ମୁମ୍ୱାଇ: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଚେମ୍ବୁର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ସ୍କୁଲ୍ ଗାଡ଼ି ଉପରେ ବିରାଟ ଗଛ ପଡ଼ିଯିବା କାରଣରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୧୨ ଜଣ ଛାତ୍ର ଆହତ ଅଛନ୍ତି ।  ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ୫୦ ମିନିଟ୍ ସମୟରେ ତିଲକନଗର ସ୍ଥିତ 'ୟୁନିଭର୍ସାଲ ସ୍କୁଲ'ର ଏକ ବସ୍‌ ଉପରେ ହଠାତ୍ ଏକ ବିରାଟ ଗଛ ଭାଙ୍ଗି ପଡ଼ିଛି । ବସ୍‌ଟି ଚେମ୍ବୁରର ରୋଡ୍ ନମ୍ବର ୧୧ ଦେଇ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା ।

ଦୁର୍ଘଟଣା ସମୟରେ ବସ୍ ଭିତରେ ୧୩ ଜଣ ସ୍କୁଲ ପିଲା ଥିଲେ । ଗଛଟି ବସ୍ ଉପରେ ପଡ଼ିବା ଯୋଗୁଁ ୧୨ ପିଲା ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୧ ବର୍ଷର ଜଣେ ଛାତ୍ର, ବିହାନ ଶ୍ରୀବାସ୍ତବଙ୍କ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଘଟଣା ସମୟରେ ସ୍ଥାନୀୟ ବାସିନ୍ଦା, ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ତତ୍ପରତା ଯୋଗୁଁ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ହିଁ ପିଲାମାନଙ୍କୁ ବସ୍ ଭିତରୁ ଉଦ୍ଧାର କରାଯାଇଥିଲା । ଆହତ ପିଲାମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗମ୍ଭୀର ଆଘାତ ଲାଗିଥିବାରୁ ସେମାନଙ୍କୁ ନିକଟସ୍ଥ ଜେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଅନ୍ୟ ୪ ଜଣ ପିଲାଙ୍କୁ ସାମାନ୍ୟ ଆଘାତ ଲାଗିଛି ।

ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଜନଅସନ୍ତୋଷ ଦେଖାଦେଇଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ବିପଜ୍ଜନକ ଅବସ୍ଥାରେ ଥିବା ଗଛଗୁଡ଼ିକର ଡାଳ କାଟିବା ପାଇଁ ବିଏମସିକୁ ଅନେକ ଥର ଚିଠି ଲେଖି ଜଣାଇଥିଲେ । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଏଭଳି ଏକ ଘଟଣା ଘଟିସାରିଥିଲା । ମାତ୍ର ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଏମସି କୌଣସି ପଦକ୍ଷେପ ନେଇ ନଥିଲା, ଯାହାଫଳରେ ଆଜି ଏହି ବଡ଼ ଅଘଟଣ ଘଟିଗଲା ।

​​​​​​​

ସେପଟେ ମୁମ୍ବାଇ ମେୟର ଋତୁ ତାୱଡେ ଜେନ୍ ହସ୍ପିଟାଲ ଯାଇ ପୀଡିତଙ୍କ ପରିବାରକୁ ଭେଟିଛନ୍ତି । ସେ କହିଛନ୍ତି, "ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ମୁଁ ଜଣେ ମାଆ ଭାବରେ ଏଠାକୁ ଆସିଥିଲି । ବାପାମାଆ ନିର୍ବାକ ହୋଇଯାଇଥିଲେ । ୟୁନିଭର୍ସାଲ୍ ସ୍କୁଲ ବସ୍‌ରେ ୧୩ ଜଣ ପିଲା ଥିଲେ, ୧୨ ଜଣ ସୁରକ୍ଷିତ ଅଛନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ ଜଣଙ୍କର ମୃତ୍ୟୁ ଘଟିଛି ।"

ସେ ଆହୁରି କହିଛନ୍ତି "ବିଏମସି ଦାବି କରିଥିଲା ​​ଯେ ରାସ୍ତ କଡ଼ରେ ଥିବା ଗଛ କଟାଯାଇଛି, କିନ୍ତୁ ସ୍ଥାନୀୟ ଲୋକ କହିଛନ୍ତି ଯେ ସେମାନେ ବିପଦପୂର୍ଣ୍ଣ ଗଛ ବିଷୟରେ ପୂର୍ବରୁ ଅଭିଯୋଗ କରିଥିଲେ । ଯଦି କୌଣସି ଅବହେଳା ଥାଏ, ତେବେ ଆମେ ଏହାର ତଦନ୍ତ କରିବୁ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣାଯାଇ ନାହିଁ ବୋଲି ଯଦି ତଦନ୍ତରେ ଜଣାପଡ଼େ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"