କଟକ ୯।୪: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା ମହୀଶୂର ପୋଲିସ । ଚୌଦ୍ଵାର ଜେଲ୍‌ରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଜାକୁ ନେଲା ପୋଲିସ । ମହୀଶୂର ସୁନା ଦୋକାନ ଲୁଟ୍ ଘଟଣାରେ ପଚରାଉଚରା କରିବ ପୋଲିସ ।

ଚୌଦ୍ଵାର ଜେଲ୍‌ରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ଓ ରାଜା ସାହାଣୀ ଫେରାର ହୋଇଥିଲେ । ଫେରାରର ୭ ମାସ ପରେ କଟକ କମିଶନରେଟ୍ ପୋଲିସକୁ ଚକମା ଦେଇ ଏଇ ରାଜ୍ୟରୁ ସେଇ ରାଜ୍ୟକୁ ବୁଲିଥିବା ରାଜାକୁ ଋଷିକେଶରୁ ଗିରଫ କରିଥିଲା କଟକ ସ୍ପେଶାଲ ସ୍କ୍ୱାର୍ଡ । ଗତ ଫେବ୍ରୁଆରୀ ୧୪ ତାରିଖରେ ମଧୁକାନ୍ତକୁ ବୃନ୍ଦାବନରୁ ପୋଲିସ ଧରିଥିବା ବେଳେ ଚକମା ଦେଇ ଖସି ଯାଇଥିଲା ରାଜା ସାହାଣୀ । ଫେରାର୍ ହେବା ପରେ ରାଜା ସାହାଣୀ କର୍ଣ୍ଣାଟକ ମହୀଶୂର ଜିଲ୍ଲାର ହୁନ୍ସୁର୍ ଟାଉନରେ ୨୦୨୫ ଡିସେମ୍ବର ୨୮ରେ ଏକ ଗହଣା ଦୋକାନରୁ କରିଥିଲା ଡକାୟତି। ଦିନ ପ୍ରାୟ ୨ଟା ସମୟରେ ହୁନସୁର ବସଷ୍ଟାଣ୍ଡ ନିକଟରେ ଥିବା ସ୍କାଏ ଗୋଲଡ୍ ଏବଂ ଡାଇମଣ୍ଡ ଗହଣା ଦୋକାନରୁ ରାଜା ନେତ୍ବତ୍ବରେ ୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ଲାଙ୍କ ଫାୟାରିଂ କରି ମାତ୍ର ୬ ମିନିଟରେ ୮କେଜି ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲେ। ଯାହା ମୂଲ୍ୟ ପ୍ରାୟ କୋଟି କୋଟି ଟଙ୍କା ହେବ। ଏହି ଘଟଣା ପରେ ଓଡ଼ିଶାର ଚୌଦ୍ବାର ଜେଲରୁ ଫେରାର୍ ରାଜା ସାହାଣୀ ପଛରେ ପଡ଼ିଯାଇଥିଲା କର୍ଣ୍ଣାଟକ ପୋଲିସ।

କେବଳ ଓଡ଼ିଶା ନୁହେଁ ୬ଟି ରାଜ୍ୟ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା ରାଜା ସାହାଣୀ । ଗତ ଅକ୍ଟୋବର ୩ ତାରିଖରୁ ଚୌଦ୍ଵାର ଜେଲରୁ ଫେରାର ହେବା ପରେ ମହୀଶୂରର ଏକ ଗହଣା ଦୋକାନରୁ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗହଣା ଲୁଟ୍ କରିଥିଲା ।

ବିଭିନ୍ନ ରାଜ୍ୟରେ ୨୮ଟିରୁ ଅଧିକ ମାମଲା ସହ ୫ଟି ମର୍ଡ଼ର କେସ୍ ଥିବାରୁ ଓଡ଼ିଶା ସମେତ କର୍ଣ୍ଣାଟକ, ଆନ୍ଧ୍ର ଓ ଉତ୍ତରାଖଣ୍ଡ ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ପାଲଟିଥିଲା ରାଜା ସାହାଣୀ। ରାଜା ସାହାଣୀ କ୍ରାଇମ ସିଣ୍ଡିକେଟରେ ପ୍ରାୟ ୨ ହଜାର ଅପରାଧୀ କାମ କରୁଥିବାର ଜଣାପଡ଼ିଛି। ଏମାନେ ଲୁଟ୍, ହତ୍ୟା, ବ୍ୟାଙ୍କ ଡକାୟତି, ଅଳଙ୍କାର ଦୋକାନ ଲୁଟ୍ ଭଳି ବିଭିନ୍ନ ଅପରାଧକୁ ଅଞ୍ଜାମ ଦେଉଥିଲେ। ଖାସ୍ କରି ନିଛାଟିଆ ସ୍ଥାନରେ ଥିବା ବ୍ୟାଙ୍କ କିମ୍ବା ଗହଣା ଦୋକାନକୁ ଟାର୍ଗେଟ୍ କରୁଥିଲା ରାଜା ସାହାଣୀ।

Also Read:- ​​​​​​​ଜେଲ୍ ଗଲେ ପତ୍ନୀ ହତ୍ୟାକାରୀ ଦେବରାଜ ଷଡ଼ଙ୍ଗୀ, ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣିବ ପୋଲିସ

ଶେଷରେ ଉତ୍ତରାଖଣ୍ଡର ଏକ ହୋଟେଲ ନିକଟ ଗଳି ରାସ୍ତାରେ ରାଜା ସାହାଣୀ ତା’ର ଗାର୍ଲ ଫ୍ରେଣ୍ଡ ସହ ବୁଲୁଥିବା ବେଳେ ତା’ର ଫଟୋ ଉଠାଇଥିଲା ପୋଲିସ। ଆଉ ସେ ହିଁ ରାଜା ସାହାଣୀ ବୋଲି କନଫର୍ମ ହେବା ପରେ ତାକୁ ଗିରଫ କରିଥିଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ । ଫେରାର୍ ପରଠାରୁ ରାଜା ସାହାଣୀ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲା । କୌଣସି ନିର୍ଦ୍ଧିଷ୍ଟ ସ୍ଥାନରେ ୧୫ ଦିନରୁ ଅଧିକ ରହୁନଥିଲା ରାଜା ସାହାଣୀ । ଏମିତିକି ସେ ଫୋନ୍ ମଧ୍ୟ ବ୍ୟବହାର କରୁନଥିଲା । କାହାକୁ କଲ୍ କରିବାକୁ ପଡ଼ିଲେ ଅନ୍ୟ ଲୋକଙ୍କ ଠାରୁ ଫୋନ୍ ମାଗି କଥା ହେଉଥିଲା ରାଜା ସାହଣୀ । ଏମିତିରେ ତାକୁ ଟ୍ରାକ୍ କରିବା ପୋଲିସ ପାଇଁ କାଠିକର ପାଠ ଥିଲା ।

କମିଶନରେଟ୍ ପୋଲିସ ସ୍ପେଶାଲ ସ୍କ୍ବାର୍ଡ଼ ଅଧିକାରୀ ଅରୁଣ ସ୍ବାଇଁ ଓ ଚୌଦ୍ବାର ଥାନା ଅଧିକାରୀ ରଜନୀକାନ୍ତ ଦାସ ରିତିମତ୍ ବିହାର ଏସଟିଏଫ୍ ଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ପୋଲିସ ଯୋଗାଯୋଗରେ ରହୁଥିଲେ । ପୂର୍ବରୁ ପୋଲିସ ପଞ୍ଝାକୁ ଆସିଥିବା ମଧୁକାନ୍ତ ଠାରୁ ମଧ୍ୟ ଅନେକ କିଛି ତଥ୍ୟ ହାସଲ କରିଥିଲା ପୋଲିସ। ପୋଲିସ କମିଶନରଙ୍କ ସହ ସ୍ପେଶାଲ ସ୍କ୍ବାର୍ଡ଼ରେ ଥିବା ସମସ୍ତ ଅଧିକାରୀ ତିନି ମାସ ଧରି ପଞ୍ଜାବ ହରିୟାଣା, ଉତ୍ତରାଖଣ୍ଡ, ଦିଲ୍ଲୀ ଭଳି ବିଭିନ୍ନ ସ୍ଥାନରେ ଡେରା ପକାଇଥିଲେ। ବ୍ୟକ୍ତିଗତ ଗୁଇନ୍ଦା ସୂଚନା ଆଧାରରେ ଶେଷରେ ରାଜା ସାହାଣୀକୁ ଧରିବାରେ ସଫଳ ହୋଇଥିଲା ସ୍ପେଶାଲ ସ୍କ୍ବାର୍ଡ଼।