ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୋମବାର ଭାରତୀୟ ବକ୍ସର ନରେନ୍ଦର ବେରୱାଲଙ୍କ ଏକ କାହାଣୀ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବେରୱାଲ ନିଜର ଜଣେ ପାକିସ୍ତାନୀ ପ୍ରତିଯୋଗୀଙ୍କ ବିଷୟରେ ଏକ ସ୍ମରଣୀୟ ଘଟଣା ସେୟାର କରିଥିଲେ । ପାକିସ୍ତାନୀ ଖେଳାଳି କହିଥିଲେ ଯେ ସେ, ‘ନରେନ୍ଦ୍ର’ ନାମକୁ ଘୃଣା କରିବାକୁ ଲାଗିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ ମାଣ୍ଡଭୀୟ ଲେଖିଛନ୍ତି, ‘ପାକିସ୍ତାନରେ ନରେନ୍ଦ୍ର ନାମର ଭୟ ରହିଛି।’

ଗ୍ଲାସଗୋରେ ଆୟୋଜିତ ୨୦୨୬ କମନୱେଲଥ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡ଼ା) ରେ ଚମତ୍କାର ପ୍ରଦର୍ଶନ କରି ଫେରିଥିବା ପଦକ ବିଜେତାମାନେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ନୂଆଦିଲ୍ଲୀ ବାସଭବନରେ ଭେଟିବା ସମୟରେ ବକ୍ସର ନରେନ୍ଦର ବେରୱାଲ ଏହି ରୋଚକ କାହାଣୀ ଶୁଣାଇଥିଲେ। ଗ୍ଲାସଗୋ କମନୱେଲଥ ଗେମ୍ସର ୯୦ କିଲୋଗ୍ରାମ ପୁରୁଷ ବକ୍ସିଂ ବର୍ଗରେ ରୌପ୍ୟ ପଦକ ଜିତିଥିବା ହରିୟାଣାର ନରେନ୍ଦର ବେରୱାଲ ୨୦୧୫ ୱାର୍ଲଡ ମିଲିଟାରୀ ଗେମ୍ସର ଏକ ଘଟଣା ସଂପର୍କରେ କହିଥିଲେ । 

ସେ କହିଥିଲେ ଯେ, ଜଣେ ପାକିସ୍ତାନୀ ବକ୍ସରଙ୍କୁ ପରାସ୍ତ କରିଥିଳେ । ମ୍ୟାଚ୍ ସମୟରେ ମୁଣ୍ଡରେ ଆଘାତ ଲାଗିଥିବାରୁ ଦୁହେଁ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲେ । ସେଠାରେ ସେହି ପାକିସ୍ତାନୀ ବକ୍ସର କହିଥିଲେ ଯେ, ସେ ନରେନ୍ଦ୍ର , ତାଙ୍କ କୋଚଙ୍କ ନାମ ନରେନ୍ଦ୍ର ଏବଂ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ନରେନ୍ଦ୍ର। ପାକିସ୍ତାନୀ ବକ୍ସର ଜଣକ କହିଥିଲେ, ‘ଭାଇଜାନ୍... ମୋତେ ନରେନ୍ଦ୍ର ନାମ ପ୍ରତି ଘୃଣା ହୋଇଗଲାଣି ।’ ନରେନ୍ଦରଙ୍କ ଏହି କଥା ଶୁଣି ପ୍ରଧାନମନ୍ତ୍ରୀ ମୋଦୀ ହସିଥିଲେ। ଏହି ଆଲୋଚନାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ଏବଂ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ବେଶ୍ ଭାଇରାଲ ହେବାରେ ଲାଗିଛି । 

ନରେନ୍ଦର ବେରୱାଲଙ୍କ ସମେତ ୧୦ ଜଣ ଭାରତୀୟ ବକ୍ସର ଗ୍ଲାସଗୋରୁ ପଦକ ଜିତି ଫେରିଛନ୍ତି। ଭାରତ ବକ୍ସିଂରେ ୭ଟି ସ୍ୱର୍ଣ୍ଣ ଏବଂ ୩ଟି ରୌପ୍ୟ ପଦକ ସହ କମନୱେଲଥ ଗେମ୍ସ ଇତିହାସରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଭାରତ ୨୦୨୬ କମନୱେଲଥ ଗେମ୍ସରେ ମୋଟ ୩୯ଟି ପଦକ (୧୩ଟି ସ୍ୱର୍ଣ୍ଣ, ୧୭ଟି ରୌପ୍ୟ ଏବଂ ୯ଟି କାଂସ୍ୟ) ହାସଲ କରି ସମୁଦାୟ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୩୦ କମନୱେଲଥ ଗେମ୍ସର ଆୟୋଜକ ସହର ଗୁଜରାଟର ଅହମ୍ମଦାବାଦ, ଯାହା ପ୍ରଧାନମନ୍ତ୍ରୀ ମୋଦୀ ଏବଂ କ୍ରୀଡ଼ା ମନ୍ତ୍ରୀ ମାଣ୍ଡଭୀୟଙ୍କ ନିଜ ରାଜ୍ୟ।