ନୂଆଦିଲ୍ଲୀ, ୨୬।୦୭ : କାନାଡ଼ାରେ ଅନୁଷ୍ଠିତ ବିଶ୍ୱ ଜୁନିୟର ସ୍କ୍ୱାଶ୍ ଚାମ୍ପିଅନସିପରେ ଭାରତର ଅନାହତ ସିଂହ ଚାମ୍ପିଅନ ଆଖ୍ୟା ଅର୍ଜନ କରି ଇତିହାସ ରଚିଛନ୍ତି। ସେ ଫାଇନାଲରେ ଇଜିପ୍ଟର ରୁକାୟା ସାଲେମଙ୍କୁ ୧୧-୩, ୧୧-୭, ୧୧-୯ ସେଟରେ ପରାସ୍ତ କରିଥିଲେ। ଭାରତର ପ୍ରଥମ ଖେଳାଳି ଭାବେ ସେ ଜୁନିୟର ବିଶ୍ୱ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛନ୍ତି।

ତାଙ୍କ ପୂର୍ବରୁ କେବଳ ଜ୍ୟୋତ୍ସ୍ନା ଚିନ୍ନାପା ୨୦୦୫ରେ ରନର୍ସ ଅପ୍ ହୋଇଥିଲେ। ଅନାହତଙ୍କ ବିଜୟ ସହ ଦୀର୍ଘ ୧୫ ବର୍ଷ ଧରି ଜାରି ରହିଥିବା ଇଜିପ୍ଟର ଆଧିପତ୍ୟରେ ପୂର୍ଣ୍ଣଛେଦ ପଡ଼ିଛି। ପୂର୍ବରୁ ଅନାହତ ସେମି ଫାଇନାଲରେ ଇଜିପ୍ଟର ବାର୍ବ ସିମେହଙ୍କୁ ୩-୧ (୧୧-୩, ୮-୧୧, ୧୧-४, ୧୧-୬)ରେ ପରାସ୍ତ କରିଥିଲେ।

ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୬ଟି ମ୍ୟାଚରୁ ଅନାହତ କେବଳ ୨ଟି ସେଟ୍ ପରାଜିତ ହୋଇଥିଲେ। ସେ ପ୍ରଥମ ରାଉଣ୍ଡରେ ଅଷ୍ଟ୍ରେଲିଆର ଲିଲି ୱିଲସନଙ୍କୁ ୩-୦ରେ ପରାସ୍ତ କରିଥିଲେ। ଏହାପରେ ସେ ହଂକଂର ପୁଇ ୟିନ ଚୋଲେ ଓ ମାଲେସିଆର ଡୋୟେସ ୟେ ସାନ ଲିଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲେ। କ୍ୱାର୍ଟର ଫାଇନାଲରୁ ଫାଇନାଲ୍ ପର୍ଯ୍ୟନ୍ତ ସେ ୩ଜଣ ଇଜିପ୍ଟ ଖେଳାଳିଙ୍କୁ ସାମ୍ନା କରିଥିଲେ। କ୍ୱାର୍ଟରରେ ହବିବା ରିଜକଙ୍କୁ ସେ ୩-୧ରେ ପରାସ୍ତ କରିଥିଲେ।