଜାନୁଆରୀ ମାସରେ ଏକ ବିମାନ ଦୁର୍ଘଟଣାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ପରେ ଦଳରେ ନେତୃତ୍ୱ ପରିବର୍ତ୍ତନକୁ ନେଇ କ୍ଷମତା ଯୁଦ୍ଧ ତୀବ୍ର ହେବାରେ ଲାଗିଛି, ଯାହା ଏହି ଚିଠି ମାଧ୍ୟମରେ ସ୍ପଷ୍ଟ ହୋଇଛି।

ବର୍ତ୍ତମାନ ଏନସିପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ପ୍ରଫୁଲ୍ଲ ପଟେଲ ଏବଂ ମହାରାଷ୍ଟ୍ର ଏନସିପି ମୁଖ୍ୟ ସୁନୀଲ ତଟକରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ପଦ ଦୌଡ଼ରେ ଥିବା ବେଳେ, ପାର୍ଥ ପାୱାରଙ୍କ ନାମ ସାମ୍ନାକୁ ଆସିବା ପରେ ବରିଷ୍ଠ ଓ ଯୁବ ପିଢ଼ିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି। ସୁନେତ୍ରା ପାୱାରଙ୍କ ନେତୃତ୍ୱରେ ଦଳରେ ଗୋଷ୍ଠୀ କନ୍ଦଳ ବଢ଼ୁଥିବା ବେଳେ କିଛି ନେତା ପାର୍ଥଙ୍କ ମନୋବଳ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଆହେର ଅଭିଯୋଗ କରିଛନ୍ତି।

ଅଜିତ ପାୱାରଙ୍କ ଦେହାନ୍ତ ପରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପୂରଣ କରିବା ଏକ ବଡ଼ ଆହ୍ୱାନ ବୋଲି ନିକଟରେ ପ୍ରଫୁଲ୍ଲ ପଟେଲ ସ୍ୱୀକାର କରିଥିଲେ। ସୁନେତ୍ରା ପାୱାର ଜାତୀୟ ସଭାପତି ଦାୟିତ୍ୱ ନେଇଥିବା ବେଳେ ପାର୍ଥ ପାୱାର ମଧ୍ୟ ସଂଗଠନରେ ସକ୍ରିୟ ହେଉଛନ୍ତି, ଯାହାକୁ ନେଇ ବରିଷ୍ଠ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନିକଟରେ ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ସଂଶୋଧିତ କର୍ମକର୍ତ୍ତା ତାଲିକାରେ ପ୍ରଫୁଲ୍ଲ ପଟେଲ ଏବଂ ସୁନୀଲ ତଟକରେଙ୍କ ନାମ ବାଦ୍ ପଡ଼ିବା କିମ୍ବା ପଦବୀ ଉଲ୍ଲେଖ ନହେବା ଘଟଣାକୁ ଦଳ 'ଟାଇପୋଗ୍ରାଫିକାଲ୍ ଭୁଲ୍' ବୋଲି କହିଥିଲେ ମଧ୍ୟ ବିବାଦ ଥମିନାହିଁ। ବିଜେପି ଓ ଶିବସେନା ସହ ଥିବା 'ମହାୟୁତି' ମେଣ୍ଟ ମଧ୍ୟରେ ନିଜର ରାଜନୈତିକ ସ୍ଥିତି ବଜାୟ ରଖିବା ସହ ଟିକେଟ୍ ଓ ଦଳୀୟ ଦାୟିତ୍ବ ବଣ୍ଟନକୁ ନେଇ ମଧ୍ୟ ନେତାମାନଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି।