ନୂଆଦିଲ୍ଲୀ, ୧୩|୦୨: ପ୍ରେମର ସପ୍ତାହରେ ରକ୍ତର ଛିଟା । ତ୍ରିକୋଣୀୟ ପ୍ରେମରୁ ଜଘଣ୍ୟ ହତ୍ୟାକାଣ୍ଡ । ଏପରି କିଛି ଘଟିଛି ମୁମ୍ବାଇର ଶିବାଜୀ ନଗର ଅଞ୍ଚଳରେ । ଏଠାରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଗୁଳିମାଡ ହୋଇଛି । ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି ।

ରିପୋର୍ଟ ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଶିବାଜୀ ନଗରରେ ଏକ ହତ୍ୟାକାଣ୍ଡ ହୋଇଥିଲା । ଜଣେ ଯୁବତୀଙ୍କୁ ଅତି ନିକଟରୁ କେହି ଗୁଳିମାଡ କରିଥିଲେ । ମୃତ ଯୁବତୀ ହେଲେ ସିଫା ସେଖ୍ । ଘଟଣାର ୧୨ ଘଣ୍ଟାରେ ପୋଲିସ ଜଣେ ୨୫ ବର୍ଷୀୟା ଯୁବତୀ ଏବଂ ଅନ୍ୟ ଜଣେ ୨୩ ବର୍ଷୀୟ ପୁରୁଷଙ୍କୁ ଗିରଫ କରିଛି । ଗିରଫ ଯୁବତୀ ହତ୍ୟାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି ।

ପୋଲିସର କହିବାନୁସାରେ, ସିଫାଙ୍କୁ ଏକ ଫୋନ୍ କଲ୍ ଆସିଥିଲା । ଏହାପରେ ସେ ଘର ଛାଡି ବାହାରକୁ ଆସିଥିଲେ । ବାହାରେ ଜଣେ ମହିଳା ତାଙ୍କୁ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏତିକି ବେଳେ ସିଫାଙ୍କୁ ଗୁଳି ମାଡ କରାଯାଇଥିଲା । ତାଙ୍କ ମୁହଁରେ ଗୁଳି ବାଜିଥିଲା ଏବଂ ସେ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ବି ଡାକ୍ତର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇନଥିଲେ । ତେବେ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ପ୍ରେମ ସମ୍ପର୍କ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

କୁହାଯାଉଛି ଯେ, ସିଫା ଯେଉଁ ଯୁବକଙ୍କୁ ପ୍ରେମ କରୁଥିଲେ ତାଙ୍କର ପୂର୍ବରୁ ଅନ୍ୟ ଜଣେ ପ୍ରେମିକା ରହିଥିଲେ । ସେହି ପୁରୁଣା ପ୍ରେମିକା ଅନେକ ଥର ସିଫାଙ୍କୁ ଧମକ ଦେଇଛନ୍ତି । ତେବେ ସିଫା ନମାନିବାରୁ ସେ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ମନସ୍ଥ କରିଥିଲେ ।