ନବରଙ୍ଗପୁର: ଯୁକ୍ତି ତର୍କ ଓ ଗାଳିଗୁଲଜ ମଧ୍ୟରେ ଉଦ୍ଯାପିତ ହେଲା ନବରଙ୍ଗପୁର ଜିଲ୍ଲାସ୍ତରୀୟ ମଣ୍ଡେଇ ପର୍ବ । ମଞ୍ଚରେ ବିଜେଡି ବିଧାୟକ ମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳଙ୍କୁ କାହିଁକି ଫୋନ୍ କରି ଡାକିଲ ନାହିଁ ବୋଲି ପ୍ରଶ୍ନ କରିବା ସହ କହିଥିଲେ ସେ ବାଘ କାହାକୁ ଡରିବେ ନାହିଁ । ଏହାକୁ ମଞ୍ଚତଳେ ଜୋରଦାର ବିରୋଧ କରିଥିଲେ ବିଜେପି କର୍ମୀ । ଫଳରେ ସେଠାରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସମସ୍ତଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲେ ବି ଏହି ଘଟଣା ନବରଙ୍ଗପୁରରେ ଚର୍ଚ୍ଚାର ବିଷୟ ହୋଇଛି।

ବାଘ କିଏ ଆଉ ଛେଳି କିଏ ? ନବରଙ୍ଗପୁରର ଜିଲ୍ଲାସ୍ତରୀୟ ମଣ୍ଡେଇ ପର୍ବର ଉଦ୍ଯାପନୀ ଦିବସ ଉତ୍ସବରେ ଏହି ବାଘ ଛେଳି ଉପାଖ୍ୟାନ ନବରଙ୍ଗପୁର ରାଜନୀତିକୁ ଗରମ କରିଛି । ମଣ୍ଡେଇ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମନହର ରନ୍ଧାରୀ ଓ ବିଜେପିକର୍ମୀଙ୍କ ମଧ୍ୟରେ ହୋଇଛି ଯୁକ୍ତିତର୍କ, ଅଭଦ୍ର ଭାଷାରେ ଗାଳିଗୁଲଜ l ମଣ୍ଡେଇ ପର୍ବ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ,ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରୀଗାଁ ବିଧାୟକ ନରସିଂହ ଭତରାଙ୍କ ସମେତ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l

ଯେତେବେଳେ ବିଧାୟକ ରନ୍ଧାରୀଙ୍କର ଭାଷଣ ଦେବା ପାଳି ଆସିଥିଲା, ସେତେବେଳେ ରନ୍ଧାରୀ ପୋଡିୟମରେ ଉପସ୍ଥିତ ଜିଲ୍ଲାପାଳ, ଦୁଇ ମନ୍ତ୍ରୀ ଓ ବିଧାୟକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ମଣ୍ଡେଇ କାର୍ଯ୍ୟକ୍ରମର ନିମନ୍ତ୍ରଣପତ୍ର ଦେଇଦେଲେ କାମ ସରିଲା କି? କାର୍ଯ୍ୟକ୍ରମକୁ ଆସିବାପାଇଁ ଫୋନଟିଏ କରି ଡାକିପାରୁନ । ଏପର୍ଯ୍ୟନ୍ତ ଜିଲ୍ଲାରେ ଚାଷୀଙ୍କ ମକା, ଧାନ କିଣା ଯାଇପାରି ନାହିଁ । ଆମ ସମୟରେ ଏମିତି କରାଯାଉନଥିଲା । ମୁଁ ଜଣେ ବାଘ, ବାଘ କାହାକୁ ଡରେନାହିଁ ବୋଲି କହିଥିଲେ l

ଏହାକୁ ନେଇ ମଞ୍ଚ ସମ୍ମୁଖରେ ବସିଥିବା ବିଜେପି କର୍ମୀ ମାନେ ତାତି ଯାଇ ବିଧାୟକ ରନ୍ଧାରୀଙ୍କ ସହ ପ୍ରବଳ ପାଟିତୁଣ୍ଡ ଓ ଯୁକ୍ତିତର୍କ କରିଥିଲେ l ଏହାପରେ ମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିଙ୍କ ହସ୍ତକ୍ଷେପ ପରେ ଘଟଣା ଶାନ୍ତ ପଡ଼ିଥିଲା । ପରେ ରନ୍ଧାରୀ ପୁଣି ଗଣମାଧ୍ୟମକୁ ସେହିକଥା କହିଥିଲେ ଯେ ସେ ବାଘ । ଏହିମାଟିର ସ୍ବାର୍ଥ ପାଇଁ ଓ ଲୋକଙ୍କ ପାଇଁ ଲଢ଼ିବି, ଗର୍ଜନ କରିବି, ଆଉ ଯେଉଁମନେ ଛେଳି ସେମାନେ ଡରିବେ l